ମାସ୍କ ବ୍ୟବହାର କଲେ କମେ ୪୦ ପ୍ରତିଶତ ସଂକ୍ରମଣ ଆଶଙ୍କା
ଭୁବନେଶ୍ୱର: ସାରା ବିଶ୍ବ ଏବେ ମହାମାରୀ କରୋନା କବଳରେ। ଏହାର ପ୍ରଭାବରେ ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହାର ପ୍ରତିକାର ପାଇଁ କୌଣସି ଔଷଧ ବାହାରି ନଥିବା ବେଳ ସଚେତନତା ହିଁ ଏହାର ଏକମାତ୍ର ବିକଳ୍ପ ସାଜିଛି । କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ନିୟମିତ ବ୍ୟବଧାନରେ ହାତ ଧୋଇବା, ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମହାମାରୀକୁ ଦୂରେଇ ରଖିବା ପାଇଁ ଭାରତ, ସିଙ୍ଗାପୁର, ଫ୍ରାନ୍ସ୍, ସ୍ପେନ୍, ଜର୍ମାନୀ, ଆର୍ଜେଣ୍ଟିନା ଆଦି ଦେଶରେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରାଯାଇଛି। ତେବେ ମାସ୍କ୍ ପିନ୍ଧିବା ଦ୍ୱାରା କରୋନା ସଂକ୍ରମଣ ଆଶଙ୍କା ୪୦ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଥାଏ । ଜର୍ମାନୀର ବନ୍ଠାରେ ଥିବା ଆଇଜେଡ୍ଏ ଲେବର ଇକୋନୋମିକ୍ସ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଏହି ରିପୋର୍ଟ ଅନୁଯାୟୀ ମାସ୍କର ବ୍ୟବହାର ଦ୍ୱାରା ଏଠାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି । ଏହି ରିପୋର୍ଟକୁ ସମର୍ଥନ କରିଛନ୍ତି ଦିଲ୍ଲୀ ଏମ୍ସ୍ର ପ୍ରଫେସର ଜି.ସି. ଖିଲନାନି ।


