ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆଉ ଦୁଇ ଦିନ ବୃଦ୍ଧି

ଗଞ୍ଜାମ, (ଅନିଲ କୁମାର): ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବଧିକୁ ଦୁଇ ଦିନ ବୃଦ୍ଧି କରିଛି ପ୍ରଶାସନ । ତଦନୁଯାୟୀ ସୋମବାର ରାତିରେ ଅସ୍ଥାୟୀ ମଣ୍ଡପରୁ ମନ୍ଦିରକୁ ମାଙ୍କ ପ୍ରତ୍ୟାବର୍ତନ ହେବ । ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବଧିକୁ ନେଇ ଚାଲିଥିବା ତର୍ଜମା ଶେଷରେ ନିଷ୍ପତି ଅନୁଯାୟୀ ମାଙ୍କ ଯାତ୍ରା ଅବଧି ପୂର୍ବରୁ ଆସନ୍ତା କାଲି ଶେଷ ହେବାକୁ ଥିବା ବେଳେ ଏହାକୁ ଆଉ ଦୁଇ ଦିନ ବୃଦ୍ଧି କରିଛି ପ୍ରଶାସନ । ଆସନ୍ତା ସୋମବାର ମଧ୍ୟ ରାତ୍ରରେ ଫେରିବେ । ନିୟମ ଅନୁଯାୟୀ ମା ବାପଘରୁ ଆସିବାର କୌଣସି ସଠିକ୍ ବାର ନଥିବା ବେଳେ ପ୍ରତ୍ୟାବର୍ତନ ବେଳେ ସୋମବାର ରାତି ଓ ମଙ୍ଗଳବାର ଭୋରରୁ ମନ୍ଦିରରେ ପ୍ରବେଶ କରିବାର ବିଧି ରହିଛି । ମଙ୍ଗଳବାର ଦିନ ମାଙ୍କ ବାର । ଏହି ଦିନ ମାଙ୍କ ପୂଜାର୍ଚ୍ଚନା କରିବା ସହ ମାନସିକ ବ୍ରତଧାରୀଙ୍କ ବ୍ରତ ପୂଜା ଅନୁଷ୍ଠିତ ହୋଇଥାଏ । ଏହା ସହ ସମସ୍ତ ଦେବୀ ମନ୍ଦିରରେ ବଳୀଭୋଗ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ । ମା ବୁଢ଼ୀ ଠାକୁରାଣୀ ବାପଘରକୁ ଯାତ୍ରା ବେଳେ ମନ୍ଦିରରେ ମାଙ୍କ ସହ ଥିବା ସମସ୍ତ ଚଣ୍ଡିଚାମୁଣ୍ଡା ଓ ଚଉଷଠି ଯୋଗିନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବାପଘରୁ ଆସିଥିବା ସମସ୍ତ ଭାର ପ୍ରଦାନ କରିବା ସହ ବଳୀ ଭୋଗ ଅର୍ପଣ କରାଯାଇଥାଏ । ଅନ୍ୟ ଦିନରେ ଯଦିଓ ବଳିଭୋଗ କରାଯାଏ, ତେବେ ମଙ୍ଗଳବାର ଦିନ ପୂଜାର୍ଚ୍ଚନା କଲେ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି । ସର୍ବଦା ମାଙ୍କ ପ୍ରତ୍ୟାବର୍ତନ ମଙ୍ଗଳବାରକୁ ଦେଖି ତିଥି ନିର୍ଣ୍ଣୟ କରାଯାଇଥାଏ । ଚଳିତ ବର୍ଷ କରୋନା ଯୋଗୁଁ ମାଙ୍କ ଆଗମନ ନେଇ ସିଦ୍ଧାନ୍ତୀ (ଜ୍ୟୋତିଷ) ଶୁଭ ବେଳା ପ୍ରଦାନ କରିଥିବା ବେଳେ ମାଙ୍କ ପ୍ରତ୍ୟାବର୍ତନ ପ୍ରଶାସନ ଉପରେ ନିର୍ଭର କରୁଥିବା ଯୋଗୁଁ ଶୁଭବେଳା ନିର୍ଣ୍ଣୟ କରାଯାଇନଥିଲା । ଏଥିନେଇ ସାଧାରଣ ଜନତା ମଧ୍ୟ ଦ୍ୱନ୍ଦରେ ରହିଥିଲେ । କଟକଣା ଯୋଗୁଁ ଚଳିତ ବର୍ଷ ବହୁ ବ୍ୟତିକ୍ରମ ହୋଇଥିବା ବେଳେ ମାଙ୍କ ପ୍ରତ୍ୟାବର୍ତନ ବେଳେ ମଧ୍ୟ କିଛି ସମସ୍ୟା ରହିପାରେ ବୋଲି ମନରେ ସନ୍ଦେହ ରହିଥିଲା । ହେଲେ ପରବର୍ତି ସମୟରେ ଯାତ୍ରା ପୁରୋଧା ଦୁର୍ଗାପ୍ରସାଦ ଦେଶି ବେହେରାଙ୍କ ଅନୁରୋଧ କ୍ରମେ ପ୍ରଶାସନ ପକ୍ଷରୁ ଯାତ୍ରା ଅବଧିକୁ ଦୁଇ ଦିନ ବୃଦ୍ଧି କରାଯିବା ସହିତ ଆସନ୍ତା ସୋମବାର ରାତିରେ ମାଙ୍କ ପ୍ରତ୍ୟାବର୍ତନ ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ବ୍ରହ୍ମପୁର ମହାନଗର ନିଗମ (ବିଏମସି) କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ