ମିଳିତ ଅମଲା ସଂଘ ତରଫରୁ ସମୂହ ଛୁଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଜିଲ୍ଲାସ୍ତରରେ କିରାଣୀ ମାନଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହ କମ୍ପୁଟର ଜ୍ଞାନ ରାଜ୍ୟ ସରକାର ସ୍ଥିର କରିଥିଲେ ହେଁ ସେମାନଙ୍କ ଦରମାରେ କୌଣସି ପରିବର୍ତ୍ତନ କରାଗଲା ନାହିଁ । ସରକାରଙ୍କର ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ କରୁଥିବା ଏହି ବର୍ଗର କର୍ମଚାରୀଙ୍କୁ ବାଦ ଦେଇ ଅନ୍ୟ କୌଣସି ସ୍ନାତକ ଯୋଗ୍ୟତାସମ୍ପନ୍ନ କ୍ୟାଡ଼ର ୧୯୦୦ ଗ୍ରେଡ୍ ପେରେ ନାହାଁନ୍ତି, ଏହା କହିବା ବାହୁଲ୍ୟ । ଏଭଳି ହୀନମନ୍ୟତା ଓ ପାତରଅନ୍ତର ନିତିକୁ ସଂଶୋଧନ କରିବା ପାଇଁ ଅମଲାମାନଙ୍କ ସଂଗଠନ ତରଫରୁ ବହୁ ଅନୁରୋଧ ସରକାରଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ ତାର କୌଣସି ସମାଧାନ ହୋଇପାରି ନାହିଁ । ଏହି ୪୨୦୦ ଗ୍ରେଡ୍‌ପେ ଲେବୁଲ-୯ର ଦାବି ନେଇ ଅମଲା କର୍ମଚାରୀମାନଙ୍କର ତା ୨୭.୧୧.୨୦୨୨ରିଖରେ ରାଜ୍ୟ ରାଜଧାନୀରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଆଶା ଥିଲା ସରକାର ଏହି ଅବହେଳିତ ବର୍ଗ କର୍ମଚାରୀଙ୍କ ସମସ୍ୟାକୁ ସହୃଦୟର ସହ ସମାଧାନ କରିବେ । କିନ୍ତୁ ମାର୍ଚ୍ଚ ୨୦୨୩ ଯାଏ ଏହି ସମସ୍ୟା ସମସ୍ୟାରେ ରହିବାରୁ କର୍ମଚାରୀ ସଂଗଠନମାନେ ତା ୦୯.୦୪.୨୦୨୩ ଭୁବନେଶ୍ୱରସ୍ଥ ଗୀତଗୋବିନ୍ଦ ଭବନରେ ଏକାଠି ହୋଇ ଧୈର୍ଯ୍ୟର ସହ ସରକାରଙ୍କୁ ଅନୁରୋଧ ଜଣାଇଥିଲେ । ପୁଣିଥରେ ତା ୨୧.୦୪.୨୦୨୩ରିଖରେ ଆଉ ଏକ ସ୍ମାରକପତ୍ର ଜରିଆରେ ୪୨୦୦ ଗ୍ରେଡ୍‌ପେ ଓ ଲେବୁଲ-୯ର ଦାବିକୁ ସମାଧାନ କରିବା ପାଇଁ ଅନୁରୋଧ ଜଣାଇଥିଲେ । କିନ୍ତୁ ଏହି ନୈରାଶ୍ୟ ସୃଷ୍ଟିକାରୀ ସମସ୍ୟାର ସମାଧାନ ନହେବାରୁ ତା ୦୧.୦୫.୨୦୨୩ରିଖରେ ସରକାରଙ୍କୁ ଏକ ଚରମ ପତ୍ର ମାଧ୍ୟମରେ ତା ୨୧.୦୫.୨୦୨୩ରିଖ ସୁଦ୍ଧା ଘଟଣାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ସମାଧାନ ନହେଲେ ଗଣତାନ୍ତ୍ରିକ ପନ୍ଥାରେ କଳାବ୍ୟାଜ୍ ପରିଧାନ କରିବା ଓ ୩୧.୦୫.୨୦୨୩ ସୁଦ୍ଧା କୌଣସି ସମାଧାନର ରାସ୍ତା ନ ବାହାରିଲେ ତା ୦୧.୦୬.୨୦୨୩ରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ମାଧ୍ୟମରେ ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନେଲେ ଓ ଏହି ନିଷ୍ପତ୍ତିକୁ ପତ୍ର ମାଧ୍ୟମରେ ଓ ବିଭିନ୍ନ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାର ଓ ଜନସାଧାରଣଙ୍କ ଦୃଷ୍ଟିଗୋଚର କରାଗଲା ଏବଂ ଏହା ରେଡ଼କ୍ରସ ଭବନ, ୟୁନିଟ୍‌-୯ରେ ଆୟୋଜନ କରାଯାଇଛି ।ଗତ ତା ୦୨.୦୬.୨୦୨୩ରେ ରାଜ୍ୟର ମୁଖ୍ୟ ଶାସନ ସଚୀବଙ୍କ ସହ କର୍ମଚାରୀ ସଂଘ ପ୍ରତିନିଧିମାନଙ୍କର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇ ଦୁଇ ଦଫା ଧରି ହୋଇଥିଲେ ହେଁ ସମାଧାନର କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ । କର୍ମଚାରୀମାନେ ତାଙ୍କର ନ୍ୟାର୍ଯ୍ୟଦାବି ସରକାରଙ୍କ ଠାରୁ ପାଇବା ପାଇଁ ଅଶା ବାନ୍ଧି ଅଛନ୍ତି । ତେଣୁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବା ପାଇଁ ତା ୦୪.୦୬.୨୦୨୩ରିଖ ରେଡ଼କ୍ରସ ଭବନ, ଭୁବନେଶ୍ୱରଠାରେ ମିଳିତ ଅମଲା ସଂଘର ଅଧ୍ୟକ୍ଷ ଶ୍ରୀ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ୩୦ଗୋଟି ଜିଲ୍ଲାର କର୍ମଚାରୀ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଗଲା । ୩୦ଗୋଟି ଜିଲ୍ଲାରୁ ୨୦୦ରୁ ଅଧିକ କର୍ମଚାରୀ ନେତା ଏଥିରେ ଅଂଶଗ୍ରହଣ କରି ସବୁ ଜିଲ୍ଲାର ଅମଲା ମାନଙ୍କର ଭାବାବେଗକୁ ପାଥେୟ କରି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଗଲା ଯେ, ସରକାର ଯେଉଁ ପର୍ଯ୍ୟନ୍ତ କନିଷ୍ଠ ସହାୟକଙ୍କ ଗ୍ରେଡ୍ ପେ ୪୨୦୦ (ଲେଭଲ-୯) ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ । ଆନ୍ଦୋଳନ ଜନିତ ଉପୁଜିଥିବା ସମସ୍ୟା ପାଇଁ ଜନସାଧାରଣଙ୍କ ନିକଟରେ ଦୁଃଖ ପ୍ରକାଶ କରାଯାଇ ସେମାନଙ୍କ ସହଯୋଗ କାମନା କରାଗଲା । ତା ୦୭.୦୬.୨୦୨୩ରେ ମୁଖ୍ୟ ଶାସନ ସଚିବଙ୍କ ସହ ସଂଘର ଅନୁଷ୍ଠିତ ଆଲୋଚନା ମଧ୍ୟ ବିଫଳ ହୋଇଛି । ସେହି ପରିପ୍ରେକ୍ଷୀରେ ୦୯.୦୬.୨୦୨୩ରିଖରେ ରାଜ୍ୟ ପରିଷଦ ବୈଠକରେ ଆନ୍ଦୋଳନ ଚଳାଇ ରଖିବା ପାଇଁ ସର୍ବସମ୍ମତି ନିଷ୍ପତ୍ତି କରାଗଲା ।ଆଜି ଅନ୍ଦୋଳନର ତ୍ରୟୋଦଶ ଦିବସ । ଏହି ଅବସରରେ ଗଣମାଧ୍ୟମ ଜରିଆରେ ଆମ୍ଭେ ଘଟଣାର ଆଶୁ ସମାଧାନ ନିମନ୍ତେ ସରକାରଙ୍କୁ ନିବେଦନ କରୁଅଛୁ ଯେ, ସରକାର ଅମଲାଙ୍କ ଦାବି ପ୍ରତି ସହୃଦୟତାର ସହିତ ବିଚାର କରି ଯଥାଶୀଘ୍ର ଦାବି ପୂରଣ କରନ୍ତୁ ଓ ଜନସାଧାରଣ ପାଇଁ ଉପୁଜିଥିବା ସମସ୍ୟାର ସମାଧାନ ହେଉ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ