ମିଳିତ ଅଭିଯୋଗ ଶୁଣାଣି ଆରମ୍ଭ: ସମାଧାନ ହେଲା ୪୫ଟି ଅଭିଯୋଗ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ମିଳିତ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ନିର୍ବାଚନ ଆଚରଣ ବିଧି ଏବଂ ଗ୍ରୀଷ୍ମ ପ୍ରବାହ ଲାଗି ପ୍ରାୟ ୪ମାସ ଧରି ସାମୟିକ ଭାବେ ବନ୍ଦ ରହିଥିବା ମିଳିତ ଅଭିଯୋଗ ଶୁଣାଣି ଆରମ୍ଭ ପରେ ଆଜି ଜନସାଧାରଣଙ୍କ ବେଶ୍ ଭିଡ ପରିଲକ୍ଷିତ ହୋଇଥିଲା । ବାଲେଶ୍ୱର ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଆୟୋଜିତ ମିଳିତ ଅଭିଯୋଗ ଶୁଣାଣି ନିମନ୍ତେ ୭୪ଟି ଅଭିଯୋଗ ପ୍ରାପ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୪୫ଟିର ତକ୍ରାଳ ସମାଧାନ କରାଯାଇଛି । ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନିଜର ସମସ୍ୟାର ସମାଧାନ ପାଇଁ ଜନସାଧାରଣ ଆସିଥିବା ବେଳେ ସେଥିମଧ୍ୟରୁ ୬୯ଟି ବ୍ୟକ୍ତିଗତ ଓ ୫ଟି ସାମୂହିକ ଅଭିଯୋଗ ରହିଥିଲା । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ, ଡିଏସପି ଶ୍ରୀ ଉମେଶ କୁମାର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି ନିଜ ନିଜ ବିଭାଗ ସମ୍ବନ୍ଧିତ ସମସ୍ୟାଗୁଡିକର ସମାଧାନ କରିଥିଲେ ।