ମା ମଙ୍ଗଳାଙ୍କ ମନ୍ଦିରରେ ଶାରଦୀୟ ପାର୍ବଣ ପୂଜା

ସନ୍ତୋଷ କୁମାର ଦାଶ

ପୁରୀ ଜିଲ୍ଲାର କାକଟପୁର ମା ମଙ୍ଗଳାଙ୍କ ପାଇଁ ପ୍ରସିଦ୍ଧ। ମା ମଙ୍ଗଳା ରାଜ୍ୟର ପ୍ରସିଦ୍ଧ ଅଷ୍ଟଚଣ୍ଡୀଙ୍କ ମଧ୍ୟରୁ ଅନ୍ୟତମ ହୋଇ ଥିବାରୁ କାକଟପୁର ଏକ ପ୍ରମୁଖ ଶକ୍ତି ପୀଠ ଭାବେ ଜଣାଶୁଣା। ମା ମଙ୍ଗଳାଙ୍କ ମନ୍ଦିର ସହିତ ଜଗନ୍ନାଥ ସଂସ୍କୃତି ର ରହିଛି ନିବିଡ଼ ସମ୍ପର୍କ। ଲୋକ ବିଶ୍ଵାସ ରହିଛି ଯେ, ପ୍ରତିଦିନ ରାତି ରେ ମା ମଙ୍ଗଳା ଶ୍ରୀକ୍ଷେତ୍ର ଯାଇ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ଭଲ ମନ୍ଦ ବୁଝି ଆସିଥାନ୍ତି।ଚତୁର୍ଦ୍ଧାମୂର୍ତ୍ତି ଙ୍କ ନବ କଳେବର ଉତ୍ସବ ସମୟ ରେ ପୁରୀ ରୁ ଦଇତା ପତି ସେବକ ମାନେ ଆସି ମା ମଙ୍ଗଳା ଙ୍କ ନିକଟରେ ଦାରୁ ମାନଙ୍କ ଠିକଣା ଜାଣିବାକୁ ଗୁହାରିଆ ପଡ଼ିଥାନ୍ତି। ଏଣୁ ମା ମଙ୍ଗଳା ଙ୍କୁ ପରମ ବୈଷ୍ଣବୀ ଯୋଗମାୟା/ ମହାମାୟା ଜଗତ ଜନନୀ ବୋଲି ବିବେଚନା କରାଯାଇ ଆସୁଛି। ମଙ୍ଗଳା ପୀଠ ବୈଷ୍ଣବୀ ପୀଠ ର ମାନ୍ୟତା ପାଇଥିଲେ ମଧ୍ୟ ଆଶ୍ୱିନ ମାସ ରେ ତାଙ୍କୁ ଦୁର୍ଗତିନାସିନୀ ଦୁର୍ଗା ଭାବେ ବିବେଚନା କରାଯାଇ ଭକ୍ତି ଓ ନିଷ୍ଠାର ସହିତ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହୋଇଥାଏ। ମାତୃ ଭକ୍ତ ମାନଙ୍କ ମତରେ ଯେ ମଙ୍ଗଳା ସେ ଦୁର୍ଗା ସେ ହିଁ କାଳୀ। ସେ ହିଁ ଲକ୍ଷ୍ମୀ, ସେ ହିଁ ସରସ୍ଵତୀ, ସେ ହିଁ ପାର୍ବତୀ। ଆଶ୍ୱିନ ମାସ ମୂଳାଷ୍ଟମୀ ତିଥି ଠାରୁ ମା ମଙ୍ଗଳା ଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇ ବିଜୟା ଦଶମୀ/ଦଶହରା ଦିନ ଶେଷ ହୋଇଥାଏ। ମା ଙ୍କ ପୂଜା ପଣ୍ଡା କମଳ ଲୋଚନ ଦିକ୍ଷୀତ କୁହନ୍ତି ଯେ,ପ୍ରଥମ ଦିନ କଳସ ପୂଜା ଆରମ୍ଭ ହୋଇ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ।ପ୍ରତ୍ୟେକ ଦିନ ମା ଙ୍କ ସ୍ନାନ ମାର୍ଜଣା ସମୟ ରେ ମନ୍ଦିର କବାଟ ବନ୍ଦ ରହୁ ଥିବା ବେଳେ ଏହି ଦିନ କିନ୍ତୁ କବାଟ ଖୋଲା ରହେ। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାଙ୍କ ସ୍ନାନ ଓ ସମ୍ପୂର୍ଣ ଅବୟବ ଦେଖିବାର ସୌଭାଗ୍ୟ ପାଇଥାନ୍ତି। ସ୍ନାନ ପରେ ସୂର୍ଯ୍ୟ ପୂଜା,
ବଲ୍ଲଭ ନୀତି ଅନୁଷ୍ଠିତ ହୁଏ। ସଂଧ୍ୟା କୁ ସକାଳ ଧୂପ ଅନୁଷ୍ଠିତ ହୋଇ ଥାଏ। ପରେ ସଂଧ୍ୟା ଆଳତୀ, ପୁନଃ ସ୍ନାନ ମାର୍ଜଣା ନୀତି ଓ ମା ଙ୍କ ବେଶ ଅନୁଷ୍ଠିତ ହୋଇଥାଏ। ମାତୃ ଭକ୍ତ ମାନେ ମା ଙ୍କୁ ଦର୍ଶନ ଓ ପୁଜାର୍ଚ୍ଚନା କରିଥାନ୍ତି। ରାତି ପ୍ରାୟ ୩ ଟା ରେ ରାତ୍ର ଧୂପ ଓ ବଡ଼ ସିଂହାର ନୀତି କରାଯାଇ ମନ୍ଦିର ପହୁଡ଼ ପଡିଥାଏ।
ପ୍ରତିଦିନ ପ୍ରାତଃରେ ମନ୍ଦିର ପୁରୋହିତ ଙ୍କ ଦ୍ଵାରା ଜପ ଓ ମଧ୍ୟାର୍ଣ୍ଣ ରେ ସପ୍ତସତୀ ଚଣ୍ଡୀପାଠ ହୋଇ ଥାଏ। ମୂଳାଷ୍ଟମୀ ତିଥି ଠାରୁ ଚତୁର୍ଥୀ ତିଥି ପର୍ଯ୍ୟନ୍ତ ମାଙ୍କ ନାଲି ଓ କଳା କଲି ବେଶ ଅନୁଷ୍ଠିତ ହୋଇଥାଏ।
ଏହା ମା ଙ୍କର କୌଣସି ସ୍ୱତନ୍ତ୍ର ବେଶ ନୁହେଁ। ମା ଙ୍କ ପଛ ପଟେ ସୁନ୍ଦର ନାଲି ଓ କଳା ଧଡ଼ି ଥିବା ଶାଢ଼ୀ କୁ ସଜ୍ଜିତ କରାଯାଇଥାଏ। ମହିଷାସୁର କୁ ଦେବୀ ଦୂର୍ଗା ବଧ କରିବାକୁ ଯିବା ପୁର୍ବରୁ ଯେଉଁ ସବୁ କାର୍ଯ୍ୟ କରିଥିବା ଚଣ୍ଡୀ ପୁରାଣ ରେ ବର୍ଣ୍ଣନା କରା ଯାଇଛି ସେହି ଅନୁସାରେ ପଞ୍ଚମୀ ତିଥି ଠାରୁ ମା ମଙ୍ଗଳା ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରାଯାଇଥାଏ। ପଞ୍ଚମୀ ତିଥି ଠାରୁ ମହାଷ୍ଟମୀ ଦିନ ପର୍ଯ୍ୟନ୍ତ ବିଳମ୍ବିତ ରାତିରେ ମା ଙ୍କ ଚଳନ୍ତି ପ୍ରତିମା ଙ୍କୁ ଏକ ସୁସଜ୍ଜିତ ବିମାନ ରେ ପାର୍ବଣ ମଣ୍ଡପ କୁ ନିଆ ଯାଇ ରତ୍ନଗିରି ବିଜେ ନୀତି ଅନୁଷ୍ଠିତ କରା ଯାଇଥାଏ। ଏହାକୁ ମା ଙ୍କ ଭ୍ରମଣ ନୀତି ବୋଲି କୁହା ଯାଇ ଥାଏ। ବିଶ୍ଵାସ ରହିଛି ଯେ ମା ମହିଷାସୁର କୁ ଠାବ କରିବାକୁ ଭ୍ରମଣ କରିଥାନ୍ତି।ଅମାବାସ୍ୟା ପର ଦିନ ମା ଙ୍କୁ ପାଦପଦ୍ମ (କାଠ ରେ ତିଆରି ଗୋଡ଼) ଲାଗି ହୋଇଥାଏ।ପଞ୍ଚମୀ ତିଥି ରେ ମା ଙ୍କୁ ତୀରକମାଣ ବା ରଘୁନାଥ ବେଶ ରେ ସଜ୍ଜିତ କରାଯାଇଥାଏ। ପାଦପଦ୍ମ ଲାଗି ସହିତ ମା ଙ୍କ ହାତ ରେ ଧନୁ, ତୀର, କମାଣ ଆଦି ଅସ୍ତ୍ରଶସ୍ତ୍ର ଲାଗି କରା ଯାଇଥାଏ। ଷଷ୍ଠୀ ତିଥି ରେ ମା ଙ୍କ କାତି ଖର୍ପର ବେଶ ଅନୁଷ୍ଠିତ ହୋଇଥାଏ। ପୁର୍ବରୁ ମାଙ୍କ ନିକଟରେ ଲାଗି ହୋଇଥିବା ଅସ୍ତ୍ର ଶସ୍ତ୍ର ସହିତ ଏକ ଖଣ୍ଡା (କାତି), ଖର୍ପର (ବର୍ଚ୍ଛା), ସରା (ରକ୍ତ ସଂଗ୍ରହ ପାତ୍ର) ଲାଗି କରା ଯାଇଥାଏ। ମହାସପ୍ତମୀ ତିଥି ରେ ମା ଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇ ଥାଏ। ପୂର୍ବରୁ ମା ଙ୍କ ନିକଟରେ ଲାଗି ହୋଇଥିବା ଅସ୍ତ୍ର ଶସ୍ତ୍ର ସହିତ ଏକ କାଠ ରେ ନିର୍ମିତ ସିଂହ କୁ ମା ଙ୍କ ନିକଟରେ ଏପରି ଲାଗି କରାଯାଏ ଯେ, ଲାଗେ ଯେପରି ମା ସିଂହ ଉପରେ ଉପବେଶନ କରିଛନ୍ତି। ମହିଷାସୁର ସହିତ ଯୁଦ୍ଧ ପୁର୍ବରୁ ମା ଦୂର୍ଗା ସିଂହ କୁ ବାହନ ରୂପେ ପାଇଥିଲେ। ସେଥିପାଇଁ ମା ମଙ୍ଗଳା ଙ୍କୁ ସିଂହ ବାହିନୀ ବେଶ ରେ ସଜ୍ଜିତ କରାଯାଇଥାଏ। ଶାରଦୀୟ ପାର୍ବଣ ପୂଜା ରେ ମା ଙ୍କ ଅନୁଷ୍ଠିତ ବେଶ ଗୁଡ଼ିକ ମଧ୍ୟରୁ ଏହି ବେଶ ପ୍ରସିଦ୍ଧ ଅଟେ। ଏହି ଦିନ ମାଙ୍କ ମନ୍ଦିର ରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳେ। ମହାଷ୍ଟମୀ ଦିନ ମା ଙ୍କୁ ମହିଷାମର୍ଦ୍ଦିନୀ ବେଶ ରେ ସଜ୍ଜିତ କରାଯାଇଥାଏ। କାଠ ଓ ମାଟି ରେ ନିର୍ମିତ ମହିଷାସୁର କୁ ମା ଙ୍କ ପାଦତଳେ ବାମ ପାର୍ଶ୍ୱରେ ସଜ୍ଜିତ କରାଯାଇ ମା ଙ୍କ ହାତରେ ଏକ ତ୍ରିଶୂଳ କୁ ଏପରି ଲାଗି ହୋଇଥାଏ ଯେ, ତ୍ରିଶୂଳ ଟି ମହିଷାସୁର ର ବକ୍ଷ ( ଛାତି) ଭେଦ କରିଛି। ଏହି ବେଶ ରେ ମା ଙ୍କ ଶାନ୍ତ ସରଳ ଆଖି ଦ୍ବୟ ନାଲି ପଡ଼ି ଭୟଙ୍କର ଦେଖାଯାଏ।
ବିଳମ୍ବିତ ରାତିରେ ସନ୍ଧି ପୂଜା ଓ କୁଷ୍ମାଣ୍ଡ ବଳି ନୀତି ଅନୁଷ୍ଠିତ ହୋଇ ଥାଏ। ଅତୀତ ରେ ମା ଙ୍କ ସମ୍ମୁଖ ରେ ମହିଷ ( ମଇଁଷି) ବଳି ଦିଆ ଯାଉଥିଲା କିନ୍ତୁ ଏବେ ଆଉ ସେ ପ୍ରଥା ନାହିଁ। କୁଷ୍ମାଣ୍ଡ ବଳି ଦିଆ ଯାଉଛି। ମହା ନବମୀ ତିଥି ରେ ମା ଙ୍କ ଉଗ୍ର ରୂପ କୁ ଶାନ୍ତ କରିବାକୁ ଶାନ୍ତି ପୂଜା ଓ ମା ଙ୍କ ଶାନ୍ତି ବେଶ ଅନୁଷ୍ଠିତ ହୋଇଥାଏ। ବର୍ଷକ ମଧ୍ୟରେ ଏହି ଦିନ କେବଳ ମା ଙ୍କୁ ନାଲି ରଙ୍ଗର ମନ୍ଦାର ବଦଳରେ ଧଳା ରଙ୍ଗର ମନ୍ଦାର ଓ ଫୁଲ ଲାଗି ହେଉଥିବା ବେଳେ ମା ଙ୍କୁ ଧଳା ରଙ୍ଗର ଶାଢ଼ୀ ପିନ୍ଧା ଯାଇଥାଏ।
ମା ଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି କରାଯାଏ। ଦଶହରା ବା ବିଜୟା ଦଶମୀ ଦିନ ମା ଙ୍କ ଚଳନ୍ତି ପ୍ରତିମା ଙ୍କୁ ସୁସଜ୍ଜିତ ବିମାନରେ ରଙ୍ଗୀନ ଆଲୋକ, ବାଦ୍ୟ ଓ ଆତସବାଜି ର ପଟୁଆର ରେ ନିକଟସ୍ଥ ସମେଶ୍ୱର ଶମ୍ଭୁ ମନ୍ଦିର କୁ ନିଆଯାଇ ସେଠାରେ ହର ଦୂର୍ଗା ଭେଟ ନୀତି ଅନୁଷ୍ଠିତ ହୋଇଥାଏ।
ଏମିତି ଭାବେ ମୂଳାଷ୍ଟମୀ ତିଥି ଠାରୁ ଆରମ୍ଭ ହୋଇଥିବା ମା ମଙ୍ଗଳାଙ୍କ ଶାରଦୀୟ ପାର୍ବଣ ପୂଜାର ପରି ସମାପ୍ତି ଘଟିଥାଏ.

ତୁଳସୀପୁର, ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ