ମା ଲକ୍ଷ୍ମୀଙ୍କ ସନ୍ତୁଷ୍ଟି ପାଇଁ କ୍ଷେତବଢ଼ା ପୂଜା

ସନ୍ତୋଷ କୁମାର ଦାଶ

ମାର୍ଗଶିର ମାସ ଶେଷ ସମୟ ଓ ପୌଷ ମାସର ଆରମ୍ଭ ସମୟ ବେଳକୁ ସାଧାରଣତଃ ଧାନକଟା ଆରମ୍ଭ ହେଇଥାଏ। ଧାନକଟା ପରେ କ୍ଷେତରେ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିବାକୁ ବିଭିନ୍ନ ଅଞ୍ଚଳ ରେ ଏକ ପର୍ବ ପାଳନ କରାଯାଏ ଯାହାକୁ କ୍ଷେତବଢ଼ା ପର୍ବ କୁହା ଯାଇଥାଏ। ଧାନ ଫସଲ କଟା ସମୟ ରେ କ୍ଷେତ ରେ ୨ ରୁ ୪ ବୁଦା ଧାନଗଛ ଛାଡି ଦିଆଯାଏ କ୍ଷେତବଢା ପୂଜା ପାଇଁ । ଧାନ କଟା ଯିବା ପରେ ଖଳାରେ ଆସି ଗଦା ମରାଯାଏ । ଆମେ ସମସ୍ତେ ଜାଣୁ ଧନୁ ସଂକ୍ରାନ୍ତି ରେ ଧନୁମୁଆଁ ବିଭିନ୍ନ ଦେବ ଦେବୀ ମାନଙ୍କୁ ଭୋଗ ଲାଗି ହୁଏ କିନ୍ତୁ କ୍ଷେତବଢା ପୂଜା ପାଇଁ ମଧ୍ୟ ମୁଆଁ ଭୋଗ ଲାଗି କରାଯାଏ । ପ୍ରଥମେ କ୍ଷେତରୁ ଖଳାକୁ ଆସିଥିବା ନୁଆ ଧାନ କୁ ଆଣି ଗୃହ ନାରୀ ମାନେ ମାଟି ହାଣ୍ଡି ରେ ଲିଆ ଭାଜନ୍ତି, ତାପରେ ଗୁଡ ପକାଇ ପାଗକରି ଉଖୁଡା ତିଆରି ହୁଏ ।ଏହାପରେ ଛୋଟ, ବଡ଼ ଆକାର ରେ ମୁଆଁ କରାଯାଏ । ଚାଷୀମାନେ ଚାଙ୍ଗୁଡିରେ ମୁଆଁ, ଫୁଲ, ଚନ୍ଦନ, ଧୂପ, ଦୀପ, ନେଇ ବିଲକୁ ଯାଆନ୍ତି । ବିଲରେ କଟା ବେଳେ ଛଡ଼ା ଯାଇଥିବା ଧାନ ଗଛ ମୂଳରେ ପଞ୍ଚୋପଚାରରେ ପୂଜା କରାଯାଏ। ଗନ୍ଧ ,ପୁଷ୍ପ , ଧୂପ, ଦୀପ , ନୈବେଦ୍ୟ ରେ ଫଳନ୍ତି ଧାନ ଗଛକୁ ମୁଆଁ ଭୋଗ କରାଯାଏ । ଧାନ କୁ ଆମ ଓଡ଼ିଆ ମାନେ ମହାଲକ୍ଷ୍ମୀ ବୋଲି ବିବେଚନା କରୁଥିବାରୁ ଭଲ ଧାନ ଫସଲ ଅମଳ ହେବାକୁ ଓ ପରିବାର କୁ ଆର୍ଥିକ ଅନାଟନ ରୁ ରକ୍ଷା କରିବାକୁ ଚାଷୀ ମାନେ ଏହି ପୂଜା କରିଥାନ୍ତି ବୋଲି ବିଶ୍ୱାସ ରହିଛି। ପୂଜା ପରେ ସେହିଠାରେ ବିଲରେ କାମ କରୁଥିବା ଚାଷି ଓ ବାଟରେ ଯାଉଥିବା ବାଟୋଇ ମାନଙ୍କୁ ପୂଜା ହୋଇଥିବା ମୁଆଁ ବଣ୍ଟାଯାଏ । ଓଡ଼ିଆ ଚାଷୀଙ୍କ ଘରେ ଏହା ଏକ ସୁନ୍ଦର ପରମ୍ପରା ଯାହା ଧିରେ ଧିରେ ହଜିଯିବାକୁ ବସିଲାଣି ଆଉ ଆଗଭଳି କ୍ଷେତ ବଢା ଦେଖିବାକୁ ମିଳୁନାହିଁ । ଆଧୁନିକ ଚାଷ ହେବା କାରଣରୁ ଆମ ପରମ୍ପରା ଲୋପ ହେବାକୁ ବସିଲାଣି ତଥାପି କିଛି ଲୋକଙ୍କ ପାଇଁ ଏ ପ୍ରଥାଟି ବଞ୍ଚିଛି । ସତରେ କୃଷି ତଥା କୃଷକର ଏ ପର୍ବଟି ଅତି ସୁନ୍ଦର।
ଜୟ ମା ଲକ୍ଷ୍ମୀ।

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ