ମାସ୍କ ବେପାରରେ ମାଲେମାଲ ଚୀନ

ଚୀନର ଉହାନ ସହରରୁ ଆରମ୍ଭ ହୋଇଥବା କୋରୋନା ଭୂତାଣୁ ସାରା ବିଶ୍ବର ଅର୍ଥନୀତିକୁ ଧ୍ବସ୍ତ କରିବାରେ ଲାଗିଛି। ବିଶ୍ବର ପ୍ରମୁଖ ଦେଶଗୁଡ଼ିକ ନିଜ ଅର୍ଥନୀତିକୁ ସୁଧାରିବା ପାଇଁ ବ୍ୟାପକ ପ୍ରଯତ୍ନ ହେବା ସହ ଚିନ୍ତିତ ଥିବା ବେଳେ ଚୀନ ତେଣେ ମାସ୍କ ତିଆରି କରି ମୋଟା ଅଙ୍କର ମୁନାଫା କମାଇବାରେ ଲାଗିପଡ଼ିଛି। ଚୀନ ପାଇଁ ବହୁଳ ମାସ୍କ ରପ୍ତାନୀ ଏବେ ଲାଭଦାୟକ ସାବ୍ୟସ୍ତ ହୋଇଛି। ମଧ୍ୟ ଚୀନର ହୁବେଇ ପ୍ରଦେଶର ରାଜଧାନୀ ଉହାନରୁ ଆରମ୍ଭ ହୋଇଥିବା କୋରୋନା ଫେବ୍ରୁଆରୀ ମାସରେ ହୁବେଇକୁ କବଳିତ କରିସାରିଥିଲା। ଏହାପରେ ଇଟାଲୀ, ବ୍ରିଟେନ, ଜାପାନ, ଭାରତ ସମେତ ବିଶ୍ବର ୧୯୯ଟି ଦେଶରେ ନିଜର କାୟା ବିସ୍ତାର କରିଥିଲା। ବିଜନେସ ଡାଟା ପ୍ଲାଟଫର୍ମ ତିଆନୟଞ୍ଚା ଅନୁଯାୟୀ ପ୍ରବଳ ଚାହିଦାକୁ ଦେଖିବା ପରେ ଚଳିତବର୍ଷର ପ୍ରଥମ ଦୁଇମାସ ଭିତରେ ଚୀନରେ ୮,୯୫୦ କମ୍ପାନୀ ମାସ୍କ ଉତ୍ପାଦନ କାମରେ ଲାଗିପଡ଼ିଛନ୍ତି। ପ୍ରତ୍ୟେକ କମ୍ପାନୀ ଦିନକୁ ଅନ୍ୟୁନ ୬୦ ହଜାରରୁ ୭୦ ହଜାର ମାସ୍କ ଉତ୍ପାଦନ କରୁଛନ୍ତି। ଚୀନର ସରକାରୀ ପରିସଂଖ୍ୟାନ ଅନୁଯାୟୀ ଦେଶରେ ଏବେ ଦୈନିକ ୧୧.୬ କୋଟି ମାସ୍କ ଉତ୍ପାଦିତ ହେଉଛି। ଚୀନର ବିଗତ ଦୁଇ ମାସ ହେଲା ଅନ୍ୟ ଦେଶ ଗୁଡ଼ିକୁ ମାସ୍କ ରପ୍ତାନୀ ହେଉଥିବା ଜଣାପଡ଼ିଛି। ଚୀନ କମ୍ପାନୀ ଗୁଡ଼ିକ ବିପୁଳ ଭାବେ ଇଟାଲୀ ସମେତ ୟୁରୋପୀୟ ଦେଶ ଏବଂ ଦକ୍ଷିଣ କୋରିଆକୁ ମାସ୍କ ରପ୍ତାନୀ କରୁଛନ୍ତି। ଅନ୍ୟ ଦେଶ ଗୁଡ଼ିକରୁ ଦୁଇଶହରୁ ଅଢ଼େଇ ଶହ ଅର୍ଡର ଆସି ପହଞ୍ଚିଥିବା କୁହାଯାଉଛି। ମାସ୍କ ତିଆରି ମେସିନ ଓ ଯନ୍ତ୍ରପାତି ପାଇଁ ମଧ୍ୟ ଅନେକ ଦେଶ ଚୀନର ସହାୟତା ଲୋଡ଼ିଛନ୍ତି। ଏହି ରୋଗ ପାଇଁ ସଠିକ ଔଷଧ ଚିହ୍ନଟ ନ ହେବା ମାସ୍କ ଓ ସାନିଟାଇଜର କମ୍ପାନୀମାନଙ୍କ ମୁନାଫାର ବାଟକୁ ଖୋଲି ଦେଇଛି। ୨୦୧୭ରେ ଭାରତର ସର୍ଜିକାଲ ମାସ୍କ ମାର୍କେଟ ୫୮ ବିଲିଅନ ଡଲାର ଥିଲା। ୨୦୧୮ରେ ଏଥିରେ ୧ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଏବେ ୨୦୨୦ରେ କୋରୋନାର ମୁକାବିଲା ପାଇଁ ସର୍ଜିକାଲ ମାସ୍କ ସମେତ ସ୍ଥାନୀୟ ସ୍ତରରେ କପଡ଼ାରେ ପ୍ରସ୍ତୁତ ମାସ୍କର ଚାହିଦା ଗୁଣିତକ ଭାବେ ବୃଦ୍ଧି ପାଇଛି। ହଠାତ ଚାହିଦା ବଢ଼ିଥିବାରୁ ଓ କମ୍ପାନୀମାନେ ଯୋଗାଇ ପାରୁ ନ ଥିବାରୁ ନିମ୍ନମାନର ମାସ୍କ ବାନ୍ଧି ଲୋକେ ବୁଲୁଥିବାର ଦେଖାଯାଉଛି। ଏବେ ୨୧ ଦିନିଆ ଲକଡାଉନ ଚାଲିଥିବା ବେଳେ ଦେଶର ବିଭିନ୍ନ ମେଡିକାଲ ଷ୍ଟୋର ଗୁଡ଼ିକରେ ଏ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି ଓ ଲୋକେ ରୁମାଲ, କପଡ଼ା ଏବଂ ଅନ୍ୟାନ୍ୟ ନିମ୍ନ ମାନର ମାସ୍କ ବ୍ୟବହାର କରୁଛନ୍ତି। ଭାରତୀୟ ମାସ୍କ ଉତ୍ପାଦନ କମ୍ପାନୀମାନେ ଏକ ବଡ଼ ସୁଯୋଗକୁ ହରାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ