ମା ଅଷ୍ଟଭୁଜା ଦୂର୍ଗାଙ୍କ ନିଆରା ଷୋଳ ପୂଜା
ନିମାପଡ଼ା,(ସନ୍ତୋଷ କୁମାର ଦାଶ):ଗତ ମୂଳାଷ୍ଟମୀ ତିଥି ଠାରୁ ପ୍ରାଚୀ ଉପତ୍ୟକା ରେ ଥିବା ସମସ୍ତ ଶକ୍ତି ପୀଠ ମାନଙ୍କ ରେ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହିତ ଚାଲିଛି। ଶାରଦୀୟ ପାର୍ବଣ ପୂଜା ସମୟ ରେ ଦେବୀ ମାନଙ୍କୁ ଆମିଷ ଭୋଗ ଲାଗି ହେବାର ପରମ୍ପରା ରହିଛି। କିନ୍ତୁ ନିକଟସ୍ଥ ପିତାପଡ଼ା ଗ୍ରାମ ର ଅଙ୍ଗେଶ୍ୱର ଶମ୍ଭୁ ପୀଠ ପରିସର ରେ ପୂଜା ପାଇ ଆସୁଥିବା ଅଷ୍ଟଭୁଜା ଦୂର୍ଗା ଙ୍କ ନିକଟରେ ଶାରଦୀୟ ପାର୍ବଣ ପୂଜା ରେ ଆମିଷ ଭୋଗ ବଦଳରେ ନିରାମିଷ ଭୋଗ ଲାଗି କରାଯାଉଛି। ମା ଙ୍କ ପୂଜକ ଦେବେନ୍ଦ୍ର କୁମାର ଦୀକ୍ଷିତ ଙ୍କ କହିବା କଥା ଯେହେତୁ ମା ଦୂର୍ଗା ଶମ୍ଭୁ ପୀଠ ପରିସର ରେ ରହିଛନ୍ତି ସେହେତୁ ମା ଙ୍କ ନିକଟରେ ଶାରଦୀୟ ପାର୍ବଣ ପୂଜା ରେ ବି ନିରାମିଷ ଭୋଗ ଲାଗି କରାଯାଉଛି।ପ୍ରାତଃ ରେ ମା ଙ୍କୁ ବାଳ ଭୋଗ, ମଧ୍ୟାହ୍ନ ରେ ଅନ୍ନ, ଡ଼ାଲମା, ଖଟା, କ୍ଷୀରି ଭୋଗ, ସନ୍ଧ୍ୟା ରେ ପୁନଃ ବାଳ ଭୋଗ ଲାଗି କରା ଯାଉଛି। ଗ୍ରାମବାସୀ ଓ ପୂଜକ ଙ୍କ ପରିବାର ପକ୍ଷରୁ ପ୍ରତିଦିନ ପାର୍ବଣ ଅନ୍ନ ଭୋଗ ଲାଗି କରାଯାଉଛି।ମହାଷ୍ଟମୀ ଦିନ ସମୂହ ଗ୍ରାମବାସୀ ଙ୍କ ପକ୍ଷରୁ ଜନ୍ତାଳ ଭୋଜି କରାଯାଇ ଥାଏ।ପଞ୍ଚମୀ ଠାରୁ ମହାଷ୍ଟମୀ ପର୍ୟ୍ୟନ୍ତ ମା ଙ୍କ ସମ୍ମୁଖ ରେ ସପ୍ତସତୀ ଚଣ୍ଡୀ ପାଠ କରାଯିବାର ପରମ୍ପରା ରହିଛି। ଦଶହରା ବା ବିଜୟା ଦଶମୀ ଦିନ ଗ୍ରାମବାସୀ ମାନେ ମିଳିତ ଭାବେ ମା ଙ୍କୁ ନବବସ୍ତ୍ର ପରିଧାନ କରାଇ ଫଳ,ମୂଳ, ଚୁଡ଼ା ଘସା ଭୋଗ ଲାଗି କରିଥାନ୍ତି। ଶାରଦୀୟ ପାର୍ବଣ ପୂଜା ପାଇଁ ପିତାପଡା ର ଅଙ୍ଗେଶ୍ୱର ମନ୍ଦିର ରେ
ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।