ମାସ୍କ ନପିନ୍ଧିଲେ ହଜାରେ ଜରିମାନା
ଭୁବନେଶ୍ୱର : ବାହାରକୁ ବାହାରିଲେ ମାସ୍କ ପିନ୍ଧନ୍ତୁ । ଯଦି ମାସ୍କ ନାହିଁ ତାହେଲେ ମୁହଁରେ କପଡ଼ା ଭିଡ଼ନ୍ତୁ । ନହେଲେ ହଜାରେ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ । ଗଂଜାମ ଜିଲ୍ଳାପାଳ ଏଭଳି ନିଦେ୍ର୍ଧଶ ଦେଇଛନ୍ତି । ସମ୍ପ୍ରତି କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଠାରୁ ନେଇ ଜିଲ୍ଲା ଓ ପୁଲିସ ପ୍ରଶାସନ ସମସ୍ତେ ଦିନରାତି ଏକ କରିଦେଇଛନ୍ତି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି । ଏଯାବତ ଗୋଷ୍ଠୀ ସଂକ୍ରମଣ ହୋଇନଥିଲେ ବି ଆଶଙ୍କା ଟଳିନାହିଁ । ବାହାରୁ ଆସିଥିବା ବ୍ୟକ୍ତିମାନଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିବାବେଳେ ସେମାନଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଗହଳି ସ୍ଥାନକୁ ନଯିବା, ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଂଜାମରେ ଯେଭଳି ଲକଡାଉନକୁ କଡ଼ାକଡ଼ି ପାଳନ କରାଯିବ ସେନେଇ ଗଂଜାମ ଜିଲ୍ଲାପାଳ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ବାହାରକୁ ବାହାରୁଥିବା ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ମାସ୍କ ପିନ୍ଧିବେନି କି ମୁହଁରେ କପଡ଼ା ବାନ୍ଧିବେନି ସେମାନଙ୍କୁ ହଜାରେ ଟଙ୍କା ଜରିମାନା କରାଯିବ ।


