ମିଳୁନି ଆବାସ ଯେଜନା ଗୃହ, ଜରିପାଲ ଟଣା ଘରେ ଭିନ୍ନକ୍ଷମଙ୍କ ପରିବାର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତର ଷଡଙ୍ଗ ଗ୍ରାମରେ ଜଣେ ଗରିବ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଆବାସ ଯୋଜନା ଘର ମିଳିନଥିବାବେଳେ ଏବେ ସେ ଏକ ଜରିପାଲ ଟଣା ଘରେ ବସବାସ କରୁଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ ଗ୍ରାମର ସନାତନ ବଳ ଓ ତାଙ୍କ ପତ୍ନୀ ଅମୀୟବାଳା ପୁହାଣ ଅତ୍ୟନ୍ତ ଗରିବ ଶ୍ରେଣୀର । ଏକ ଜରିପାଲ ଟଣା ଭଙ୍ଗା ଘରେ ବସବାସ କରୁଥିବାବେଳେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ୭ମାସ ତଳେ ଆବେଦନ କରିଥିଲେ । କେତେ ଆଶା କରିଥିଲେ ଚଳିତଥର ଘର ଖଣ୍ଡିଏ ପାଇବେ ବୋଲି । ବ୍ଲକରେ ୧୦ହଜାର ଘର ବଣ୍ଟନ କରାଯାଇଥିବାବେଳେ ଅନେକ ସ୍ଥାନରେ ଥିଲାବାଲାଙ୍କୁ ଏବଂ ଦୁଇ ତିନି ମହଲା କୋଠାଘର ଥିବା ଲୋକଙ୍କୁ ଆବାସ ଯୋଜନା ଘର ମିଳିଥିବାବେଳେ ତାଙ୍କୁ ଆବାସ ଯୋଜନା ଘର ମିଳିପାରିଲାନି । ସନାତନ ବଳ ୩ବର୍ଷ ହେଲା ବ୍ରେନ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ପାରାଲିସିସି ରୋଗରେ ପିଡିତ ଥିବାବେଳେ ସେ ଚଲାବୁଲା କରିପାରୁ ନାହାନ୍ତି । ଏପରି ସ୍ଥଳେ ପତ୍ନୀ ଅମୀୟବାଳା ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଲେଣି । ଏପରି ଅବସ୍ଥାରେ ୪ପରାଣୀ କୁଟୁମ୍ବଙ୍କୁ ଧରି ଏକ ଜରିପାଲ ଟଙ୍କା ଭଙ୍ଗାଘରେ କାଳାତିପାତ କରୁଛନ୍ତି । ଜିଲ୍ଲା ପ୍ରଶାସନ ତାଙ୍କପ୍ରତି ସଦୟ ଦୃଷ୍ଟି ଦେଇ ଆବାସ ଯୋଜନା ଘର ଖଣ୍ଡିଏ ଯୋଗାଇ ଦେବାକୁ ଅମୀୟବାଳା ନିବେଦନ କରିଛନ୍ତି ।