ମିଳିତ ଜନ ଅଭିଯୋଗ ଶୁଣାଣିରେ ୧୦୨ ଅଭିଯୋଗ ପଂଜିକୃତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଜ୍ୟୋତି ଫେଡେରେସନର ସମ୍ମିଳନୀ କକ୍ଷରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ନାଉଗାଁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଆପତି ଅଭିଯୋଗ ଶୁଣାଣି କରିଥିଲେ । ଶିବିରରେ ସମୁଦାୟ ୧୦୨ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ଗ୍ରାମ୍ୟ ଓ ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ ୪ଟି ଓ ବ୍ୟକ୍ତିଗତ ସମସ୍ୟା ସଂପର୍କୀୟ ୯୮ଟି ରହିଛି । ବ୍ୟକ୍ତିଗତ ସମସ୍ୟା ମଧ୍ୟରେ ଆବାସ ଯୋଜନା ନିମନ୍ତେ ୬୩ଟି, ଜମିଜମା ସମସ୍ୟା ୩ଟି, ଭତା ପାଇଁ ୩ଟି, ପୋଲିସ ସହାୟତା ନିମନ୍ତେ ୧ଟି, କାଳିଆ ଯୋଜନା ନିମନ୍ତେ ୩ଟି ଓ ଅନ୍ୟାନ୍ୟ ୨୩ଟି ଅଭିଯୋଗର ଶୁଣାଣି କରାଯାଇଥିଲା । ଏଥିମଧ୍ୟରୁ ୨ଟି ଅଭିଯୋଗ ତତ୍କାଳ ଫଏସଲା ହୋଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକର ସମାଧାନ କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି । ଏହି ଶିବିରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଡା. ରୁଦ୍ର ନାରାୟଣ ଦାଶ, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ସିଂ, ବିଡିଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନାଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କ୍ଷେତ୍ର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।


