ମିଲରଙ୍କ ଏଜେଣ୍ଟ ଓ ଗୁଣ୍ଡା ଚଳାଉଛନ୍ତି ମଣ୍ଡି : ନବନିର୍ମାଣ ପାଇଁ ଟୋକନ ଅବଧି ବଢାଅ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜ୍ୟରେ ଗୋଟିଏ ନିର୍ବାଚିତ ସରକାର ଅଛି ଓ ବିଭିନ୍ନ ବିଭାଗର ବିଭାଗୀୟ ମନ୍ତ୍ରୀ ଅଛନ୍ତି ଏମିତି ଏବେ ଅନୁଭବ କରିହେଉନି । କାରଣ ରାଜ୍ୟରେ ଏବେ ଆଇନ୍‌ର ଶାସନ ଚାଲୁନାହିଁ, ସରକାରୀ କଳ ପୁରା ଅକାମୀ । ଅନ୍ୟ ବିଭାଗ କଥା ଛାଡ଼, ଖୋଦ କୃଷି, ଯୋଗାଣ, ସମବାୟ ବିଭାଗର ହାଲ୍ ଏମିତି । ଧାନ ମଣ୍ଡି ଓ ଧାନ କିଣା ଚରମ ଅବ୍ୟବସ୍ଥାରୁ ଏକଥା ଜଳ ଜଳ ଦେଖାଯାଉଛି । ଫନି, ଫାଇଲିନ୍‌, ହୁଡ୍‌ହୁଡ୍ ଓ ଜୱାଦ ଚାଷୀଙ୍କ ପାଇଁ ଯେତେ ବିପର୍ଯ୍ୟୟ ଡ଼ାକିଆଣୁଛି, ତାଠାରୁ ବେଶୀ ସମସ୍ୟା ମଣ୍ଡିରେ ମିଲରଙ୍କ ବେଆଇନ ଏଜେଣ୍ଟ ଓ ଧାନ ବ୍ୟବସାୟୀ ଓ ତାଙ୍କ ସମଥିତ ଗୁଣ୍ଡାଙ୍କ ଉତ୍ପାତ । ଦୁଇଦିନ ଧରି ନବନିର୍ମାଣ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ କଟକ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର କାକରୁଦ୍ରପୁର ଓ ପ୍ରତାପରୁଦ୍ରପୁର ପଞ୍ଚାୟତର ମଣ୍ଡି ପୁରା ବ୍ୟବସାୟୀ ଓ ମାଫିଆଙ୍କ କବଜାରେ । ଅଧିକ ଧାନ କଟନି ଛଟନି ପାଇଁ ସନ୍ତୁଲିଆ ମିଲର ମୂଲଚାଲ କରିବା ପରେ ବରଗଡ଼ ମିଲର ଆସିଛନ୍ତି, କିନ୍ତୁ ଯଥାପୂର୍ବ ତଥା ପରଂ ସ୍ଥିତି । ସବୁଠାରୁ ବଡ଼ କଥା ହେଲା ଯେ, ଅଧିକାଂଶ ମଣ୍ଡିରେ ସମବାୟ ସମିତି ସମ୍ପାଦକ ପୁରା ବେପରବାୟ, ପୁରା ମିଲରଙ୍କ ଏଜେଣ୍ଟ ଓ ଧାନର ବ୍ୟବସାୟୀଙ୍କୁ ମଣ୍ଡିର ଦାୟିତ୍ୱ ଛାଡ଼ିଦେଇଛନ୍ତି । ଏଭଳି ଘଟଣା କଟକ ସଦର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା । ବାଲିପାଟଣା, ବାଲିଅନ୍ତାର ପାଖ ବ୍ଲକ ନିଆଳି, କଣ୍ଟାପଡ଼ରେ କାଟ ଦୁଇରୁ ତିିନିକେଜି ଥିଲାବେଳେ ବାଲିପାଟଣା, ବାଲିଅନ୍ତାରେ ୮ରୁ ୧୦କେଜି । ସବୁଠୁ ଲଜ୍ଜାର କଥା ଯେ, ଏଆରସିଏସ୍‌, ସିଏସ୍‌ଓ କିମ୍ବା ଉପଜିଲ୍ଲାପାଳ ଧାନ ମଣ୍ଡିରେ ଚାଷୀଙ୍କ ସ୍ଥିତି କଣ, ଏ ନେଇ ଆଦୌ ବ୍ୟସ୍ତ ନାହାଁନ୍ତି । ଯଦି କଟ୍‌ନି ଛଟ୍‌ନି କଥା କେହି ପଚାରୁଛି, ତେବେ ଧାନ ବ୍ୟବସାୟୀଙ୍କ ସମଥିତ ଗୁଣ୍ଡା ଝପଟି ଆସୁଛନ୍ତି । ସେମାନେ କହୁଛନ୍ତି ଆମେ ମିଲରଙ୍କୁ ଡ଼ାକି ଆଣିଛୁ, ଅଲବଦ କଟା ହେବ । ଅତଏବ ସବୁ ଧାନ ମଣ୍ଡିରେ ଧାନ ବ୍ୟବସାୟୀ ହାଉଯାଉ । ସେମାନେ ହ୍ୱାଟସ୍‌ଆପରେ ଦେଖାଉଛନ୍ତି ଅନ୍ୟ ମଣ୍ଡିରେ ଏତେକେଜି କାଟ, ଏଠି ହେଲେ କ’ଣ କ୍ଷତି? ସବୁଠୁ ଦୁର୍ଭାଗ୍ୟର କଥା ଯେ, କିଛି ଚାଷୀଙ୍କ ଖରାପ ଧାନ ବାହାନାରେ ଭଲ ଚାଷୀଙ୍କ ସଫା, ଶୁଖିଲା ଧାନ ଉପରୁ ମଧ୍ୟ କୁଇଣ୍ଟାଲ ପିଛା ୫/୭ କେଜି କଟାଯିବା ଦୁର୍ଭାଗ୍ୟଜନକ । ମଣ୍ଡିରେ ମିଲରଙ୍କ କଟ୍‌ନି ଛଟ୍‌ନି ଠାରୁ ଆହୁରି ଦୁର୍ଭାଗ୍ୟ ଯେ, ଟୋକନ ଅବଧି ଭିତରେ ମିଲରମାନେ ମଣ୍ଡିକୁ ଗାଡ଼ି ପଠାଉ ନାହାଁନ୍ତି କିମ୍ବା ଧାନ ଉଠାଉନାହାଁନ୍ତି । ଏହା ଭିତରେ ଟୋକନ ଅବଧି ସମାପ୍ତ ହୋଇଛି । ସେହିଭଳି ପଞ୍ଚାୟତ ନିର୍ବାଚନ ସମାପ୍ତ ହୋଇଥିବାରୁ ସମସ୍ତ ବିଡ଼ିଓ, ତହସିଲଦାର ଯେଉଁମାନେ ମଣ୍ଡି ସୁପରଭାଇଜ ପାଇଁ ନୋଡ଼ାଲ ଅଫିସର ଭାବେ ରହିଛନ୍ତି, ସେମାନେ ମଣ୍ଡି ନିୟମିତ ପରିଦର୍ଶନ କରିବାକୁ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସରକାରଙ୍କ ନିକଟରେ ଦାବି କରିବା ସହ ଅନ୍ତତଃ ପକ୍ଷେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଟୋକନର ଅବଧି ବଢାଇବାକୁ ଚେତାବନୀ ଦେଇଛନ୍ତି । ସେହିଭଳି ଯୋଗାଣ ମନ୍ତ୍ରୀ ଓ ବିଭାଗୀୟ ସଚିବ ଧାନ ସଂଗ୍ରହର ଚିତ୍ର ନେଇ ତୁରନ୍ତ ସଚିବାଳୟରେ ବୈଠକ ଡ଼କାଇବାକୁ ସଂଗଠନ ପକ୍ଷରୁ ଶ୍ରୀ ନନ୍ଦ ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ