ମାସେ ପରେ ଘୋଷଯାତ୍ରା, ଗୁଣ୍ଡିଚା ମନ୍ଦିର ଶ୍ରୀହୀନ

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ଆଉ ମାତ୍ର ଏକ ମାସ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର । ଏହି ଘୋଷଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଫଳରେ ସେମାନଙ୍କୁ କିପରି ସମସ୍ତ ସୁବିଧା ଯୋଗାଇ ଦିଆଯିବ ସେ ନେଇ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ମାତ୍ର ବାତ୍ୟା ଫାନି ପ୍ରଭାବରେ ଶ୍ରୀମନ୍ଦିର ସମେତ ଗୁଣ୍ଡିଚାମନ୍ଦିର ଛାର୍ଖାର୍ ହୋଇଯାଇଛି । ଶ୍ରୀହୀନ ହୋଇପଡିଛି ଗୁଣ୍ଡିଚାମନ୍ଦିର । ଆଉ ମାତ୍ର ଏକ ମାସ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ବଡ଼ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରର ନୀଳକନ୍ଦରକୁ ଛାଡି ନଅ ଦିନ ବ୍ୟାପୀ ଗୁଣ୍ଡିଚାମନ୍ଦିରରେ ତାଙ୍କଳ ଲୀଳା ଆରମ୍ଭ କରିବେ । ହେଲେ ବାତ୍ୟାର ପ୍ରକୋପରେ ଶ୍ରୀହୀନ ହୋଇପଡିଥିବା ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ ଏକ ମାସ ମଧ୍ୟରେ ଶେଷ ହେବା ସମ୍ଭବ ନୁହେଁ । ଫଳରେ ଏହାକୁ ନେଇ ଏବେ ଭକ୍ତଙ୍କ ମହଲରେ ଘୋର ଅସନ୍ତୋଷ ଦେଖାଦେଇଛି । ବରଷକେ ଥରେ ମହାପ୍ରଭୁ ତାଙ୍କର ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଆସିଥାନ୍ତି । ବଡଦାଣ୍ଡରେ ଦର୍ଶନ ଦେବା ପରେ ଗୁଣ୍ଡିଚାମନ୍ଦିର ଆଡ଼ପ ମଣ୍ଡପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ବର୍ଷସାରା ମହାପ୍ରଭୁଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ, ଥରେମାତ୍ର ଗୁଣ୍ଡିଚାମନ୍ଦିରରେ ଦର୍ଶନ କଲେ ସେତିକି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଶ୍ରୀଜିଉ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ ବେଳେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥାଏ । ହେଲେ ଚଳିତବର୍ଷ ବାତ୍ୟାରେ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ଗୁଣ୍ଡିଚାମନ୍ଦିର । ମନ୍ଦିର ଭିତରେ ରହିଥିବା ମଣ୍ଡପ ଓ ଅନେକ ଗଛ ଭାଙ୍ଗିପଡିଛି । ସେହିପରି ମନ୍ଦିରର ଚାରିପଟରେ ଥିବା ପାଚେରୀ ମଧ୍ୟ ଭାଙ୍ଗିଯାଇଛି । ହେଲେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ତାହା ରଥଯାତ୍ରା ପୂର୍ବରୁ ଶେଷ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିସହ ଶ୍ରୀମନ୍ଦିର ପରିସର ଅବସ୍ଥା ମଧ୍ୟ ଭଲ ନାହିଁ । ଦର୍ଶନ ପରେ ଶ୍ରଦ୍ଧାଳୁମାନେ ଆନନ୍ଦବଜାରରେ ମହାପ୍ରସାଦ ସେବନ କରିବା ସହିତ ମାନସିକଧାରୀ ଭକ୍ତମାନେ ମହାପ୍ରଭୁଙ୍କ ନାମ ସ୍ମରଣ କରି ସେଠାରେ ଜପ କରିଥାନ୍ତି । ହେଲେ ଚଳିତବର୍ଷ ଶ୍ରଦ୍ଧାଳୁଙ୍କ ବସିବା ସ୍ଥାନ ନାହିଁ କି ତାହା ଭିତରେ ଛାଇ ଆଉ ନାହିଁ । ମନ୍ଦିର ପରିସରରେ ରହିଥିବା ସମସ୍ତ ଗଛ ଭାଙ୍ଗି ଯାଇଛି । ଗଛ ଛାଇରେ ଭକ୍ତମାନେ ଆଶ୍ରୟ ନେଉଥିଲା ବେଳେ ଏବେ ମନ୍ଦିର ପରିସରରେଟାଣ ଖରାର ପ୍ରଭାବ ପଡିଛି । ଅନ୍ୟପଟରେ ଗୁଣ୍ଡିଚାମନ୍ଦିରକୁ ଦେଖି ଭକ୍ତଙ୍କ ମହଲରେ ଘୋର ଅସନ୍ତୋଷ । ତେବେ କେବେ ଗୁଣ୍ଡିଚାମନ୍ଦିର ଶ୍ରୀହୀନ କବଳରୁ ରକ୍ଷା ପାଇବ ତାହାକୁ ଅପେକ୍ଷା । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଯୋଗାଯୋଗ କରିବାରେ ମହାପ୍ରଭୁଙ୍କ ରଥଯାତ୍ରା ପୁର୍ବରୁ ମନ୍ଦିରର ମରାମତି କାର୍ଯ୍ୟ ଶେଷ ହେବା ସହିତ ଭକ୍ତଙ୍କ ସୁବିଧା ପାଇଁ ଯାହା ଆବଶ୍ୟକ ତାହା ଯୁଦ୍ଧକାଳୀନ ଭତ୍ତିରେ କରାଯିବ ବୋଲି ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ