ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ(ଏନପିଏସ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ(ନୂତନ ପେନସନ ଯୋଜନା),କେନ୍ଦ୍ରାପଡା ବ୍ଲକ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ ପାବନୀ କୁମାର ରାଉତଙ୍କୁ ଏକ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ କଜଳା ବାୟାବାବା ମଠ ନିକଟରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଶିକ୍ଷକ ମହାସଙ୍ଘର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟମାନେ ଆସି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ରାଜ୍ୟ ସରକାର ବିଭିନ୍ନ ବିଭାଗରୁ ଠିକା ନିଯୁକ୍ତି ପ୍ରଥାର ବିଲୋପ କରି ସେମାନଙ୍କୁ ଚାକିରୀ ଅବଧି ଅନୁଯାୟୀ ଇନକ୍ରୀମେଣ୍ଟ ପ୍ରଦାନ କରିଛନ୍ତି । କିନ୍ତୁ ସେହି ଏକା କଥା ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ଗତ ୨୦୦୧ ମସିହାରୁ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ କ୍ଷେତ୍ରରେ ପ୍ରଣୟନ କରାଯାଇନାହିଁ । ତେଣୁ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି କ୍ଷେତ୍ରରେ ଠିକା ନିଯୁକ୍ତି ପ୍ରଥାର ବିଲୋପ ସହିତ ଜାତୀୟ ଇନକ୍ରୀମେଣ୍ଟ ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ସହାୟତା ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ନମ୍ବର- ୨୯୦୭୬/ଜିଇଏନ, ତା ୧୬.୧୦.୨୦୨୨ରିଖ ଅନୁଯାୟୀ ଗତ ୨୦୦୧ମସିହାରୁ ଠିକା ନିଯୁକ୍ତି ପ୍ରଦାନ କରାଯାଇଥିବା ସମସ୍ତ ସ୍ୱେଛାସେବୀ ଶିକ୍ଷକ, ଶିକ୍ଷା ସହାୟକ, କନିଷ୍ଠ ଶିକ୍ଷକ(ଠିକା) ମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଏଥିସହିତ ସେମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ତଥା ପ୍ରାରମ୍ଭିକ ଦରମା ଭାବେ ୩୫ହଜାର ୪ଶହ ଟଙ୍କା ନିଯୁକ୍ତି ଦିନ ଠାରୁ ପ୍ରଦାନ କରାଯିବା ଓ ପୁରାତନ ପେନସନ ଯୋଜନାକୁ ପ୍ରଚଳନ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି । ତେଣୁ ମହାସଙ୍ଘର ଏହି ନାର୍ଯ୍ୟ ଦାବି ଗୁଡିକ ପୁରଣ କରାନଗଲେ ମହାସଙ୍ଘ ବାଧ୍ୟ ହୋଇ ଆସନ୍ତା ବିଧାନସଭା ବୈଠକ ସମୟରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ମହାସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ(ନୂତନ ପେନସନ ଯୋଜନା)ର କେନ୍ଦ୍ରାପଡା ଜିଲ୍ଲା ସଭାପତି ଅନନ୍ତ କୁମାର ପରିଡା, ବ୍ଲକ ସଭାପତି ବିଶ୍ୱବନ୍ଧୁ ଜେନା, ସମ୍ପାଦକ ସେକ ଖୁତିବ, ଉପସଭାପତି କାକୁଲି ମଲ୍ଲିକ, ସହସମ୍ପାଦକ ମନୋରଞ୍ଜନ ମହାପାତ୍ର, ମଞ୍ଜୁଲତା ବେହେରା, କାର୍ଯ୍ୟକାରୀ ସଭାପତି ମହମ୍ମଦ ଅସଗର ଅଲ୍ଲୀ, ଉପଦେଷ୍ଟା ଦାଶରଥୀ ନାୟକ, କ୍ଲଷ୍ଟର ସଂଯୋଜକ ଅଚ୍ୟୁତାନନ୍ଦ ସାମଲ, ସଂଗଠନ ସମ୍ପାଦକ ସେକ ମହମ୍ମଦ ଫାୟାଜୁଦ୍ଦିନ, ସଦାଶିବ ସାହୁ, ସେକ ମହମ୍ମଦ ଗୟାସୁଦ୍ଦିନ, ଶ୍ରୀଧର ସାହୁ, କାଳିପ୍ରସନ୍ନ ଶତପଥୀ, ବୀରବର ଦାସ ଓ ପ୍ରଭଞ୍ଜନ ରାଉତ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।