ମା ରାମାୟାଣାମ୍ମାଙ୍କ ଠାକୁରାଣି ଯାତ୍ରା ୨୮ ଦିନରେ ଦିନକୁ ଦିନ ଅଧିକ ଜନ ଗହଳି ହେବାରେ ଲାଗିଛି ରାମ ଦୋଳି ଓ ମୀନା ବଜାର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଗୁରୁବାର ୨୮ ଦିନରେ ପହଂଚିଛି । ମାଙ୍କ ଯାତ୍ରା ଲାଗି ସାରା ସହର ଉତ୍ସବ ମୁଖର ହୋଇପଡିଥିବା ବେଳେ ମାଙ୍କୁ ଅସ୍ଥାୟୀ ମନ୍ଦିରରେ ଦର୍ଶନ କରିବା ଲାଗି ବହୁ ଶ୍ରଦ୍ଧାଳୁ ଭିଡ ଜମାଉଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ମା ରାମାୟାଣାମ୍ମାଙ୍କ ଘଟ ଅସ୍ଥାୟୀ ମନ୍ଦିରରୁ ବାହାରି ସାହି କୁ ସାହି ବୁଲି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରୁଛନ୍ତି । ମାଙ୍କ ଘଟ ପରିକ୍ରମା ବେଳେ ବିଭିନ୍ନ ପ୍ରକାର ଦେବାଦେବୀଙ୍କ କଣ୍ଢେଇ ନୃତ୍ୟ, ଆନ୍ଧ୍ରା କାଳୀ ନୃତ୍ୟ, କାଠପାଦ କାଳୀ ନୃତ୍ୟ, ଢେଙ୍କାନାଳର ସିଙ୍ଗ ବାଜା ଆଦି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ସେହିପରି ମାଙ୍କ ଏହି ଯାତ୍ରା ପାଇଁ ସହରର ଷ୍ଟେସନ ରୋଡ୍ ଠାରେ ଯାତ୍ରା କମିଟି ପକ୍ଷରୁ ରାମ ଦୋଳି ଓ ମୀନା ବଜାର ର ଆୟୋଜନ କରାଯାଇଛି । ପ୍ରତିଦିନ ସେଠାରେ ବହୁ ମାତ୍ରାରେ ଲୋକେ ଯାଇ ରାମ ଦୋଳି ଓ ମୀନା ବଜାର ର ଭରପୁର ମଜା ନେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଗୁରୁବାର ମା ରାମାୟାଣାମ୍ମାଙ୍କ ଘଟ ଅପର ବସଷ୍ଟାଣ୍ଡ ଅଂଚଳ ପରିକ୍ରମା କରିଥିଲା । ସେଠାରେ ଏମ୍. ନୀଳାଂଚଳ ସେନାପତି ମାଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିବା ସହ ରିତୀନିତୀ ଅନୁଯାୟୀ ଭୋଗ କରିଥିଲେ । ଶେଷରେ ମା ନିଜ ଅସ୍ଥାୟୀ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସୂଚନା ଥାଉ କି, ମାଙ୍କ ଏହି ଯାତ୍ରା ମେ ମାସ ୬ ତାରିଖରେ ଆରମ୍ଭ ହୋଇଥିବା ବେଳେ ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୭ ତାରିଖ ବିଳମ୍ବିତ ରାତ୍ରରେ ମା ରାମାୟାଣାମ୍ମା ବିରାଟ ବାଜା ପଟୁଆରରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।


