ମା ରାମାୟାଣାମ୍ମାଙ୍କ ଯାତ୍ରା ୧୯ ଦିନରେ ପହଂଚିଲା : ଆଲୋକମାଳାରେ ଝଲସୁଛି ସହର
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରାରେ ଦିନକୁ ଦିନ ଜନ ସମାଗମ ହେଉଥିବା ଦେଖିବାକୁ ମିଳିଥିବା ବେଳେ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହୋଇଛି । ମଙ୍ଗଳବାର ରାମାୟାଣାମ୍ମା ଠାକୁରାଣୀ ସହରର ଶଙ୍କରମଠ ସାହିକୁ ପରିକ୍ରମା କରି ଭକ୍ତଙ୍କ ଠାରୁ ଭୋଗ ଗ୍ରହଣ କରିଛନ୍ତି । ସାହି ବାସିନ୍ଦା ମାନେ ନିଜ ନିଜ ବନ୍ଧୁ ବାନ୍ଧବ ମାନଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିବା ସହ ଠାକୁରଙ୍କୁ ଦୀପ, ଧୂପ, ନୈବେଦ୍ୟ ଆଦି ଦେଇ ପୂଜାର୍ଚ୍ଚନା କରିବା ସହ ପଣା, ମୁଆଁ, ନଡିଆ, କଦଳୀ ଆଦି ଭୋଗ ଲଗାଇଥିଲେ । ଅନ୍ୟ ପକ୍ଷରେ ମାଙ୍କ ଯାତ୍ରା ଲାଗି ଛତ୍ରପୁର ସହର ଉତ୍ସବ ମୁଖର ହୋଇ ପଡିଥିବା ବେଳେ ସହରକୁ ବିଭିନ୍ନ ପ୍ରକାର ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ କଳାକୁଞ୍ଜ ମାନ ନିର୍ମାଣ କରାଯାଇଛି । ସହର ଆଖ ପାଖ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁ ମାନେ ଏହି କଳାକୁଞ୍ଜ ନିକଟରେ ଭିଡ ଜମାଇ ଥିବା ଦେଖିବାକୁ ମିଳିଛି । ସେହିପରି ମୀନାବଜାର, ରାମ ଦୋଳି ଆଦି ଷ୍ଟେସନ ରୋଡ୍ ସ୍ଥିତ ପୁରୁଣା ଆରଟିଓ ଅଫିସ୍ ପଡିଆ ଠାରେ ଆରମ୍ଭ ହୋଇଥିବା ବେଳେ ସେଠାରେ ମଧ୍ୟ ବହୁ ଜନ ଗହଳି ଦେଖିବାକୁ ମିଳିଛି । ମାଙ୍କ ଘଟ ପରିକ୍ରମା ବେଳେ ଆନ୍ଧ୍ରା କାଳୀ ନୃତ୍ୟ, ବାଘ ନାଚ, ବିଭିନ୍ନ ଦେବାଦେବୀଙ୍କ କଣ୍ଢେଇ ନାଚ, ଢେଙ୍କାନାଳର ସିଙ୍ଗ ବାଜା ଆଦି ମନଲୋଭା ହୋଇପାରିଛି ।


