ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ୧୩ ଦିନରେ ପହଂଚିଲା : ସହରରେ ଶୋଭାପାଉଛି କଳାକୁଞ୍ଜ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ବୁଧବାର ୧୩ ଦିନରେ ପହଂଚିଲା । ମାଙ୍କ ଯାତ୍ରା ନିମନ୍ତେ ସାରା ଛତ୍ରପୁର ସହର ଚଳ ଚଂଚଳ ହୋଇପଡିଛି । ଗତ ମେ ମାସ ୬ ତାରିଖ ଦିନ ମା ରାମାୟାଣାମ୍ମାଙ୍କୁ ଏକ ବିରାଟ ପଟୁଆରରେ ନୀଳକଣ୍ଠ ସାହି ସ୍ଥିତ ଅସ୍ଥାୟୀ ମଣ୍ଡପକୁ ପାଛୋଟି ଅଣାଯାଇଥିଲା । ପ୍ରତ୍ୟେକ ଦିନ ମା ରାମାୟାଣାମ୍ମା ଠାକୁରାଣୀ ସହରର ସାହି ସାହିକୁ ବୁଲି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଛତ୍ରପୁର ସହରର ବଡ ରେଡ୍ଡି ସାହି କୁ ଯାଇ ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ମା ରାମାୟାଣାମ୍ମାଙ୍କ ଯାତ୍ରା ପାଇଁ ସହର ମଧ୍ୟ ଭାଗରେ ବିଭିନ୍ନ ଅସ୍ଥାୟୀ କଳା କୁଞ୍ଜ ମାନ ପ୍ରତିଷ୍ଠା କରାଯାଇଛି । କେଉଁଠି ଲକ୍ଷ୍ମୀ ନାରାୟଣ ଅନନ୍ତ ନାଗ ଉପରେ ଶୟନ କରିଥିବା ମୂର୍ତ୍ତି ଶୋଭା ପାଉଥିବା ବେଳେ ଆଉ କେଉଁଠି ଶିବ ପାର୍ବତୀଙ୍କ କଳା କୁଞ୍ଜ ଶୋଭା ପାଉଛି । ସମସ୍ତ କାର୍ଯ୍ୟକ୍ରମକୁ ଯାତ୍ରା କମିଟିର ମ୍ୟାନେଜର କେ. ଚନ୍ଦ୍ର ଶେଖର ରେଡ୍ଡି (ଶେଖ) ପରିଚାଳନା କରୁଥିବା ବେଳେ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ସହଯୋଗ କରୁଛନ୍ତି । ଅନ୍ୟ ପଟେ ମାଙ୍କ ଘଟ ପରିକ୍ରମା ସମୟରେ ଟ୍ରାଫିକ ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନ ଓ ସହରର ବହୁ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଯାତ୍ରା ଆସନ୍ତା ଜୁନ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।


