ମା ମଙ୍ଗଳା ଙ୍କ ପୀଠ ର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଅନୁମୋଦିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ପୀଠ ର ଉନ୍ନତି ପାଇଁ ସରକାର ଙ୍କ ପକ୍ଷରୁ ପ୍ରସ୍ତୁତ ମାଷ୍ଟର ପ୍ଲାନ କୁ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଜଣା ପଡ଼ିବାପରେ ସମଗ୍ର କାକଟପୁର ନିର୍ବାଚନମଣ୍ଡଳୀ ରେ ଆନନ୍ଦ ର ଲହରୀ ଖେଳି ଯାଇଛି। ମା ମଙ୍ଗଳା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମା ମଙ୍ଗଳା ଙ୍କ ସହିତ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ସଂସ୍କୃତି ସହ ରହିଛି ଘନିଷ୍ଠ ସଂପର୍କ । ନବକଳେବର ସମୟରେ ଦଇତାପତି ସେବକମାନେ ମା ଙ୍କ ଆଜ୍ଞା ଓ ନିର୍ଦ୍ଦେଶ କ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି। ଚୈତ୍ର ମାସରେ ଝାମୁଯାତ୍ରା ମାଙ୍କ ପ୍ରସିଦ୍ଧ ପର୍ବ । ଫାଇଭ ଟି ଉପକ୍ରମରେ ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନ ରେ ମନ୍ଦିରରେ ଖାଣ୍ଡେଲାଇଟ ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ । ଏହା ସହିତ ସେବାୟତ ଭବନ, ଭୋଗ ଦୋକାନ, ପ୍ରାଚୀ ନଦୀ କୂଳରେ ମୁଣ୍ଡନ କିଓସ୍କ, ଚନ୍ଦନଘାଟ ର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ । ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ ଦ୍ୱାର ନିର୍ମାଣ କରାଯିବ । ଯାତ୍ରୀମାନଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକୀକରଣ ଓ ବୃକ୍ଷରୋପଣ କରାଯିବା ସହିତ ପାର୍କିଙ୍ଗ ସ୍ଥଳର ମଧ୍ୟ ବିକାଶ କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ୧୨ ମାସ ମଧ୍ୟରେ ଏହି ସବୁ କାର୍ଯ୍ୟ କୁ ସଂପୁର୍ଣ୍ଣ କରିବ । ଗତ ଡିସେମ୍ବର ୨୪ ତାରିଖ ରେ ଫାଇଭ ଟି ସଚିବ ଭି କେ ପାଣ୍ଡିଆନ କାକଟପୁର ଆସି ମା ମଙ୍ଗଳା ଙ୍କ ମନ୍ଦିର ପରିଦର୍ଶନ କରି କି କି ଉନ୍ନୟନମୂଳକ କାର୍ଯ୍ୟ କରାଗଲେ ପୀଠ ଟି ସରସ ସୁନ୍ଦର ହୋଇ ପାରିବ ସେ ଦିଗରେ ଜିଲ୍ଲାପ୍ରଶାସନ,ମନ୍ଦିର ପ୍ରଶାସନ, ମା ଙ୍କ ସେବକ ମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ମାଷ୍ଟର ପ୍ଲାନ କୁ ଅନୁମୋଦନ କରିବା ସହିତ ଭିଡିଓ କନଫ୍ରେନ୍ସ ରେ ମା ଙ୍କ ସେବକ ମାନଙ୍କ ସହିତ ଆଲୋଚନା କରିଥିଲେ। ମା ଙ୍କ ସେବକ କମଳ ଲୋଚନ ଦିକ୍ଷୀତ, ପ୍ରଦୀପ ପଣ୍ଡା,ପ୍ରଦୀପ୍ତ କୁମାର ଦିକ୍ଷୀତ, ତୁଷାର ରଞ୍ଜନ ଦିକ୍ଷୀତ, ମାନସ କୁମାର ଦିକ୍ଷୀତ ପ୍ରମୁଖ ମୁଖ୍ୟମନ୍ତ୍ରୀ ଓ ଫାଇଭ ଟି ସଚିବ ଙ୍କୁ ଏଥିପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ