ମିରଟରୁ ଗର୍ଜିଲେ ମୋଦି ମାଟି-ଆକାଶ-ମହାକାଶରେ ସର୍ଜିକାଲ୍ ଷ୍ଟ୍ରାଇକ୍ ଚଳିତ ନିର୍ବାଚନ ଚୌକିଦାର ବନାମ ଦଗାଦାର ହେବ
ମିରଟ : ଉତ୍ତରପ୍ରଦେଶର ମିରଟ୍ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ ଏକ ରାଲିରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବାକୁ ଯାଇ ମୋଦି ବିରୋଧୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି । ଏଥିରେ ମୋଦି ନିଜ ଭାଷଣରେ ନିଜ ସରକାରରେ କରିଥିବା ବିକାଶମୂଳକ ଯୋଜନା ଓ ଦିନକ ପୂର୍ବେ କରାଯାଇଥିବା ମହାକାଶ ପରୀକ୍ଷଣକୁ ମୁଖ୍ୟ ପ୍ରସଙ୍ଗ କରିଥିବା ଦେଖିବାକୁ ମିଳିଛି । ମୋଦି କହିଛନ୍ତି ଯେ, ତାଙ୍କ ସରକାର ମାଟି-ଆକାଶ-ମହାକାଶରେ ସର୍ଜିକାଲ ଷ୍ଟ୍ରାଇକ୍ କରିଦେଖାଇଛନ୍ତି । ତାଙ୍କ ସରକାର ପୂର୍ବରୁ ଏପ୍ରକାର ସାହସ କେହି ଦେଖାଇନଥିଲେ ବୋଲି ମୋଦି ଦୃଢ଼ତାର ସହ କହିଛନ୍ତି । ଉପସ୍ଥିତ ହଜାର ହଜାର ସଂଖ୍ୟକ ଜନତାଙ୍କୁ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଯେଉଁମାନେ ଦେଶବାସୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିପାରିନଥିଲେ ସେମାନେ ଆଜି ସରକାରଙ୍କୁ ପ୍ରତ୍ୟେକ କଥାର ହିସାବ ମାଗୁଛନ୍ତି । ୨ଠ୧୯ ନିର୍ବାଚନ ଚୌକିଦାର ବନାମ୍ ଦଗାଦାର (ବିଶ୍ୱାସଘାତକ)ଙ୍କ ମଧ୍ୟରେ ହେବାକୁ ଯାଉଛି । ଦେଶବାସୀ ସବୁଜାଣୁଛନ୍ତି, ସବୁ ଦେଖୁଛନ୍ତି । ଉଚିତ୍ ନିଷ୍ପତ୍ତି ନେବେ । ବାଲାକୋଟ୍ରେ ଭାରତର ବିମାନ ଆକ୍ରମଣ ଉପରେ ବିରୋଧୀ ପ୍ରମାଣ ମାଗୁଛନ୍ତି । ଏଭଳି କରି ବିରୋଧୀମାନେ ପାକିସ୍ତାନରେ ଲୋକପ୍ରିୟ ହେବାକୁ ଉଦ୍ୟମ କରୁଥିବା ବେଳେ ନିଜ ଦେଶର ସେନାର ଶକ୍ତି ଉପରେ ସନ୍ଦେହ ପୂର୍ବକ ଅପମାନିତ କରିବାକୁ ଚେଷ୍ଟା କରିଛନ୍ତି । ସେହିପରି ମହାକାଶରେ ମିଳିଥିବା ସଫଳତାକୁ ବିରୋଧୀମାନେ ଅଣଦେଖା କରୁଛନ୍ତି । ସେମାନଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ୍ । ସେହିପରି ଦିନକପୂର୍ବେ ମହାକାଶରେ ଏକ ସକ୍ରିୟ ସ୍ୟାଟେଲାଇଟ୍ (ଲିଓ) ଉପରେ ମିସାଇଲ ମାଡ଼ କରି ଏହାକୁ ଧ୍ୱଂସ କରି ଭାରତ ତା’ର ମହାଶକ୍ତି ପ୍ରଦର୍ଶନ କରିଥିବା ବିଷୟରେ ମୋଦି ଆଜି ବର୍ଣ୍ଣନା କରିଥିଲେ । କେନ୍ଦ୍ର ସରକାରଙ୍କ ମିଶନ୍ ଶକ୍ତି ନାମକ ଏହି ଅପରେସନ୍କୁ ମିଳିଥିବା ସଫଳତା ଭାରତକୁ ବିଶ୍ୱର ଚତୁର୍ଥ ମହାକାଶ ମହାଶକ୍ତିର ପରିଚୟ ଦେଇଛି ବୋଲି ମୋଦି କହିଥିଲେ । ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବିଶ୍ୱର ଧମକକୁ ଖାତିର ନକରି ପୋଖରାନ୍ ପରୀକ୍ଷଣକୁ ଅନୁମତି ଦେଇ ମିଶନ୍ ଶକ୍ତିର ମୂଳଦୂଆ ପକାଇଥିବା ବେଳେ ଏବେର ବିଜେପି ସରକାର ଏହି ଧାରାକୁ ଆଉ ଟିକେ ଆଗକୁ ନେଇଛି । ମହାକାଶରେ ଭାରତକୁ ଅନ୍ୟତମ ଶକ୍ତିଭାବେ ଉଭା କରାଇଛି । ଏହି ଅବସରରେ ମୋଦି ତାଙ୍କ ପ୍ରତି ବିରୋଧୀଙ୍କ କଟାକ୍ଷ ‘ଚୌକିଦାର’ ଉପରେ ମଧ୍ୟ ଟିପ୍ପଣୀ କରିଥିଲେ । ମୋଦି କହିଥିଲେ ଯେ, ଗୋଟିଏ ପଟେ ଦେଶରେ ଜଣେ ଶକ୍ତିଶାଳୀ ଚୌକିଦାର ଅଛି, ଅନ୍ୟପକ୍ଷରେ ଅନେକ ସଂଖ୍ୟାରେ କଳୁଷିତ ଲୋକ ଅଛନ୍ତି । ଦିନକ ପୂର୍ବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ତାଙ୍କ ପ୍ରତି କରିଥିବା ଟ୍ୱିଟ୍ ଡ଼ମୋଦିଙ୍କ ବିଶ୍ୱ ନାଟକବାଜି’ର ପ୍ରତିଉତ୍ତର ଦେଇ ମୋଦି କହିଥିଲେ ‘ରାହୁଲ ଉପଗ୍ରହ ନିରୋଧି କ୍ଷେପଣାସ୍ତ୍ର ଏବଂ ଥିଏଟର ସେଟ୍ ଭିତରେ ପାର୍ଥକ୍ୟ ଜାଣିନାହାନ୍ତି । ରାହୁଲ ଏହା ଜାଣିଥିଲେ ଏହାକୁ ନାଟକବାଜି ବୋଲି କଦାପି କହିନଥାନ୍ତେ । ସମଗ୍ର ବିଶ୍ୱ ଏବେ ଭାରତକୁ ଏକ ମହାଶକ୍ତି ବୋଲି ସ୍ୱୀକାର କରିବାକୁ ବାଧ୍ୟ ହୋଇଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ଏହାକୁ ନାଟକବାଜି କହିବା ଏବଂ ପ୍ରତ୍ୟେକ ନିଷ୍ପତ୍ତି ଉପରେ ପ୍ରଶ୍ନ କରିବା ଅତ୍ୟନ୍ତ ଦୁଃଖଦ । ମୋଦି କହିଥିଲେ ଚୌକିଦାର ହୁଁ ଭାଇ, ହିସାବ ହୋଗା, ସବ୍କା ହିସାବ ହୋଗା, ବାରି ବାରି ସେ ହୋଗା । ଗତ ୫ବର୍ଷ ମଧ୍ୟରେ ତାଙ୍କ ସରକାର କ’ଣ କରିଛି ଯଦି ତା’ର ହିସାବ ସେ ଦେବେ ତେବେ କଂଗ୍ରେସକୁ ମଧ୍ୟ ଦୀର୍ଘ ୬ଠବର୍ଷର ହିସାବ ଦେବାକୁ ହେବ ବୋଲି ମୋଦି କହିଥିଲେ । ସେହିପରି ବିଜେପି ବିରୋଧରେ ଗଠନ ହୋଇଥିବା ମହାମେଣ୍ଟ ସମ୍ପର୍କରେ ମୋଦି କହିଛନ୍ତି ଯେ, ବିରୋଧୀମାନେ ଅପମିଶ୍ରଣ ସହିତ ଏକାଠି ହୋଇ ଆସୁଛନ୍ତି । ଯଦି ସେମାନଙ୍କୁ ଏକ ସୁଯୋଗ ଦିଆଯାଏ, ତା’ହେଲେ ଦେଶ ଅନେକ ବର୍ଷ ପଛକୁ ଚାଲିଯିବ । ପ୍ରଧାନମନ୍ତ୍ରୀ ମୋଦି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆରଏଲଡି ନେତା ଅଜିତ୍ ସିଂହଙ୍କ ବାପା ଚୌଧୁରୀ ଚରଣ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାଷଣ ଆରମ୍ଭ କରିଥିଲେ । ଆରଏଲଡି ସମ୍ପ୍ରତି ଅଖିଳେଶ-ମାୟାବତୀଙ୍କ ନେତୃତ୍ୱରେ ଗଠନ ହୋଇଥିବା ମହାମେଣ୍ଟରେ ଅନ୍ୟତମ ସହଯୋଗୀ ଦଳ ଭାବେ ସାମିଲ ହୋଇଛି ।