ମାୟାବିନୀଙ୍କ ଜାଲରେ ଯୁବ ଗୋଷ୍ଠୀଙ୍କ ସମେତ ବୟସ୍କ ବ୍ୟକ୍ତି : ମଧୁର କଣ୍ଠ ଶୁନି ଫସୁଛନ୍ତି ମିଛ ପ୍ରେମରେ : ଲୋକ ଲଜ୍ୟାରେ ଖୋଲୁ ନାହାଁନ୍ତି ମୁହଁ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗତ କିଛିଦିନ ହେବ ଫେସ୍‌ବୁକ୍‌ ମେସେଞ୍ଜର୍‌ରେ ଅଜଣା ଯୁବତୀଙ୍କ ସହ କଥା ହୋଇ ମିଛ ପ୍ରେମରେ ଫସିବା ସହ ଲୁଟ୍ ର ଶିକାର ହେବାରେ ଲାଗିଛନ୍ତି ବେଲଗୁଣ୍ଠା ଏବଂ ଭଞ୍ଜନଗର ଅଞ୍ଚଳର ଯୁବ ଗୋଷ୍ଠୀ I ପ୍ରଥମେ ଫେସବୁକ୍ ରେ ବନ୍ଧୁତା ସ୍ଥାପନ ଏବଂ ତାପରେ କଥା ଅତି ଅନ୍ତରଙ୍ଗ ହୋଇ ଭିଡିଓ କଲ୍‌ ପର୍ଯ୍ୟନ୍ତ ଯାଇ ଫସୁଛନ୍ତି ଯୁବକ । ଉକ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲ୍‌ ରେକର୍ଡିଂକୁ ନେଇ ବ୍ଲାକ୍‌ମେଲ୍‌ର ଶିକାର ହେଉଛନ୍ତି । ହଜାର ହଜାର କିମ୍ବା ଲକ୍ଷାଧିକ ଟଙ୍କା ଡିମାଣ୍ଡ୍‌ କରୁଛନ୍ତି ଅଜଣା ଯୁବତୀ । ଗତ କିଛି ଦିନ ଭିତରେ ବେଲଗୁଣ୍ଠା ଏବଂ ଭଞ୍ଜନଗର ସହରରେ ଏଭଳି ଅନେକ ଘଟଣା ଘଟିଥିବା ବେଳେ ଲୋକଲଜ୍ଜା ଯୋଗୁଁ ସେସବୁକୁ ଚାପି ଦିଆଯାଉଛି । ସବୁଠାରୁ ସାଂଘାତିକ, ଏଭଳି ଘଟଣାରେ ବୟସାଧିକ ବ୍ୟକ୍ତି ବେଶୀ ଶିକାର ହେଉଛନ୍ତି I ନିକଟରେ ଜଣେ ବ୍ୟବସାୟୀ ଏଭଳି ଅଭାବନୀୟ ସ୍ଥିତିର ସମ୍ମୁଖୀନ ହୋଇଥିଲେ । ଏହି ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଥିବା ବେଳେ ଏଭଳି ଘଟଣାରେ ଆଉ କିଛି ବ୍ୟକ୍ତି ମଧ୍ୟ ଫସିଛନ୍ତି । ଅଜଣା ଫେସ୍‌ବୁକ୍‌ ବନ୍ଧୁତା ହିଁ ବିପଦ ସାବ୍ୟସ୍ତ ହେଉଛି । ଏହା ପଛରେ ଏକ ବିରାଟ ର‌୍ୟାକେଟ୍‌ କାମ କରୁଛି । ରାଜ୍ୟ ବାହାରୁ ଏହାକୁ ଅପରେଟ୍‌ କରାଯାଉଛି । ପୂର୍ବରୁ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଜାଲିଆତିରେ ସାମିଲ୍‌ ଥିବା ଠକ ଏବେ ଏହି ନୂଆ ଉପାୟକୁ ବାଛିଛନ୍ତି । ତେବେ ସମ୍ପୃକ୍ତ ହାଇଟେକ୍‌ ଦଲାଲ୍‌ଙ୍କ ସହିତ କିଛି ପେସାଦାର ଦେହ ବ୍ୟବସାୟୀ ମଧ୍ୟ ଏଥିରେ ସାମିଲ୍‌ ହୋଇଛନ୍ତି ଯେଉଁମାନେ ଜାଲ ବିଛାଇ ଲୋକଙ୍କୁ ଲୁଟୁଛନ୍ତି । ଦେହ ବ୍ୟବସାୟ ନ କରି ଲୋକଙ୍କୁ ଠକି ବେଶ୍‌ ଭଲ ରୋଜଗାର କରୁଛନ୍ତି । ତେବେ ଏହାର ଟେର୍‌ ପାଇବା ପୁଲିସ୍‌ କିମ୍ବା ସାଇବର୍‌ ବିଶେଷଜ୍ଞଙ୍କ ପକ୍ଷେ ମଧ୍ୟ ସମ୍ଭବ ନୁହେଁ । ରାଜ୍ୟ ବାହାରୁ ଏଭଳି ର‌୍ୟାକେଟ୍‌କୁ ପରିଚାଳନା କରାଯାଉଥିବାରୁ ଏହାର ପର୍ଦ୍ଦଫାସ୍‌ ଏକରକମ ଅସମ୍ଭବ ବୋଲି କୁହାଯାଉଛି । ସାଇବର୍‌ ବିଶେଷଜ୍ଞଙ୍କ କହିବା କଥା, ସଚେତନ ଓ ସତର୍କ ରହିବା ଛଡ଼ା ଏଥିରୁ ବର୍ତ୍ତିବାକୁ ଆଉ କିଛି ଉପାୟ ନାହିଁ । ଏ ନେଇ ସାଇବର୍‌ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କୁ ପଚାରିବାରେ ସେ କହନ୍ତି, ଗତ ୨ବର୍ଷ ଧରି ସାଇବର୍‌ ଅପରାଧୀ ନିଧଡକ ଏ କାରବାର ଚଳାଇ ଆସିଛନ୍ତି । କିଛି ସୁନ୍ଦରୀ ଝିଅଙ୍କ ଫଟୋକୁ ଢାଲ କରି ପ୍ରଥମେ ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ହେବାକୁ ଅନୁରୋଧ କରାଯାଉଛି । ବନ୍ଧୁ ହେବା ପରେ ମେସେଞ୍ଜରରେ କଥାବାର୍ତ୍ତା ଓ ଭିଡିିଓ କଲ୍‌ କରିବା ଲୋକଙ୍କ ପାଇଁ ଅଡୁଆ ବଢାଉଛି । ଦୁର୍ବଳ ମାନସିକତା ଏବଂ କାମନାପ୍ରିୟ ଲୋକେ ଏଥିରେ ବେଶୀ ହଇରାଣ ହେଉଛନ୍ତି । ତେଣୁ ଏ ସବୁରୁ ଦୂରେଇ ରହିବା ଏବଂ ଅଜଣା ଫ୍ରେଣ୍ଡ୍‌ ଅନୁରୋଧକୁ ଗ୍ରହଣ କରିବା ଆଦୌ ଉଚିତ୍‌ ନୁହେଁ । କାରଣ ଥରଟିଏ ମାୟାଜାଲରେ ଫସିଲେ ଏଥିରୁ ବର୍ତ୍ତିବା ମୁସ୍କିଲ୍‌ । ପ୍ରଥମେ ଅଜଣା ସୁନ୍ଦରୀ ଝିଅଙ୍କ ପ୍ରତିଛବି ଥିବା ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ୍‌ ଆସୁଛି । ଏହାକୁ ଗ୍ରହଣ କରିଲେ ପ୍ରଥମେ ସେପଟୁ ‘ହାଏ’ ମେସେଜ୍‌ ଆସୁଛିି । ଏହାର ଉତ୍ତରରେ ଯଦି ‘ହେଲୋ’ କିମ୍ବା ‘ହାଓ ଆର୍‌ ୟୁ’ ପଚାରିଦେଲେ ଫେକ୍‌ ଆକାଉଣ୍ଟ୍‌ ପରିଚାଳନା କରୁଥିବା ସାଇବର୍‌ ଠକ ଜାଣୁଛି ଯେ, ଅପରପକ୍ଷରୁ ଏଥିରେ ଆଗ୍ରହ ରହିଛି । ତୁରନ୍ତ ଉଲଗ୍ନ ଭିଡ଼ିଓ କଲ୍‌ର ଅଫର୍‌ ଆସୁଛି । ଯଦି ସେଥିରେ ବି ରାଜି ହେଉଛନ୍ତି ତେବେ ସେପଟରୁ ଜଣେ ଝିଅ ଭିଡିଓ କଲ୍‌ କରି ଲୋକର ଆଗ୍ରହ ବଢ଼ାଇବାକୁ ଚେଷ୍ଟା କରୁଛି । ତେବେ ଏହି ସମୟରେ ସେମାନେ ‘ପ୍ରି-ଏଡିଟେଡ୍‌ ଭିଡିଓ’ ବ୍ୟବହାର କରୁଛନ୍ତି । ଅର୍ଥାତ୍‌ ଏ ଭିଡିିଓଟି ସେମାନେ ସୁଟିଂ କରି ବାରମ୍ବାର ଅନ୍ୟ ଲୋକଙ୍କ କ୍ଷେତ୍ରରେ ବ୍ୟବହାର କରିଆସିଛନ୍ତି । ତେବେ ଏହି ଭିଡିଓଟି ଦେଖି ଭିଡିିଓ କଲ୍‌ର ଏପଟରେ ଥିବା ଲୋକଟି ଉଲଗ୍ନ ହେଲେ କିମ୍ବା କୌଣସି ପ୍ରକାର ର ଶାରୀରିକ କ୍ରିୟା କରିବାକୁ ଚେଷ୍ଟା କଲେ ସେ ସବୁର ଅନ୍‌ସ୍କ୍ରିନ୍‌ ରେକର୍ଡିଂ କରାଯାଉଛି । ତେବେ ଭିଡିଓ କଲ୍‌ କାଟିବାର କିଛି ସମୟ ବାଦ୍‌ ଅଚାନକ ସମ୍ପୃକ୍ତ ଆକାଉଣ୍ଟ୍‌ ରୁ ଅନ୍‌ସ୍କ୍ରିନ୍‌ ରେକର୍ଡିଂ କରାଯାଇଥିବା ଭିଡିିଓକୁ ପଠାଯିବା ସହ ବ୍ଲାକ୍‌ମେଲ୍‌ କରାଯାଉଛି । ହଜାର ହଜାର ଟଙ୍କା ଡିମାଣ୍ଡ୍‌ କରାଯାଉଛି । ଯଦି ଟଙ୍କା ଦେବାରେ କୌଣସି ପ୍ରକାର ର ଅବହେଳା ହେଉଛି ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ଥିବା ବନ୍ଧୁମାନଙ୍କୁ ସେହି ଭିଡିଓକୁ ପଠାଇ ଦିଆଯାଉଛି । ଯାହାଫଳରେ ଲୋକଲଜ୍ଜା ଯୋଗୁଁ ସମ୍ପୃକ୍ତ ବ୍ୟକ୍ତି ସଜହରେ ବ୍ଲାକ୍‌ମେଲ୍‌ର ଶିକାର ହେଉଛନ୍ତି । ଫେସ୍‌ବୁକ୍‌ରେ ଏଭଳି ଫେକ୍‌ ଆକାଉଣ୍ଟ୍‌ ଓ ବ୍ଲାକ୍‌ମେଲ୍‌ ସମ୍ପର୍କରେ ଯୁବଗୋଷ୍ଠୀ କିଛି ମାତ୍ରାରେ ସଚେତନ ହେଲେଣି । ତେଣୁ ସାଇବର୍‌ ଅପରାଧୀ ଏବେ ବୟସାଧିକ ଲୋକଙ୍କୁ ବେଶୀ ଶିକାର କରୁଛନ୍ତି । ସେମାନଙ୍କୁ ଫ୍ରେଣ୍ଡ୍‌ ଅନୁରୋଧ ପଠାଇ ଲୁଟୁଛନ୍ତି । ତେବେ ବୟସାଧିକ ବ୍ୟକ୍ତିମାନେ ଏ ସମ୍ପର୍କରେ ସଚେତନ ନ ଥିବା ବେଳେ ଅତି ସହଜରେ ସେମାନଙ୍କ ଜାଲରେ ପଡିଯାଉଛନ୍ତି । ଥରଟିଏ ଭିଡିଓ ରେକର୍ଡିଂ ହେଲେ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ମାଗୁଥିବା ଟଙ୍କା ପଠାଉଛନ୍ତି । ତେବେ ଏହି ବ୍ୟକ୍ତିମାନେ ସତର୍କ ରହିବା ଦରକାର ବୋଲି ସାଇବର୍‌ ବିଶେଷଜ୍ଞ ଓ ପୁଲିସ୍‌ ପ୍ରଶାସନ ପକ୍ଷରୁ କୁହାଯାଉଛି । ଫେସ୍‌ବୁକ୍‌ରେ ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବା ପୂର୍ବରୁ ବାରମ୍ବାର ଯାଞ୍ଚ୍‌ କରିବାକୁ ଅନୁରୋଧ କରାଯାଇଛି । ଏହାଛଡ଼ା କୌଣସି ପ୍ରକାରର ଭିଡିଓ କଲ୍‌ ନ କରିବାକୁ ପରାମର୍ଶ ଦିଆଯାଇଛି । ଆମର ହସ୍ତଗତ ହୋଇ ଥିବା ତଥ୍ୟ ଅନୁସାରେ ବେଲଗୁଣ୍ଠା ର 6 ଜଣ ଯୁବ ବେବସାୟୀ ଓ ଭଞ୍ଜନଗର ଅଞ୍ଚଳର 4 ବେବସାୟୀଙ୍କ ସମେତ 9 ଜନ ବ୍ୟକ୍ତି ଏହି ମାୟାବିନିଙ୍କ ଶିକାର ହୋଇ ଲକ୍ଷାଧିକ ଟଙ୍କା ଦେଇଥିବା ବେଳେ ଏବେବି ସେହି ମାୟାବିନିଙ୍କ ଫୋନ ଆସିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ