ମିଳୁନି ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି

ହିଞ୍ଜିଳିକାଟୁ, (ୱାଇଏନଏସ):ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଅଂଚଳରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଉଗ୍ର ରୂପ ଦେଖାଇବା ଆରମ୍ଭ କରିଛି । ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର କିଛି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଡଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ପୌରାଂଚଳର ମୁଖ୍ୟ ରାସ୍ତା ସମେତ ୬,୧୦.୧୨ ଓ ୧୬ନଂ ୱାର୍ଡ଼କୁ କଂଟେନମେଂଟ ଜୋନ ଓ ପୌରାଂଚଳର ଅବଶିଷ୍ଟ ୱାର୍ଡ଼ ଓ ପୌରାଂଚଳର ୩ କିଲୋମିଟର ପରିଧି ପର୍ଯ୍ୟନ୍ତ ଅଂଚଳକୁ ବଫରଜୋନ ଅଂଚଳ ଭାବେ ଘୋଷଣା କରିଛନ୍ତି । ଏଥି ସହ ପୌରାଂଚଳର ବିଭିନ୍ନ ୱାର୍ଡ଼ର ପ୍ରବେଶ ପଥକୁ ସିଲ୍ କରାଯାଇଛି । ଡ଼ାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯିବା ସହ ଔଷଧ ଦୋକାନ ସମେତ କ୍ସ୍ ବ୍ୟବସାୟିକ ପ୍ରତିଷ୍ଠାନକୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ନେଇ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଏଭଳି ଦୁର୍ଦ୍ଦିନ ସମୟରେ ସହରବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ପୌର ପରିଷଦ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ଅନଲକ-୧ ପ୍ରକାରେ ଜୁନ ମଙ୍କସର ପ୍ରତି ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସଟଡ଼ାଉନ ଘୋଷଣା କରାଯାଇଥିବା ବେଳେ ରବିବାର ପୂର୍ବାହ୍ନରେ ସ୍ଥାନୀୟ ଅଂଚଳର ଗୋଷ୍ଠୀ ସଂକ୍ରମଣର ମୁକାବିଲା କରିବା ଲାଗି ପୌର ପ୍ରଶାସନ ପକ୍ଷରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ କଂଟେନମେଂଟ ଓ ବଫରଜୋନ ଘୋଷଣା କରାଯାଇଛି । ସହରବାସୀ କେବଳ ୨ ଦିନ ସଟଡ଼ାଉନକୁ ଲକ୍ଷ୍ୟ ରଖି ଅତ୍ୟାବଶ୍ୟକ ସମାଗ୍ରୀ ଘରକୁ ନେଇ ଆସିଥିଲେ । ହଠାତ୍ ଲମ୍ବା ସମୟ ସକାଶେ ସ୍ଥାନୀୟ ସହରକୁ ସିଲ୍ କରାଯିବା ଯୋଗୁଁ ଜନସାଧାରଣଙ୍କ ନିକଟରେ ଅଧିକ ଦିନ ପାଇଁ ରାସନ କିମ୍ବା ପନିପରିବରା ମହଜୁଦ ନାହିଁ । ଯାହା ଫଳରେ ଏ ନେଇ ସହରବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ପୌରାଂଚଳବାସୀଙ୍କୁ ହାତ ପାହାନ୍ତାରେ ପନିପରିବା ଯୋଗାଇ ଦେବା ଲକ୍ଷ୍ୟରେ ୩୬ ଜଣ ବ୍ୟବସାୟୀଙ୍କୁ ଘରକୁ ଘର ବୁଲି ପନିପରିବା ବିକ୍ରି କରିବା ଲାଗି ଅନୁମତି ପ୍ରଦାନ କରାଯାଇଥିବା ବେଳେ ପୌରାଂଚଳର ପ୍ରତ୍ୟେକ ୱାର୍ଡ଼ରେ ପନିପରିବା ଉପଲବ୍ଧ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ସେହିପରି ରାସନ ସାମଗ୍ରୀ ଯୋଗାଇ ଦେବା ଲକ୍ଷ୍ୟରେ ପୌର ପରିଷଦ ପକ୍ଷରୁ ଫୋନ୍ ନଂ- ୦୬୮୧୧-୨୮୦୦୨୫ କିମ୍ବା ଟୋଲ ଫ୍ରୀ ନଂ-୧୮୦୦୧୨୩୦୦୪୫୬୭ ରେ ଯୋଗାଯୋଗ କଲେ ଖାଉଟିଙ୍କୁ ରାସନ ସାମଗ୍ରୀ ପଂହଚାଇବା ସକାଶେ ପୌର ପରିଷଦର କର୍ମଚାରୀ ସହାୟକ ହେବେ ବୋଲି କୁହାଯାଇଛି । ଉକ୍ତ ସେବା ମଙ୍ଗଳବାର ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ, ଏତି ସକାଶେ ୪ଟି ସିଫ୍ଟରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି । ତେଣେ ସମସ୍ତ ଦୋକାନ ବଜାର ବନ୍ଦ ଥିବା କାରଣରୁ ସହରବାସୀ ବିକଳ୍ପ ବ୍ୟବସ୍ଥା ନପାଇ ଭୋକ ଉପାସରେ ରହିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅପରପକ୍ଷରେ ବର୍ତମାନ କରୋନା ପରିସ୍ଥିତିକୁ ନଜର ଦେଲେ ଲକଡ଼ାଉନ ସମୟକୁ ଯେଭଳି ଭାବେ ବାରମ୍ବାର ପରିବର୍ତନ କରାଯାଇ ଅବଧି ବୃଦ୍ଧି କରାଯାଉଛି, ଠିକ୍ ସେହିପରି କଂଟେନମେଂଟ ଓ ବଫରଜୋନ ସମୟ ଅବଧି ବୃଦ୍ଧି କରାନଯିବ ସେଥିପ୍ରତି କୌଣସି ପ୍ରଶାସନିକ ଅଧିକାରୀଙ୍କ ଠାରୁ ନିର୍ଭର ପ୍ରତିଶୃତି ମିଳି ପାରିନାହିଁ । ଯଦ୍ୱାରା ଖାଉଟିଙ୍କ ଚିନ୍ତା ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ କିଛି ମୁନାଫଖୋର ବ୍ୟବସାୟୀ ଏହାର ସୁଯୋଗ ନେଇ ଚଢା ଦରରେ ଗଳାବାଟ ଦେଇ ସାମଗ୍ରୀ ବିକ୍ରି କରୁଛନ୍ତି । ପ୍ରାୟତଃ ସମସ୍ତ ୱାର୍ଡ଼ ଗୁଡ଼ିକର ପ୍ରବେଶ ପଥ ଗୁଡ଼ିକ ସିଲ୍ କରାଯାଇଥବା ଯୋଗୁଁ ପୌର ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବା ପନିପରିବା ବ୍ୟବସାୟୀ ମାନେ ସାଇକେଲ କିମ୍ବା ମୋପେଡ଼ ଯୋଗେ ଆସିବା କମି ଯାଇଛି । ଯଦ୍ୱାରା ସମସ୍ତ ୱାର୍ଡ଼ର ଲୋକେ ପନିପରିବା କିଣିବାରୁ ବଂଚିତ ହେଉଛନ୍ତି । ଏଭଳି ସ୍ଥିତି ପୂର୍ବରୁ କେବେ ହୋଇନଥିଲା । କରୋନକୁ ପ୍ରତିହିତ କରିବାକୁ ପ୍ରଶାସନ ନେଉଥିବା ପଦକ୍ଷେପକୁ ସଭିଏଁ ସ୍ୱାଗତ କରୁଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇବା ଦିଗରେ ଉଚିତ ପଦକ୍ଷେପ ନିଆଯାଉନଥିବାରୁ ଖାଉଟିଙ୍କ ଚିନ୍ତା ବଢିବାରେ ଲାଗିଛି । ତେବେ ପୌର ପ୍ରଶାସନ ପକ୍ଷରୁ ମୋବାଇଲ ନମ୍ବର ତାଲିକା ପ୍ରଦାନ କରାଯାଇଥିବା ବେଳେ ଏହାକୁ ଅଧିକ ପ୍ରଚାର ପ୍ରସାର କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ