ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ସମୂହ ବୃକ୍ଷରୋପଣ ଓ ସହୀଦ ସ୍ମୃତିସ୍ତମ୍ଭ ଶିଳାନ୍ୟାସ ଅନୁଷ୍ଠିତ ହେବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଆଜି ଶିଖରଚଣ୍ଡୀଙ୍କ ପୀଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତିର ଆବାହକ ସଚିନ ମହାପାତ୍ର, ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ଦାରୁଢେଙ୍ଗ ସରପଞ୍ଚ ଶ୍ରୀ ତପନ କୁମାର ଚକ୍ରବର୍ତ୍ତୀ କହିଲେ ଯେ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷର ସଂସ୍ଥାନଙ୍କ ଦ୍ୱାରା ଗବେଷଣାରୁ ଭୁବନେଶ୍ୱର ଶିଖରଚଣ୍ଡୀଙ୍କ ସମ୍ପର୍କରେ ଜଣାପଡ଼ିଛି ଯେ, ଏହି ପାହାଡ଼ ଉପରେ ଅବସ୍ଥିତ ମନ୍ଦିର ଓ ମା’ ମହିଷା ମର୍ଦ୍ଦିନୀଙ୍କ ମୂର୍ତ୍ତି ସପ୍ତମ ଶତାବ୍ଦୀର ଯାହାକି ୧୦୬୬-୬୭ ମସିହାର ବୋଲି ରିଭ୍ୟୁ ନିବନ୍ଧରେ ପ୍ରକାଶିତ ହୋଇଛି । ଏହି ମହିଷାମର୍ଦ୍ଦିନୀ ମୂର୍ତ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ମା’ ଶିଖରଚଣ୍ଡୀ ନାମରେ ପୂଜା ପାଉଛନ୍ତି । ଓଡ଼ିଶାର ଶୈଳଭବ ରାଜବଂଶ ଓ ଭୌମିକର ରାଜବଂଶର ଇଷ୍ଟଦେବୀ ହେଉଛନ୍ତି ମା’ ଶିଖରଚଣ୍ଡୀ । ପ୍ରାକୃତିକ ଜଙ୍ଗଲରେ ପରିପୂର୍ଣ୍ଣ ଶିଖରଚଣ୍ଡୀ ପାହାଡ଼ ହେଉଛି ବଣ୍ୟପ୍ରାଣୀ ମାନଙ୍କର ଚରାଭୂମି ଓ ଏହା ଏକ ଐତିହାସିକ ପୀଠସ୍ଥଳୀ । ଏଠି ପାଇକମାନେ ମା’ ଶିଖରଚଣ୍ଡୀଙ୍କ ଆଶୀର୍ବାଦ ନେଇ ବ୍ରିଟିଶମାନଙ୍କ ବିରୋଧରେ ସମର ଅଭ୍ୟାସ ସହ ଗରିଲା ଯୁଦ୍ଧ କରିଥିଲେ ଯାହା ଓଡ଼ିଶା ଇତିହାସରେ ଖୋର୍ଦ୍ଧା ଦର୍ପଣ ପୁସ୍ତକରେ ଲେଖାଅଛି । ବାସ୍ତବରେ ଏହା ଓଡ଼ିଶାର ବୀରତ୍ୱପୂର୍ଣ୍ଣ ଇତିହାସର ମୁକସାକ୍ଷୀ, ଜୈବ ବିବିଧତାର ପ୍ରାଣକେନ୍ଦ୍ର ଓ ଭୁବନେଶ୍ୱରର ଫୁସ୍‌ଫୁସ୍ । ତେଣୁ ଏହି ଶିଖରଚଣ୍ଡୀ ପାହାଡ଼କୁ ନଷ୍ଟ କରି ଏଠାରୁ ବୃକ୍ଷରାଜି କାଟି କୌଣସି ପରିସ୍ଥିତିରେ ପାଣିଟାଙ୍କି କରାଇ ଦିଆଯିବ ନାହିଁ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ସେମାନେ ଚେତାବନୀ ଦେଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ, ଗ୍ରୀନ ଟ୍ରିବୁନାଲରେ ଏହା ବିଚାରଧୀନ ଥିବାବେଳେ ଜଣେ ତେଲୁଗୁ ଠିକାଦାର ଟ୍ରିବୁନାଲର ଆଦେଶକୁ ଅବମାନନା କରି ବର୍ତ୍ତମାନ ସୁଦ୍ଧା ପାହାଡକୁ ନଷ୍ଟ କରିବା ସହ ଗଛଲତା କାଟି ଏହା ଉପରେ ପାଣିଟାଙ୍କି ନିର୍ମାଣ କରିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ତେଣୁ ଏଥିପାଇଁ ମଧ୍ୟ ହାଇକୋର୍ଟ ତଥା ଗ୍ରୀନ ଟ୍ରିବୁନାଲର ଦୃଷ୍ଟି ଆକର୍ଷଣ କରାଯାଇଛି । ସେହିପରି ଏହି ସ୍ଥାନରୁ କଟା ଯାଇଥିବା ଗଛର ପରିପୂରଣ ପାଇଁ ଆଗାମୀ ୨୨ ତାରିଖ ସକାଳ ୧୦ ଘଟିକା ସମୟରେ ଏଠାରେ ଏକ ସମୂହ ବୃକ୍ଷରୋପଣ କରାଯିବା ସହ ଏକ ସହୀଦ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ସେମାନେ କହିଛନ୍ତି ।
ଏହି କାର୍ଯ୍ୟରେ ଦଳମତ ନିର୍ବିଶେଷରେ, ଛାତ୍ର, ଯୁବକ, ମହିଳା, ପରିବେଶପ୍ରେମୀ, ସମାଜସେବୀ, ଶିକ୍ଷାବିତ୍‌, ମାଟିମା’ ପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୁନା ଜେନା, ଅଞ୍ଜନ କୁମାର ଜେନା, ଲକ୍ଷ୍ମୀଧର ପାତ୍ର, ବାବୁ ରାଉତ, ଅଜିତ ଶ୍ରୀଚନ୍ଦନ, ରାକେଶ ପଟ୍ଟନାୟକ, ପ୍ରଦୀପ ଜେନା, ଅଭୟ କୁମାର ବଡ଼ଜେନା, ସମରେଶ ପାଇକରାୟ, ପ୍ରଦୀପ ବଡ଼ଜେନା ପ୍ରମୁଖ ଶିଖରଚଣ୍ଡୀ ସୁରକ୍ଷା ସମିତିର ବହୁ ସଦସ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ସାମିଲ୍ ହେବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ