ମିଛେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଇସ୍ତଫା ଦିଅନ୍ତୁ : ବିଜେପି
ଭୁବନେଶ୍ୱର: ଯାଜପୁର ଜିଲ୍ଲା ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଓ ଗଣବଳାକ୍ରାର ଘଟଣାର ତଦନ୍ତକୁ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସମ୍ପୂର୍ଣ୍ଣ ମିଛ କହିଛନ୍ତି ବାଲି ରାଜ୍ୟ ବିଜେପି ଅଭିଯୋଗ କରିଛି । ଏପରି ମିଛେଇ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ ନଚେତ୍ ଆସନ୍ତା ୨୮ତାରିଖରେ ମହିଳା କମିଶନ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ବିଜେପି ଚେତାବନୀ ଦେଇଛି ।
ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସ୍ମିତାରାଣୀଙ୍କ ହତ୍ୟା ଓ ଗଣବଳାକ୍ରାର ଘଟଣାରେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ସମ୍ପୂର୍ଣ୍ଣ ମିଛ କହିଛନ୍ତି । ଗତ ୧୯ତାରିଖରେ ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଯାହା କହିଛନ୍ତି ତାହା ବି ସମ୍ପୂର୍ଣ୍ଣ ମିଛ । ମୃତା ସ୍ମିତାରାଣୀଙ୍କ ସ୍ୱାମୀଙ୍କୁ ମହିଳା କମିଶନ ଅଧ୍ୟକ୍ଷା ଚିହ୍ନିନାହାନ୍ତି । ସ୍ମିତାରାଣୀଙ୍କ ସହଯୋଗୀ କର୍ମଚାରୀମାନଙ୍କ ସହ ବି କଥା ହୋଇନାହାନ୍ତି । ସ୍ମିତାରାଣୀଙ୍କ ଗାଁ କିମ୍ବା ତାଙ୍କ ଘରକୁ ବି ଯାଇନାହାନ୍ତି । ଏଭଳି ସ୍ଥିତିରେ ସେ କିଭଳି ତଦନ୍ତ କଲେ । ତା’ଛଡ଼ା ମହିଳା ମହିଳା ଅଧ୍ୟକ୍ଷାଙ୍କ ଗସ୍ତକୁ ନେଇ ମଧ୍ୟ ଧର୍ମଶାଳା ପୁଲିସ୍ ଓ ଗଣମାଧ୍ୟମ ପାଖରେ କୌଣସି ଖବର ମଧ୍ୟ ନାହିଁ । ଓଲଟା ଗଣମାଧ୍ୟମରେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଛନ୍ତି ଯେ ସେ ରୂପେଶ ଭଦ୍ରଙ୍କ ପରିବାରକୁ ଭେଟିଛନ୍ତି । ଯେ,କି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ । ତେଣୁ ମହିଳା କମିଶନ ଅଧ୍ୟକ୍ଷାଙ୍କ ନିରପେକ୍ଷ ତଦନ୍ତ ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ ।
ଶ୍ରୀମତୀ ପରିଡ଼ା ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜେଡିର ରାଜନୈତିକ ପଦବି ନୁହେଁ । ଯାଜପୁରରେ ସ୍ମିତାରାଣୀ ବିଶ୍ୱାଳଙ୍କୁ ଯେଉଁଭଳି ଭାବରେ ବଳାକ୍ରାର ପରେ ହତ୍ୟା କରାଗଲାବେଳେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ପ୍ରଥମେ ଚୁପ ରହିଲେ । ଯେତେବେଳେ ଗଣମାଧ୍ୟମ ଓ ବିରୋଧୀଦଳ ମହିଳା କମିଶନର ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ସେତେବେଳେ ମହିଳା କମିଶନ କହିଲେ ସେ ନିରପେକ୍ଷ ତଦନ୍ତ ସାରିଛନ୍ତି । ତଦନ୍ତ ରିପାର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବା ଗତ ୧୯ ତାରିଖରେ ସେ ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲିି ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ତଦନ୍ତକୁ ନେଇ ଯେଭଳି କଥା ବି ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ସେଥିରେ ସାମାନ୍ୟତମ ସତ୍ୟତା ନାହିଁ । ଏପରି ମିଛେଇ ମହିଳା କମିଶନ ଅଧ୍ୟକ୍ଷା ଓଡ଼ିଶାର ମହିଳାମାନଙ୍କୁ ନ୍ୟାୟ ଦେଇପାରିବେ ନାହିଁ । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ନହେଲେ ଆସନ୍ତା ୨୮ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଶ୍ରୀମତୀ ପରିଡ଼ା ଚେତାବନୀ ଦେଇଛନ୍ତି ।
ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଧର୍ମଶାଳା ଯାଇ ସ୍ମିତାରାଣୀ ମାମଲାର ତଦନ୍ତ କରିଛନ୍ତି ବୋଲି ଯାହା କହୁଛନ୍ତି ତା’ର ପ୍ରମାଣ ଦିଅନ୍ତୁ । ଯଦି ନଦେଇପାରିବେ ସେ ମିଛ କହୁଥିବା କଥା ପ୍ରମାଣିତ ହେବ ଓ ଓଡ଼ିଶାର ମା’ ଭଉଣୀମାନଙ୍କୁ ମିଛ କହିଥିବା କାରଣରୁ ସେ କ୍ଷମା ମାଗି ନିଜର ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରୁଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପିଙ୍କି ପ୍ରଧାନ, କାନନବାଳା ପଟ୍ଟନାୟକ ଓ ନିୟତି ଗିରି ପ୍ରମୁଖ ଉପସ୍ଥିତ ଥିଲେ ।