ମିଳୁନାହିଁ ବଜାର ସୁବିଧା ସଫଳ ଉଦ୍ୟାନ କୃଷି ଚାଷୀ ଉଚ୍ଚ ଶିକ୍ଷିତା ମମତା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଅତୀତରେ ଫୁଲ ଫଳ ଗଛ ଲଗାଇବା ଥିଲା ତାଙ୍କ ପାଇଁ ନିଶା। ସମୟର ତାଳେ ତାଳେ ଆଜି ଗଛ ଲଗାଇବା ନିଶାକୁ ରୂପାନ୍ତରିତ କରିଛନ୍ତି ପେଶାରେ। ବଜାର ସୁବିଧା ସିନା ନାହିଁ ହେଲେ ଉତ୍ସାହ ଓ କର୍ମ କୁଶଳତା ଯୋଗୁ ଫୁଲ ଫଳ ତଥା ପନିପରିବା ଚାଷ କରି ଆଜି ସେ ଅନ୍ୟମାନଙ୍କ ପାଇଁ ପାଲଟିଯାଇଛନ୍ତି କେନ୍ଦ୍ରବିନ୍ଦୁ। ଆମେ କହୁଛୁ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଗ୍ରାମର ଉଚ୍ଚ ଶିକ୍ଷିତା ସଫଳ ମହିଳା ଚାଷୀ ମମତା ସାମଲଙ୍କ କଥା। ମମତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଏସଇ ହୋଇଥିବା ବେଳେ ଏବେ ସେ ଜଣେ ମହିଳା ଚାଷୀ ଭାବେ ଅଞ୍ଚଳରେ ବେଶ ଜଣାଶୁଣା। ଝିଅ ବେଳେ ବିଭିନ୍ନ ଗଛ ଲଗାଇବା ନିଶା ଏବେ ତାଙ୍କ ପାଇଁ ଏହା ବ୍ୟବସାୟ ଭିତ୍ତିଭୂମି ଗଢିବାରେ ସହାୟ ହୋଇପାରିଛି। ଆଜକୁ ପାଞ୍ଚ ଛଅ ବର୍ଷ ପୂର୍ବରୁ ସେ ନିଜ ବାଡ଼ିରେ ପନିପରିବା, ଫୁଲଫଳ ଗଛ ଲଗାଇ ଏହାକୁ ବ୍ୟବସାୟ ଭିତ୍ତିରେ ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ଜୀବିକା ମିଶନ, ଉଦ୍ୟାନ କୃଷି ଏବଂ ଓଡିଶା କୃଷି ବିଜ୍ଞାନ କେନ୍ଦ୍ର ପରାମର୍ଶ ଅନୁଯାୟୀ ନିଜ ଲକ୍ଷ୍ୟ ପଥରେ ମହିଳା ଚାଷୀ ଜଣକ ଆଗକୁ ବଢି ଚାଲିଛନ୍ତି। ସମ୍ପ୍ରତି ମମତା ପାଞ୍ଚ ଗୁଣ୍ଠରୁ ଅଧିକ ଜାଗାରେ ବଗିଚା ତିଆରି କରି ସେଥିରେ ଗୋଲାପ, ଗେଣ୍ଡୁ, ଗଜରା, ଚମ୍ପା, ଏକଜୋରା ଭଳି୧୦/୧୫ପ୍ରଜାତିର ଫୁଲ ଏବଂ ପିଜୁଳି, ଅମୃତଭଣ୍ଡା, ଆମ୍ବ ଭଳି ନୂତନ କିଷମର ଫଳ ଲଗାଇଥିବା ବେଳେ ବ୍ୟବସାୟ ଭିତ୍ତିରେ ଏହାର ହାଇବ୍ରିଡ଼ ଚାରା ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଏହାଛଡା ଅତ୍ୟାଧୁନିକ ଶୈଳୀରେ ଶାଗ ସହିତ ବିଭିନ୍ନ ପନିପରିବା ଚାଷ କରି ମମତା ଏବେ ଗ୍ରାମାଞ୍ଚଳ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ତାଙ୍କ ସ୍ୱାମୀ ସ୍ମୃତିରଞ୍ଜନ ଦାସ ଜଣେ ଶିକ୍ଷକ ଥିବା ବେଳେ ମମତା ମଧ୍ୟ ଓଡିଶା ଜୀବିକା ମିଶନ ଅଧୀନରେ ପଞ୍ଚାୟତରେ ସିଆରପି ଅଛନ୍ତି। ସେ ପାଉଥିବା ପାରିଶ୍ରମିକ ଓ ସ୍ୱାମୀଙ୍କ ବେତନରୁ କିଛି ଅର୍ଥ ବିନିଯୋଗ କରି ପନିପରିବା ଓ ଫୁଲ ଚାଷରେ ମନନିବେଶ କରିଥିବା ବେଳେ ସରକାରୀ ଭାବେ କୌଣସି ଋଣ ଏଯାଏଁ ଆଣିନାହାନ୍ତି। ସବୁଠାରୁ ପରିତାପର ବିଷୟ ବଜାର ସୁବିଧା ନଥିବାରୁ ଉତ୍ପାଦନ ହେଉଥିବା ପନିପରିବା ଓ ଫୁଲର ସେ ସଠିକ ପାରିଶ୍ରମିକ ପାଇପାରୁନାହାନ୍ତି। ତଥାପି ଭବିଷ୍ୟତର ଆଶା ରଖି ଗ୍ରାମାଞ୍ଚଳର ଜଣେ ଉଚ୍ଚ ଶିକ୍ଷିତା ମହିଳା କୃଷିଭିତ୍ତିକ କାର୍ଯ୍ୟରେ ମନ ନିବେଶ କରିବା ଗୌରବର ବିଷୟ ଅଟେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ