ମା’ ମାଟି ମାତୃଭାଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ !
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆମ ସରକାରଙ୍କ ଉଦାସୀନତା ତଥା ଆନ୍ଧ୍ର, ଝାଡ଼ଖଣ୍ଡ ସରକାରଙ୍କ ମାତୃଭାଷା ପ୍ରତି ଅସମ୍ମାନ ସ୍ୱାଭିମାନୀ ଓଡ଼ିଆଙ୍କୁ ବ୍ୟଥିତ କରିଛି । ଦୁଇ ସରକାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆମ ମାତୃଭାଷା ଓ ଭୂମି ଆଜି ଅସୁରକ୍ଷିତ । ଏହାର ପ୍ରତିବାଦ ସ୍ୱରୂପ ଭାଷା ଆନ୍ଦୋଳନ ପକ୍ଷରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତିସ୍ଥଳଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏକ ଅଭିନବ ପ୍ରତିବାଦ କରାଯାଇଥିଲା । ମାତୃଭୂମିର ସୁରକ୍ଷା, ମାତୃଭାଷାର ସୁରକ୍ଷା, ନଦୀ ସୁରକ୍ଷା ତଥା ବିଚ୍ଛିନ୍ନାଞ୍ଚଳରେ ଆମ ଓଡ଼ିଆମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ସମସ୍ୟା ଉପରେ ଗଭୀର ଭାବେ ସରକାର ଉକ୍ତ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଅଭିଯାନ ପକ୍ଷରୁ କୁହାଯାଇଥିଲା । ଆମ ମାତୃଭାଷା ଆଜି ଅସୁରକ୍ଷିତ । ସରକାରୀ ଉଦାସୀନତା, ରାଜନୈତିକ ଇଚ୍ଛାଶକ୍ତି ଓ ନିଷ୍ଠାର ଅଭାବ ତଥା ସ୍ଥାନୀୟ ପ୍ରଶାସନର ଭୁଲ ରଣନୀତି ପାଇଁ ପଡ଼ୋଶୀ ରାଜ୍ୟମାନେ ଆମ ଓଡ଼ିଆଙ୍କ ଉପରେ ହୁକୁମ୍ ଜାରି କରିବା ସହିତ ମନଇଚ୍ଛା କାର୍ଯ୍ୟ ଚଳାଇଛନ୍ତି । ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଚକ୍ରଧର ମହନ୍ତ, ସାରଦା ପ୍ରସାଦ ମହାପାତ୍ର, ନବ କିଶୋର ପ୍ରଧାନ, ନାରାୟଣ ଖୁଣ୍ଟିଆ, ନିରଞ୍ଜନ ସାହୁ, ଅଲେଖ ଜେନା, ଶିକ୍ଷାବିତ୍ ଡମ୍ବରୁଧର ହରଣ ସିଂହ, ନିର୍ମଳ ମିଶ୍ର, ଦାଶରଥୀ ଗୁମାନସିଂ, ସୂର୍ଯ୍ୟକାନ୍ତ ସ୍ୱାଇଁ, ଜଗଦୀଶ ପ୍ରଧାନ, ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ପ୍ରାଧ୍ୟାପକ ଡ. ଅସିତ ଦାସ ପ୍ରମୁଖ ଭାଷା ତୀର୍ଥରେ ମଧୁବାବୁଙ୍କ ପାଖରେ ପ୍ରତିବାଦ ଜଣାଇଥିଲେ । ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଜଣାଇଛନ୍ତି । ଭୂମିର ଓ ମାତୃଭାଷାର ସୁରକ୍ଷା, ସ୍ୱାଭିମାନ, ଓଡ଼ିଆରେ ଫଳକ ଲଗାଇବା, ଆମ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବା, ବିଚ୍ଛିନାଞ୍ଚଳରେ ଥିବା ସମୂହ ଓଡ଼ିଆଙ୍କ ସ୍ୱାର୍ଥରକ୍ଷା କରିବା ପ୍ରମୁଖ ଉପରେ ଜୋର ଦିଆଯାଇଥିଲା ।