ମା ଗଡ଼ଚଣ୍ଡି ପୀଠରେ ମେଲିଛି ବଣ ଭୋଜିର ଆସର, ପର୍ଯ୍ୟଟନ ବିଭାଗର ଅଣଦେଖାକୁ ନେଇ ଅସନ୍ତୋଷ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ପର୍ଯ୍ୟଟକ ମାନଙ୍କ ଆଗମନରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଗଡଚଣ୍ଡୀ ପୀଠ ଚଳ ଚଞ୍ଚଳ ହୋଇ ଉଠିଛି । ହାଟଡିହି ବ୍ଲକର ଏହି ପର୍ଯ୍ୟଟନ କ୍ଷେତ୍ରଟି ବଣଭୋଜି ପାଇଁ ପ୍ରସିଦ୍ଧି ଲାଭ କରିଥିବାବେଳେ ପର୍ଯ୍ୟଟନ ବିଭାଗର ଅଣଦେଖା ଯୋଗୁଁ ଏହାର ବିକାଶ ସମ୍ଭବ ହୋଇପାରୁନି । ଯାହା ଫଳରେକି ପର୍ଯ୍ୟଟକଙ୍କ ସଖ୍ୟା ବଢ଼ିପାରୁନି । ଏବେ ଠାରୁ ସୁଦୁର ପଶ୍ଚିମବଙ୍ଗ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଶହଶହ ପର୍ଯ୍ୟଟକ ଏଠାରେ ଭିଡ ଜମାଇଲେଣି ।
କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଳକର ଛେନାପଦି ହଦଗଡ଼ ରାସ୍ତାର ଛେନାପଦି ଠାରୁ ୬କିଲୋମିଟର ଓ ସୁନ୍ଦରାପାଳା ଛକ ଠାରୁ ୨.୫କିମି ଦୁର ବଉଳା ପାହାଡ଼ ପାଦଦେଶରେ ମା ଗଡ଼ଚଣ୍ଡି ପୀଠ । ଏହି ପୀଠରେ ପାଦଦେଶରେ ବହିଯାଇଛି ଏକ ଝରଣା । ଚାରିପଟ ପାହାଡ଼ର ସୌନ୍ଦର୍ଯ୍ୟ ଓ ଗୁମ୍ପା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ । ପୁର୍ବରୁ ଥିବା ବୃହତ ଝରଣାଟି ୯୯ମହାବାତ୍ୟାରେ ପୋତି ହୋଇଯିବା ପରେ ଏହା ସଙ୍କର୍ଣ୍ଣ ହୋଇଯାଇଥିଲେବି ପଥର ମଝିରେ ଝରଣାର କୁଳୁ କୁଳୁ ଶବ୍ଦ ଦୂର ଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି । ଉକ୍ତ ସ୍ଥାନଟି ବର୍ଷ ତମାମ ଥଣ୍ଡା ରହିଥିବା ବେଳେ ଖରାର ପ୍ରକୋପ ସେଠାରେ ପଡ଼େ ନାହିଁ । ସେଠାରେ ଏବେ ଶହଶହ ମାଙ୍କଡ଼ ପର୍ଯ୍ୟଟକ ମାନଙ୍କ ନିକଟରୁ ଖାଦ୍ୟ ଖାଇବା ପାଇଁ ଚାରିପାଟେ ଘୁରିବୁଲୁ ଥାନ୍ତି । । ପର୍ଯ୍ୟଟକ ମାନେ ମଧ୍ୟ ମାଙ୍କଡ଼ ମାନଙ୍କୁ ବିଭିନ୍ନ ଖାଦ୍ୟ ଦେଇ ଖୁସି ହୋଇଥାନ୍ତି । ପୀଠରେ ମା ଗଡ଼ଚଣ୍ଡିଙ୍କ ମନ୍ଦିର ଶୋଭା ପାଉଛି । ଏହି ମନ୍ଦିରରେ ଯୁବ ପରିଷଦ ପକ୍ଷରୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ ପ୍ରତିବର୍ଷ ଡ଼ିସେମ୍ବର, ଜାନୁୟାରୀ, ମକର ଏବଂ ଦୁର୍ଗାପୂଜା ସମୟରେ ହଜାର ହଜାର ଭକ୍ତ ଏବଂ ପର୍ଯ୍ୟଟକ ସେଠାରେ ସମାଗମ ହୋଇଥାଏ । ଗଡଚଣ୍ଡୀ ଯୁବ ପରିଷଦ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା କରାଯାଇଥାଏ । ପରିଷଦ ପକ୍ଷରୁ ପୀଠ ସ୍ଥଳୀର ଚାରିପଟ ଏବଂ ରାସ୍ତାର ଦୁଇ ପାଶ୍ୱାର୍କୁ ସଫା ସୁତୁରା କରାଯିବା ସହିତ ପର୍ଯ୍ୟଟକ ମାନଙ୍କ ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଥାଏ । ଯାହା ଫଳରେ ପୀଠର ୫୦୦ ମିଟର ପର୍ଯ୍ୟନ୍ତ ସଫା ସୁତୁରା ରହିଥାଏ ।
ଗଡଚଣ୍ଡୀ ପୀଠ ତଳେ ଥିବା ଜଙ୍ଗଲ ଏବଂ ରାସ୍ତାର ଦୁଇ ପାଶ୍ୱର୍ରେ ବଣ ଭୋଜିର ଆସର ମେଲିଥାଏ । କମିଟି ପକ୍ଷରୁ ଏଭଳି ସୁବିଧା ସୁଯୋଗ ସୃଷ୍ଟି କରାଯାଇଥିବାରୁ ଡ଼ିସେମ୍ବର ଓ ଜାନୁୟାରୀ ମାସରେ ହଜାର ହଜାର ପର୍ଯ୍ୟଟକ ସେଠାରେ ପହଞ୍ଚି ମା ଗଡ଼ଚଣ୍ଡିଙ୍କ ପୀଠରେ ଦର୍ଶନ କରି ଭୋଗ କରିଥାନ୍ତି । ପୀଠର ଉପର ପାହାଡ଼ରେ ବିଭିନ୍ନ ଗୁମ୍ଫା ରହିଛି । ସେଠାରେ ମଧ୍ୟ ବହୁ ପର୍ଯ୍ୟଟକ ଗୁମ୍ପା ଭିତରେ ବସି କିଛି ସମୟ ଖୁସିରେ କାଟିଥାନ୍ତି । ୧୯୯୮ ମସିହାରୁ ଉକ୍ତ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା କରାଯାଇଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଅନୁଦାନ ଯୋଗାଇ ଦିଆଯାଇ ନାହିଁ । କେବଳ ଏକ ସାଇନବୋର୍ଡ ଲଗାଇ ପର୍ଯ୍ୟଟକ ବିଭାଗ ତାର କାମ ସାରିଦେଇଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବାବେଳେ ଏଠାରେ ପାନୀୟ ଜଳର ଘୋର ଅଭାବ ପରିଲକ୍ଷିତ ହୁଏ । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଗୋଟି ନଳକୂପ ସ୍ଥାପନ କରାଯାଇଥିଲେ ମଧ୍ୟ ସେଥିରୁ ଆଇରନ ମିଶା ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇ ନପାରି ବନ୍ଦ ହୋଇଯାଇଛି । ଏବେ ପରିଷଦ ପକ୍ଷରୁ ଲୋକମାନଙ୍କୁ ଟ୍ୟାପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ସେହିପରି ଏଠରେ ଶୌଚାଳୟ ନଥିବାରୁ ପର୍ଯ୍ୟଟକ ମାନେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି । ବନ ବିଭାଗ ପକ୍ଷରୁ ସେଠାରେ ଏକ ଗେଷ୍ଟ ହାଉସ୍ ନିର୍ମାଣ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ ପୀଠର ଉନ୍ନତି ପାଇଁ କୌଣସି ସହଯୋଗର ହାତ ବଢ଼ାଇ ନାହାନ୍ତି । ବହୁ ଦାବିପରେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୁନ୍ଦରାପାଳ ଛକ ଠାରୁ ଗଡ଼ଚଣ୍ଡି ପୀଠ ପର୍ଯ୍ୟନ୍ତ ପିଚୁ ରାସ୍ତା ସମ୍ପୁର୍ଣ୍ଣ ହୋଇଛି । କମିଟି ଦ୍ୱାରା ପୀଠ ସ୍ଥଳିଟିକୁ ସ୍ୱଚ୍ଛତା ବଜାୟ ରଖିବା ସହିତ ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ଓ ଦାଇତ୍ୱ ବାନ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠ ସ୍ଥଳିର ଉନ୍ନତି କରଣ କରାଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ସହିତ ପାନୀୟ ଜଳର ବ୍ୟବସ୍ଥା ଓ ପର୍ଯ୍ୟଟନ ସ୍ଥଳୀକୁ ଉନ୍ନତି କରଣ କରିବା ସହିତ ଉଜ୍ଜ୍ୱଳ ଲାଇଟ୍ ବ୍ୟବସ୍ଥା କରିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି ।