ମା ନାଗେଶ୍ଵରୀ ଜଙ୍ଗଲ ସୁରକ୍ଷା ସମିତି ପକ୍ଷରୁ ବାଲଡା ବକ୍ସାଇଟ୍ ଖଣି ଖନନକୁ ଘୋର ବିରୋଧ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ଚଳିତ ମାସ ଗତ ୬ ତାରିଖରେ ହୋଇଥିବା ବାଲଡା ଖଣି ଖନନ ଜନ ଶୁଣାଣୀକୁ ବାତିଲ କରିବାକୁ ମା ନାଗେଶ୍ଵର ଜଙ୍ଗଲ ସୁରକ୍ଷା ସମିତି ଓ କୋରାପୁଟିଆ ଜନ ସୁରକ୍ଷା ସଂଘ ପକ୍ଷରୁ ଘୋର ବିରୋଧ କରି ଏକ ବିରାଟ ବଡ଼ ଆନ୍ଦୋଳନ କରାଯାଇ ମାନ୍ୟବର ରାଷ୍ଟ୍ରପତି,ଓଡ଼ିଶା ରାଜ୍ୟପାଳ ଏବଂ ଭାରତ ସରକାରଙ୍କ ମାନ୍ୟବର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନନ୍ଦପୁର ତହସିଲଦାର ଶ୍ରୀମତୀ ପ୍ରଭାତୀ ଝଡିଆଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜନ ଶୁଣାଣୀ କରିବା ପାଇଁ ଅନୁସରଣ କରାଯିବାକୁ ଥିବା ଉପଯୁକ୍ତ ପ୍ରକ୍ରିୟା ଏବଂ କଳିଙ୍ଗ ଆଲୁମିନାଙ୍କ ଦ୍ବାରା ଦାଖଲ କରାଯାଇଥିବା ଜାଲିଆତି ପରିବେଶ ପ୍ରଭାଵ ଆକଳନ ରିପୋର୍ଟ ବିଷୟରେ ଲୋକଙ୍କ ଦ୍ବାରା ଉଠାଯାଇଥିବା କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଉପସ୍ଥିତ ଅଧିକାରୀ ସକ୍ଷମ ହୋଇ ନ ଥିଲେ ବୋଲି ମାଳି ପର୍ବତ ସୁରକ୍ଷା ସମିତି ର ସଭାପତି ବିଜୟ ଖିଲ କହିଛନ୍ତି।ଏହାପରେ ଲୋକଙ୍କ ଦ୍ବାରା ଜନ ଶୁଣାଣୀ ବର୍ଜନ କରାଯାଇଥିଲା ଏବଂ ଜନ ଶୁଣାଣୀରେ ଉପସ୍ଥିତ ଅଧିକାରୀ ମାନେ ବୈଠକ ନ କରି ସ୍ଥାନ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । କାରଣ ସମସ୍ତେ ପ୍ରତିବାଦରେ ବାହାରକୁ ଚାଲି ଯାଇଥିଲେ । ପ୍ରଭାବିତ ୫ ଗୋଟି ଗ୍ରାମ ପଞ୍ଚାୟତର ଲୋକମାନେ ଜନ ଶୁଣାଣୀ ବର୍ଜନ କରିଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେବା ଏବଂ ଲୋକମାନେ ଖୋଲାଖୋଲି ମତାମତ ରଖିବା ମିଥ୍ୟା ଘୋଷଣାର ସେ ତୀବ୍ର ନିନ୍ଦା କରିଥିଲେ। ଆମ୍ଭେମାନେ ଖଣି ଖନନ କରିବାକୁ ଦେବୁ ନାହିଁ ବୋଲି ସ୍ଥାନୀୟ ଅଧିବାସୀ ମାନେ ରୋକଠୋକ ପ୍ରକାଶ କରିଛନ୍ତି ।ଏହି ଆନ୍ଦୋଳନ ରେ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ଯୋଗ ଦେଇ ନାଗେଶ୍ଵରୀ ପାହାଡ଼ର ସୁରକ୍ଷା ମୋର ପ୍ରଥମ କର୍ତ୍ତବ୍ୟ ଏବଂ ଆଦାନୀ କମ୍ପାନୀ କୁ ବିରୋଧ କରି ବାଲଡା ବକ୍ସାଇଟ୍ ଖଣିଜ ସଂପଦକୁ କଦାଚିତ୍ ଖୋଳିବା ପାଇଁ କାହାକୁ ମଧ୍ୟ ସୂଯୋଗ ଦିଆଯିବ ନାହିଁ ଏବଂ ଏହି ପ୍ରସଙ୍ଗକୁ ନେଇ ସେ ବିଧାନସଭାରେ ଦାବି ଉପସ୍ଥାପନ କରିବି ବୋଲି କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଲୋକଶକ୍ତି ମଞ୍ଚର ଆବାହକ ପ୍ରଫୁଲ୍ଲ ସାମନ୍ତରାୟ,ସମାଜସେବୀ ଗୁପ୍ତେଶ୍ୱର ପାଣିଗ୍ରାହୀ ଉପସ୍ଥିତ ରହି ସେମାନଙ୍କ ସମର୍ଥନ ଜଣାଇଥିଲେ। ନାଗେଶ୍ଵର ଜଙ୍ଗଲ ସୁରକ୍ଷା ସମିତିର ସମ୍ପାଦିକା ବବିତା ଦୋରା, କୋରାପୁଟିଆ ଜନ ସୁରକ୍ଷା ସଂଘର ସଭାପତି ଦାସୀ ନନ୍ଦିବାଲି, କୋଡିଙ୍ଗାମାଳି ସୁରକ୍ଷା ମଞ୍ଚର ସଭାପତି କାହ୍ନୁ ଚରଣ କନ୍ଧପାନ ପ୍ରମୁଖଙ୍କ ଉପସ୍ଥିତ ସହ ହଜାର, ହଜାର ସଂଖ୍ୟକ ସ୍ଥାନୀୟଅଧିବାସୀମାନେ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ। ଆନ୍ଦୋଳନ ବେଳେ ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ ନନ୍ଦପୁର ଏସଡିପିଓ ଦେବେନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ନନ୍ଦପୁର ଥାନା ଅଧିକାରୀ ମମତା ପଣ୍ଡାଙ୍କ ତତ୍ବାବଧାନରେ ପୋଲିସ ସଦଳବଳଙ୍କ ସହ ୩ ଗୋଟି ପୋଲିସ୍ ପ୍ଲାଟୁନ ଫୋର୍ସ ନିୟୋଜିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ