ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ସଚିବଙ୍କୁ ଦାବିପତ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାର ରାଜ୍ୟରେ ଶିକ୍ଷକ ମାରଣ ନୀତି ଜାରି ରଖିଛନ୍ତି । ଗଣଶିକ୍ଷା ବିଭାଗରେ ପାତର ଅନ୍ତର ନୀତି କରୁଛନ୍ତି । ରାଜ୍ୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ କରୁନାହାଁନ୍ତି । ଗୋଟିଏ କିମ୍ବା ଦୁଇଟି ଶିକ୍ଷକରେ ପ୍ରାଥମିକ ବିଦ୍ୟାଳୟରେ କାମ ଚାଳଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯେତେବେଳେ ଓଡ଼ିଶାର ଦାୟିତ୍ୱ ନେଲେ, ସେତେବେଳେ ଓଡ଼ିଶାର ଆର୍ଥିକ ସଙ୍କଟ ଦେଖା ଦେଉଥିଲା । ରାଜ୍ୟ ସରକାର ୨୦୦୧ ମସିହା ଠାରୁ ପର୍ଯ୍ୟାୟକ୍ରମେ ପ୍ରାଥମିକ ବିଦ୍ୟାଳୟରେ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକ ଓ ଶିକ୍ଷା ସହାୟକ ଭାବରେ ୧୫୦୦ଟଙ୍କାରେ ନିୟୋଜିତ କରାଗଲା । ବହୁ ଆନ୍ଦୋଳନ ପରେ ସେମାନଙ୍କୁ ୮ ବର୍ଷ ଓ ୬ ବର୍ଷ ପରେ ସରକାରୀ ଶିକ୍ଷକର ମାନ୍ୟତା ଦିଆଗଲା । ତତ୍କାଳୀନ ଅବସ୍ଥାରେ ଠିକା ଓ ଚୁକ୍ତିରେ ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନେ ବିଦ୍ୟାଳୟରେ କମ୍ ଟଙ୍କାରେ କାର୍ଯ୍ୟ କରି ଓଡ଼ିଶାର ରାଜକୋଷକୁ ଭରଣା କଲେ । କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୧୩ ମସିହା ଠାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ ବ୍ୟତୀତ ସମସ୍ତ ସରକାରୀ କର୍ମଚାରୀଙ୍କ ଠିକା ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରୀରେ ୬ଟି ଇନକ୍ରିମେଣ୍ଟ ଦେଇ ଗଣନା କରିଛନ୍ତି ଓ ଓଡ଼ିଶାରୁ ଠିକା ନିଯୁକ୍ତି ବାତିଲ୍ କରାଗଲା ବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କିନ୍ତୁ ସବୁଠାରୁ କ୍ଷୋଭ ଓ ପରିତାପର ବିଷୟ ହେଉଛି କି ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ କରାଗଲା ନାହିଁ କିିମ୍ବା ୮ ବର୍ଷ ଓ ୬ ବର୍ଷ ନିରବଚ୍ଛିନ୍ନ ଠିକାରେ ଓ କମ୍ ପଇସାରେ କାର୍ଯ୍ୟ କରି ନିୟମିତ ହେବା ପରେ ମଧ୍ୟ ସେମାନଙ୍କ ଚାକିରୀର ୬ ବର୍ଷକୁ ମୂଳ ଚାକିରୀରେ ଗଣନା କରାଯାଇ ନାହିଁ । ସେଥିପାଇଁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଶିକ୍ଷକମାନଙ୍କ ମନରେ ଅସନ୍ତୋଷର ବାତାବରଣ ଖେଳିଯାଇଛି । ବାରମ୍ବାର ଦାବି ସତ୍ତ୍ୱେ ସରକାର ଶିକ୍ଷକମାନଙ୍କ ନ୍ୟାୟୋଚିତ ଦାବି ପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ତେଣୁ ତୁରନ୍ତ ଶିକ୍ଷକମାନଙ୍କ ଦାବିକୁ ମାନିବାକୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଦାବି କରିଛି । ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ଓ ନିଯୁକ୍ତି ଦିନଠାରୁ ନିୟମିତ ହେବା ପର୍ଯ୍ୟନ୍ତ ଠିକା କାର୍ଯ୍ୟକାଳକୁ ଇନ୍କ୍ରିମେଣ୍ଟ ଦେଇ ଗଣନା କରିବା, ସମସ୍ତ ପ୍ରଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା ଓ ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା, ୩ ଦଫା ଦାବି ପୂରଣ ନିମନ୍ତେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ସଚିବ ଏବଂ ନିର୍ଦ୍ଦେଶକ, ଏଲିମେଣ୍ଟାରୀ ଏଜୁକେଶନକୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ରାଜେଶ କୁମାର ମହାନ୍ତି, ବ୍ରହ୍ମାନନ୍ଦ ମହାରଣା, ସୁଶାନ୍ତ କୁମାର ବେହେରା, ବଙ୍କିମ ଚନ୍ଦ୍ର ସାଗର, ବିଭୂପ୍ରସାଦ ସାହୁ ଓ ଖଗେନ୍ଦ୍ର ନାଥ ପାଲ ପ୍ରମୁଖ ୬ଜଣିଆ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାର ତୁରନ୍ତ ଦାବି ପୂରଣ ନକଲେ ଆଗାମୀ ବିଧାନସଭା ଅଧିବେଶନରେ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ଶିକ୍ଷା କ୍ଷେତ୍ରରେ ଯେଉଁ ସମସ୍ୟା ଉପୁଜିବ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଏକ ମିଳିତ ବିବୃତ୍ତିରେ ମହାସଂଘର ସଦସ୍ୟମାନେ କହିଛନ୍ତି ।