ମିଳିଲା ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତ ମଧୁପୁର ଗ୍ରାମର ନବଘନ ବାରିକଙ୍କୁ ଏକ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ବ୍ଲକ ପକ୍ଷରୁ ଯୋଗାଇ ଦିଆଯାଇଛି । ନବଘନ ଗତ ୧୨ବର୍ଷ ଧରି ଟ୍ରେନଲାଇନରେ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ । ଗତ ଜୁନ ୭ତାରିଖ ଦିନ ଯାଜପୁର ରେଲଲାଇନରେ କାମ କରୁଥିବା ସମୟରେ ହଠାତ ଝଡପବନ ଆସିବାରୁ ସେ ଓ ତାଙ୍କର କିଛି ସହକର୍ମୀ ସେଠାରେ ଦୀର୍ଘଦିନ ଧରି ଅଟକି ରହିଥିବା ଏକ ଟ୍ରେନ ଡବାତଳେ ଆଶ୍ରୟ ନେଇଥିଲେ । କିନ୍ତୁ ପ୍ରବଳ ପବନରେ ଟ୍ରେନଟି ହଠାତ ଗଡିଯିବାରୁ ୬ଜଣଙ୍କ ମୃତୁ୍ୟ ଘଟିବା ସହ କିଛି ଶ୍ରମିକ ଆହତ ହୋଇଥିଲେ । ତନ୍ମଧ୍ୟରୁ ସେ ଏହି ଦୁର୍ଘଟଣାରେ ଆହତ ହୋଇ ଗୋଟିଏ ଗୋହ ସମ୍ପୁର୍ଣ୍ଣ ହରାଇଛନ୍ତି । ଗତ ଜୁଲାଇ ୨ତାରିଖ ଦିନ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି । ଏବେ ସେ ଘରେ ପଡି ରହିଥିବାବେଳେ ପ୍ରତି ସପ୍ତାହରେ ଥରେ କଟକ ଯାଇ ଡ୍ରେସିଂ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସେ ଏକ ଗରିବ ପରିବାରର ହୋଇଥିବାବେଳେ ୫ପରାଣି କୁଟୁମ୍ବ ତାଙ୍କ ରୋଜଗାର ଉପରେ ନିର୍ଭରଶୀଳ ଥିଲେ । ଏବେ ସେ ବହୁ ଦୁଃଖକଷ୍ଟରେ କାଳତିପାତ କରୁଛନ୍ତି । ସରକାର ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ କୌଣସି ସହାୟତା ଯୋଗାଇଦେଇ ନାହାନ୍ତି । ଏପରି ସ୍ଥିତିରେ ସେ ଗତ ଜୁଲାଇ ୧୦ତାରିଖ ଦିନ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ପରିବାର ପ୍ରତିପୋଷଣ ପାଇଁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ଯୋଗାଇଦେବାକୁ ନିବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ସହାୟତା ପାଇନଥିବା ନବଘନ ଅଭିଯୋଗ କରିଛନ୍ତି । ସେ ଜିଲ୍ଲାପାଳଙ୍କୁ ଭେଟିବାପରେ ତାଙ୍କୁ ମାସିକ ଭତ୍ତା ଯୋଗାଇ ଦିଆଯାଇଛି । ଟ୍ରାଇ ସାଇକେଲ ଟିଏ ନଥିବାରୁ ସେ ଅନ୍ୟର ସହାୟତାରେ ଯାତାୟତ କରୁଥିବାବେଳେ ତାଙ୍କର ଏପରି ଅବସ୍ଥା ଦେଖି ତାଙ୍କୁ ଏକ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲ ଯୋଗାଇ ଦେବାପାଇଁ ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଉଚ୍ଚ କତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ପ୍ରଶାସନର ଅନୁମୋଦନ ପରେ ଆଜି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀଶ୍ରୀ ସିଂ, କିରାଣି ଏସ. ପ୍ରତିକ ଆନନ୍ଦ, ଯୁବନେତା ଅଭିମନୁ୍ୟ ସେଠୀ ପ୍ରମୁଖଙ୍କ ଉପସ୍ଥିତିରେ ତାଙ୍କୁ ଏହି ବ୍ୟାଟେରୀ ଚାଳିତ ଟ୍ରାଇକେଲ ଯୋଗାଇ ଦେବା ସହିତ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ତାଙ୍କୁ କିଛି ଆର୍ଥôକ ସହାୟତା ପ୍ରଦାନ କରିଥିଲେ ।