ମା ତାରା ତାରୀଣୀଙ୍କ ପ୍ରଥମ ଚୈତ୍ର ମଙ୍ଗଳବାର ଯାତ୍ରରେ ଭିଡ
ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ତଥା ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ତାରା ତାରିଣୀଙ୍କ ପ୍ରଥମ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଯାଇଛି । ପୁରୁଷୋତ୍ତମପୁର ନିକଟ ରୁଷିକୁଲ୍ୟା ନଦୀ ତଟସ୍ଥ ପର୍ବତ ଶିଖରବାସିନୀ ମାଁ ତାରାତାରିଣୀଙ୍କର ବାର୍ଷିକ ଚୈତ୍ର ଯାତ୍ରା ପ୍ରଥମ ମଙ୍ଗଳବାରରେ ଲକ୍ଷାଧିକ ଶ୍ରଦ୍ଧାଳୁ ମାଁଙ୍କୁ ଦର୍ଶନ କରିବା ଓ ମାନସିକ ଚୁଟି ପକାଇବା ସହ ଭୋଗ ରୋଷେଇ କରି ମାଁଙ୍କ ନିକଟରେ ପୁଜାର୍ଚ୍ଚନା କରିବା ସହ ସେବନ କରିବାର ଦେଖିବାକୁ ମିଳିଥିଲା । ଦୁରଦୁରାନ୍ତରରୁ ଆସିଥିବା ଶ୍ରଦ୍ଧାଳୁମାନେ ସେମାନଙ୍କ ମାନସିକ ପୁର୍ଣ୍ଣ ହେବା ପରେ ମା ଙ୍କୁ ପୁଜାର୍ଚ୍ଚନା କରିଥିଲେ ।ବଢି ଭୋରରୁ ମାଙ୍କ ମାର୍ଜନା ପୁଜାର୍ଚ୍ଚନା ଆଳତୀ ରିତିନୀତି ଅନୁସାରେ ହୋଇଥିଲା । ଏହାପରେ ସାଧାରଣ ଭକ୍ତଙ୍କ ନିମନ୍ତେ ଦ୍ୱାର ଖୋଲାଯାଇଥିବା ବେଳେ ଦିନ ତମାମ ମନ୍ଦିରରେ ଭିଡ ଲାଗିରହିଥିଲା ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରଯାଇଥିଲା । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଚଳିତ ବର୍ଷ ମନ୍ଦିରରେ ସମ୍ପୁର୍ଣ୍ଣ ପଲିଥିନର ବ୍ୟବହାର ନିଷିଦ୍ଧ କରାଯାଇଥିବା ବେଳେ ପାନୀୟ ଜଳର ଅସୁବିଧାକୁ ଦ୍ୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିଚାଳନା କିମିଟି ସଭାପତି ତଥା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବଢି ଭୋରରୁ ମନ୍ଦିରରେ ଉପସ୍ଥିତ ରହି ମାଙ୍କୁ ଦର୍ଶନ କରି ପୁଜାର୍ଚ୍ଚନା କରିଥିଲେ । ଆଗାମୀ ଦିନ ହେବାକୁ ଥିବା ମଙ୍ଗଳବାର ଯାତ୍ରାରେ ଯାତ୍ରୀଙ୍କ ପର୍ବତ ଶିଖରକୁ ଯିବା ଆସିବା ନିମନ୍ତେ ମ୍ବତନ୍ତ୍ର ବସର ବ୍ୟବସ୍ଥା କରାଯିବା ସହ ମାଁଙ୍କ ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମନ୍ଦିର ପରିଚାଳନା କମିଟିର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା କହିଛନ୍ତି ।


