ମା’ ମଙ୍ଗଳାଙ୍କ ମଧୁ ପାର୍ବଣ ପୂଜାରମ୍ଭ

କାକଟପୁର (ଯୁଗାଦ୍ଧ ନ୍ୟୁଜ): କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ନିକଟରେ ତିନି ଦିନ ଧରି ମଧୁ ପାର୍ବଣ ତଥା ଶାରଦୀୟ ପୂଜା ଆଜିଠାରୁ ଆରମ୍ଭ ହୋଇଛି । ମହାସପ୍ତମୀ, ମହାଅଷ୍ଟମୀ ଏବଂ ମହାନବମୀ ତିନିଦିନ ଧରି ମା’ ମଙ୍ଗଳାଙ୍କ ନିକଟରେ ଷୋଡ଼ଶ ଉପଚାରରେ ମଧୁପାର୍ବଣ ପୂଜା ଅନୁଷ୍ଠିତ ହେବ । ଏହି ପାର୍ବଣର ପ୍ରଥମ ଦିବସରେ ୨.୪୭ମିନିଟରେ ମା’ଙ୍କ ସହସ୍ରା କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥିଲା । ଅନ୍ୟ ଦିନମାନଙ୍କରେ ମା’ଙ୍କ ସ୍ନାନକୁ ସର୍ବସାଧାରଣ ଦର୍ଶନ ନିମନ୍ତେ ଅନୁମତି ମିଳୁ ନଥିବା ବେଳେ, ଆଶ୍ୱିନ ଏବଂ ଚୈତ୍ର ମାସର ପାର୍ବଣ ପୂଜା ବେଳେ ମାଘ ସ୍ନାନକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ପହୁଡ଼ ଖୋଲା ରଖାଯାଇଥାଏ । ସହସ୍ରା କୁମ୍ଭାଭିଷେକ ପରେ ବସ୍ତ୍ରଲାଗି, ଅଳଙ୍କାର ଲାଗି, ଚନ୍ଦନ ଲାଗି ନୀତି ପରେ ସୂର୍ଯ୍ୟ ପୂଜା, ସିଂହ ପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ଅବକାଶ, ସକାଳ ଧୂପ, ଦ୍ୱୀପ୍ରହର ଧୂପ, ଭଅଣ୍ଡ ଅବକାଶ, ସନ୍ଧ୍ୟାରେ ସନ୍ଧ୍ୟାଆଳତୀ, ମଧ୍ୟ ରାତ୍ରରେ ରାତ୍ର ଧୂପ ଏବଂ ବ୍ରାହ୍ମମୂହୁର୍ତ୍ତରେ ମା’ଙ୍କ ବଡ ସିଂହାର ନୀତି ସମାପନ କରାଯାଇଥାଏ । ସପ୍ତମୀ ତିଥିରେ ମା’ କାତ୍ୟାୟନୀ ବେଶରେ ଦର୍ଶନ ଦେଉଥିବା ବେଳେ ଅଷ୍ଟମୀରେ ସିଂହବାହିନୀ, ନବମୀରେ ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ତିନିଦିନର ଏହି ମଧୁପାର୍ବଣ ପୂଜାରେ ରାଜ୍ୟର ବିଭିନ୍ନ ପୁର ପଲ୍ଲୀରୁ ହଜାର ହଜାର ଶ୍ରଦ୍ଧାଳୁ ଛୁଟି ଆସନ୍ତି ମା’ଙ୍କ ଆଶିଷ ଭିକ୍ଷା କରିବା ପାଇଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ