ମିଳୁନି ଭତ୍ତା, ବ୍ଲକ ସମ୍ମୁଖରେ ବସିଲେ ହିତାଧିକାରୀ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କର୍ତ୍ତୁପକ୍ଷ ଭତ୍ତା ବଣ୍ଟନରେ ସ୍ୱଚ୍ଛତା ଆଣିବାପାଇଁ ବାରମ୍ବାର କହିଚାଲିଥିଲେବି ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ନକରିବାରୁ ଅନେକ ଗରିବ ବୃଦ୍ଧ, ବୃଦ୍ଧା ଓ ବିଧବା ହିତାଧିକାରୀ ମାନେ ୪/୫ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଆଜି କିଛି ିହିତାଧିକାରୀ ବହୁ ଦୁର ଦୁରାନ୍ତରୁ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ବସିଥିବା ଦେଖିବାକୁ ମିଳିଥିଲା । ସଢ଼ା ଗ୍ରାମର ଅନ୍ନପୁର୍ଣ୍ଣା ସୁତାରଙ୍କ କହିବାନୁଯାଇ ସେ ଆଜକୁ ୫ମାସ ହେଲା ଭତ୍ତା ପାଇପାରୁ ନାହାନ୍ତି । ପୁର୍ବରୁ ଅନେକଥର ଆସି ଭତ୍ତା ବିଭାଗର କର୍ମଚାରୀ ମାନଙ୍କୁ ଭେଟିଥିଲେବି ଦିନେ ଦୁଇଦିନ ଭିତରେ ହୋଇଯିବ କହି ତାଙ୍କୁ ଫେରାଇ ଦିଅନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳିପାରୁନି । ଏହି ଭତ୍ତା ଟଙ୍କାରେ ସେ ଔଷଧପତ୍ର ଟିକିଏ କିଣି ଖାଉଥିବାବେଳେ ୫ମାସ ହେଲା ଅତି ଦୁଖଃକଷ୍ଟରେ କାଳାତିପାତ କରୁଛନ୍ତି । ଆଜି ସକାଳୁ ବ୍ଲକକୁ ଆସି କର୍ମଚାରୀଙ୍କୁ ଭେଟିବାକୁ ବସିଥିବାବେଳେ ଭତ୍ତା ବିଭାଗ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ସେ ବିଡିଓଙ୍କୁ ଅଭିଯୋଗ କରିବେ ବୋଲି କହିଛନ୍ତି । ସେହିପରି ଡଅଁର ଗ୍ରାମର ମନୋରମା ନାୟକ, ମନୋରମା ଓଝା, ମଞ୍ଜୁଲତା ପହି ୩ମାସ ହେଲା ଭତ୍ତା ପାଇପାରୁ ନାହାନ୍ତି । ସେମାନଙ୍କୁ ଗତ ୨୦୨୧ ମସିହା ଅକ୍ଟୋବର ମାସରୁ ଭତ୍ତ ପାଇଆସୁଥିବାବେଳେ ତାଙ୍କୁ ଗତ ଏପ୍ରିଲ ମାସରୁ ଭତ୍ତା ଦିଆଯାଉ ନାହିଁ । ଏନେଇ ସେମାନେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସି କର୍ମଚାରୀ ମାନଙ୍କୁ ନପାଇ ଫେରିବାକୁ ବାଧ୍ୟ ହେଉଛନ୍ତି । ସେହିପରି ସଢ଼ା ଗ୍ରାମର କମଳାପାତ୍ର ୫ମାସ ହେଲା ଭତ୍ତା ନପାଇ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆଜି ଭତ୍ତା ବିଭାଗର କୌଣସି କର୍ମଚାରୀ ଉପସ୍ଥିତ ନଥିବାରୁ ବିଡିଓ ବ୍ଲକ କାର୍ଯ୍ରାଳୟକୁ ଆସିବାପରେ ହିତାଧିକାରୀ ମାନେ ଭେଟି ତାଙ୍କୁ ଅଭିଯୋଗ କରିଥିଲେ । ଭତ୍ତା ବିଭାଗର କର୍ମଚାରୀମାନେ ଆସିଲେ କଣ ହୋଇଛି ବୁଝିବି ବୋଲି କହି ତାଙ୍କୁ ଫେରାଇଥିବା ହିତାଧିଭାରୀମାନେ ଅଭିଯୋଗ କରିଛନ୍ତି । ଯଦି ୭ଦିନ ଭିତରେ ତାଙ୍କୁ ଭତ୍ତା ଦିଆନଯାଏ ତେବେ ସେମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନସନ କରିବେ ବୋଲି କହିଛନ୍ତି ।