ମାସ୍କ ଫାଇନ ଆଦାୟ ୧ କୋଟି ୨୫ ଲକ୍ଷ
ଭୁବନେଶ୍ୱର: ମାସ୍କ ପିନ୍ଧିନଥିବା ଅମାନିଆ ମୋଟା ଅଙ୍କର ଜୋରିମାନା ଦେଇଛନ୍ତି । ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୈଠକ ପରେ ପୁଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ଅନୁଯାୟୀ ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ ୧ କୋଟି ୨୫ ଲକ୍ଷ ୮୪ ହଜାର ଟଙ୍କା ଆଦାୟ କରାଯାଇଛି । ସେହିପରି ସାମାଜିକ ଦୂରତ୍ୱ ଉଲ୍ଲଂଘନ ନେଇ ୧୧ ଲକ୍ଷ ୭୪ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । ରାତ୍ରକାଳୀନ କର୍ଫ୍ୟୁ ଉଲ୍ଲଂଘନକାରୀଙ୍କ ଠାରୁ ୧ ଲକ୍ଷ ୩ ହଜାର ଟଙ୍କା ଆଦାୟ ହୋଇଥିବା ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ମୁକାବିଲା ପାଇଁ କୌଣସି ଔଷଧ ଏତେ ପର୍ଯ୍ୟନ୍ତ ବାହାରିନଥିବାବେଳେ ସତର୍କତା ହିଁ ଏକମାତ୍ର ଉପାୟ । ଏନେଇ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧିବା ନେଇ ସରକାରୀ କଟକଣା ଜାରି କରାଯାଇଥିଲା ।


