ମାସେ ଭିତରେ ୨୯ଟି ଖଣି ନିଲାମ ପାଇଁ ଯୋଜନା
ଭୁବନେଶ୍ୱର : ଆସନ୍ତା ଏକ ମାସ ଭିତରେ ରାଜ୍ୟ ସରକାର ୨୯ଟି ଖଣି ନିଲାମ କରିବେ । ଏ ନେଇ ଖଣି ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ଆସନ୍ତାବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ୨୪ଟି ଖଣିର ଲିଜ୍ ଅବଧି ଶେଷ ହେବାକୁ ଯାଉଥିବାରୁ ତା ପୂର୍ବରୁ କଞ୍ଚାମାଲ ଯୋଗାଇବା ପାଇଁ ଯେପରି ଅସୁବିଧା ନ ହୁଏ, ସେଥିପାଇଁ ଖଣି ନିଲାମି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ କେତୋଟି ଖଣି ନିଲାମ ହେବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ନିଷ୍ପତ୍ତି ନେବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ । ଇସ୍ପାତ ଓ ଖଣି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୋଟ ୪୦ଟି ଖଣିରୁ ୨ଟି ଖଣିକୁ ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ରଖିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ୫୦ ବର୍ଷରୁ ଅଧିକ ବର୍ଷ ଧରି ଲିଜ୍ ଆକାରରେ ଯାଜପୁର ସୁକିନ୍ଦାରେ ଟାଟା କମ୍ପାନିକୁ ମିଳିଥିବା ସୁକିନ୍ଦା କ୍ରୋମାଇଟ ଖଣି ଓ ଆର.ପି ସାଓ କମ୍ପାନିକୁ ମିଳିଥିବା କେନ୍ଦୁଝରର ଗୁଆଲି ଲୁହାପଥର ଖଣିକୁ ଆଉ ନିଲାମ ନ କରି ସରକାରୀ ଉଦ୍ୟୋଗ ପାଇଁ ସଂରକ୍ଷିତ ରଖାଯିବ । ଏହି ଦୁଇଟିଯାକ ଖଣିର ଲିଜ୍ ମିଆଦ ଆସନ୍ତାବର୍ଷ ମାର୍ଚ୍ଚ ୩୧ରେ ପୂରିବ । ୩୮ଟି ଖଣିରୁ ୭ଟିର ନିଲାମ ପାଇଁ ବିଜ୍ଞପ୍ତି ହୋଇ ସାରିଥିବା ବେଳେ ଆଉ ୨ଟିର ଟେଣ୍ଡର ଆହ୍ୱାନ କରାଯାଇଛି । ନିଲାମ ପାଇଁ ବିଜ୍ଞପ୍ତି ହୋଇଥିବା ଖଣି ଗୁଡ଼ିକ ହେଲା ମିଶ୍ରିଲାଲ ଖଣିର ୨ଟି କ୍ରୋମାଇଟ ଖଣି, ୪ଟି ଚୂନପଥର ଖଣି (ବେହେରା ବାଞ୍ଝିପାଲି, ଗାରାମୁରା, ଖତକୁକୁଡ଼ାବାହାଲ ଓ ପିପଲମୁଣ୍ଡା) ଓ ଜଗଦଳପୁରସ୍ଥିତ ଗ୍ରାଫାଇଟ୍ ଖଣି ଅନ୍ତର୍ଭୁକ୍ତ । ସେହିପରି ଦୁଇଟି ଖଣି ନାରିପଙ୍ଗା ଚୂନପଥର ଓ ଉସ୍କଲାଭାରୁ ଗ୍ରାଫାଇଟ୍ ଖଣି ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ବାକି ୨୯ଟି ଖଣିର ନିଲାମ ପାଇଁ ଇସ୍ପାତ ଓ ଖଣି ବିଭାଗ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିସାରିଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ କେତୋଟି ଖଣି ନିଲାମ କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ନିଷ୍ପତ୍ତି ନେବ । ଦୁଇଦିନ ତଳେ ୧୦ଟି ଖଣିର ନିଲାମ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇସାରିଥିଲେ । ଏବେ ଏକକାଳୀନ ନିଲାମି ପ୍ରକ୍ରିୟାରେ କେତୋଟି ଖଣିକୁ ସାମିଲ କରାଯିବ ସେଥିପାଇଁ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଅନୁମୋଦନ କଲାପରେ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତାକାଲି ସୁଦ୍ଧା ଖଣି ନିଲାମି ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ ।


