ମିରାମ୍ବିକାର ୫୦ ଟଙ୍କା ବିନିଯୋଗରେ ମହିଳା ଉଦ୍ୟୋଗୀ ତିଆରି କାରଖାନା
ଭୁବନେଶ୍ୱର,: ମିରାମ୍ବିକା ତରଫରୁ ୫୦ ଟଙ୍କା ବିନିଯୋଗରେ ମହିଳା ଉଦ୍ୟୋଗୀ ତିଆରି କାରଖାନା କରିବା ପାଇଁ ଏକ ନିଆରା ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମିରାମ୍ବିକାର ପ୍ରତିଷ୍ଠାତା ଜୀବନଜ୍ୟୋତି ବାରିକ କହିଛନ୍ତି ଯେ, ମାତ୍ର ୫୦ ଟଙ୍କା ବିନିଯୋଗରେ ମହିଳାମାନେ ପେପର ବ୍ୟାଗ୍ ତିଆରି କରିପାରିବେ । ଏଥିପାଇଁ ଖବର କାଗଜ ଦୁଇକେଜି ୧୮ ଟଙ୍କା, ଅଠା ପ୍ରସ୍ତୁତ ପାଇଁ ମଇଦା ୧୦ ଟଙ୍କା, ସୁତୁଲି ୧୦ ଟଙ୍କା, କାର୍ଡ଼ବୋର୍ଡ଼ ୧୦ ଟଙ୍କା ଏବଂ ବ୍ଲେଡ଼ ୨ ଟଙ୍କା ଏହିପରି ମୋଟ ୫୦ ଟଙ୍କା ବିନିଯୋଗରେ ମହିଳାମାନେ ଘରେ ବସି ଦୈନିକ ୨୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ । ଏହି କାର୍ଯ୍ୟକ୍ରମକରେ ୧୦୦୦ ମହିଳାମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା । ଏଥିରେ ଚଳଚ୍ଚିତ୍ର ଅଭିନେତା ବିଶ୍ୱରୂପ ଓ ଅଭିନେତ୍ରୀ ତନୁଷ୍କା ଯୋଗଦେଇ ମହିଳାମାନଙ୍କୁ ପେପର ବ୍ୟାଗ ତିଆରି କରିବା ପାଇଁ ପରାମର୍ଶ ଦେବା ସହ ମହିଳାମାନେ କିପରି ନିଜେ ସ୍ୱାବଲମ୍ବୀ ହୋଇ ରୋଜଗାରକ୍ଷମ ହୋଇପାରିବେ, ସେ ଦିଗରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ମିରାମ୍ବିକା ତରଫରୁ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ମହିଳାଙ୍କୁ ତାଲିମ ଦିଆଯାଇଥିବା ବେଳେ ଆଗାମୀ ୨୦୨୦ ମସିହା ସୁଦ୍ଧା ଏକ ଲକ୍ଷ ମହିଳା ଉଦ୍ୟୋଗୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ବାରିକ ସୂଚନା ଦେଇଛନ୍ତି ।


