ମିଶନାରୀ ସଂସ୍ଥାକୁ ଆର୍ଥିକ ସହାୟତା ଘଟଣାକୁ ନେଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ସରକାର ମିଶନାରୀ ଅଫ୍ ଚାରିଟି ସଂସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୭୮ ଲକ୍ଷ ୬୭ ହଜାର ଟଙ୍କାର ସହାୟତା ଦେବାକୁ ଘୋଷଣା କରିଥିବାରୁ ଏ ବିଷୟକୁ ନେଇ ବିଶ୍ୱହିନ୍ଦୁ ପରିଷଦ ଓଡିଶା, ହିନ୍ଦୁ ଜାଗରଣ ମଂଚ ଓଡିଶା ଓ ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ଓଡିଶାର ମହାମହିମ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଆଜି ବିଶ୍ୱହିନ୍ଦୁ ପରିଷଦର ରାଜ୍ୟସଭାପତି ପ୍ରଫେସର ଡ. ପ୍ରଫୁଲ କୁମାର ମିଶ୍ରଙ୍କ ନେତୃତ୍ୱରେ ପରିଷଦର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଆନନ୍ଦ କୁମାର ପାଣ୍ଡେ, ହିନ୍ଦୁ ଜାଗରଣ ମଂଚର ସଭାପତି ଅଜିତ କୁମାର ପଟ୍ଟନାୟକ ଏବଂ ବନବାସୀ କଲ୍ୟାଣ ଆଶ୍ରମର ରାଜ୍ୟ ସାଧାରଣ ସଂପାଦକ ଚନ୍ଦ୍ରକାନ୍ତ ନାଥଙ୍କ ସମେତ ଏକ ୪ ଜଣିଆ ପ୍ରତିନିଧି ମଣ୍ଡଳ ଓଡିଶାର ରାଜଭବନରେ ମହାମହିମ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମାନ୍ୟବର ରାଜ୍ୟପାଳ ଉକ୍ତ ବିଷୟରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀଙ୍କର ସଂବିଧାନ ବିରୋଧି ପଦକ୍ଷେପକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ପଦକ୍ଷେପ ନେବା ସହିତ ଭବିଷ୍ୟତରେ ଏଭଳି ସମ୍ବିଧାନ ଓ ସମାଜ ବିରୋଧି କାର୍ଯ୍ୟ ଯେପରି ନ ହୁଏ ସେଥିପ୍ରତି ଉପଯୁକ୍ତ ଧ୍ୟାନ ଦେବା ପାଇଁ ପ୍ରତିନିଧି ମଣ୍ଡଳ ଅନୁରୋଧ କରିଛନ୍ତି । ରାଜ୍ୟପାଳଙ୍କୁ ପ୍ରଦତ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ,ଓଡିଶା ଏକ ହିନ୍ଦୁବହୁଳ ରାଜ୍ୟ, ଯେଉଁଠାରେ ବିଭିନ୍ନ ସଂପ୍ରଦାୟ ଓ ଭାଷାଭାଷୀ ଲୋକମାନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ରହି ଆସୁଛନ୍ତି । ବେଳେ ବେଳେ ଅନ୍ୟ ସଂପ୍ରଦାୟର ବିଚ୍ଛିନ୍ନତାବାଦୀ ମାନସିକତା ଆମ ସମାଜକୁ ବିଶୃଙ୍ଖଳା ମଧ୍ୟକୁ ଠେଲିଦେଉଛି, ଉଦାହରଣ ସ୍ୱରୂପ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଓ ଭଦ୍ରକ ଦଙ୍ଗା ଇତ୍ୟାଦି, ଯାହା ଅନ୍ୟ ସଂପ୍ରଦାୟର ବହୁ ସଂଖ୍ୟକଙ୍କ ଉପରେ ଅତ୍ୟାଚାରର ନିଦର୍ଶନ ଓ ସରକାରୀ ପ୍ରୋତ୍ସାହନ ଇତ୍ୟାଦିର ପ୍ରମାଣ ଦେଇଥାଏ । ନିଜକୁ ସ୍ୱଚ୍ଛ ନିର୍ମଳ ଓ ଧର୍ମନିରପେକ୍ଷ କହି ଡିଣ୍ଡିମପିଟୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଖ୍ରୀଷ୍ଟିଆନ ସଂସ୍ଥାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୭୮,୭୬,୦୦୦ ଟଙ୍କା ଅନୁଦାନ ଦେବା ତାଙ୍କର ହିନ୍ଦୁ ବିରୋଧି ଏବଂ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ପ୍ରୋତ୍ସାହନ ଦେବାର ମାନସିକତାକୁ ପଦାରେ ପକାଇ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗରିବ ନିରୀହ ଲୋକମାନେ ଦରଖାସ୍ତ କରି ନିଜର ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ କିଛି ପାଇ ପାରନ୍ତି ନାହିଁ । ଏହି ପାଣ୍ଠି କେବଳ ଜାତୀୟ ଦୈବୀଦୁର୍ବିପାକ ସମୟରେ ବ୍ୟବହୃତ ହୋଇଥାଏ । କିନ୍ତୁ ଏଠାରେ ବିନା ଦରଖାସ୍ତରେ ଅନାବଶ୍ୟକ ଭାବେ ଖ୍ରୀଷ୍ଟିୟ ସଂସ୍ଥାକୁ ଅନୁଦାନ ଦେବା ଆଦୌ ଗ୍ରହଣୀୟ ନୁହେଁ । ଏହା ଏକ ନିର୍ବାଚନୀ ଚାଲ ଓ ଭୋଟ ହାତେଇବା ରାଜନୀତି ପରି ମନେ ହୁଏ । ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମସ୍ତ ଧର୍ମ ସଂପ୍ରଦାୟ ସମାନ ହେବା ଦରକାର ହିନ୍ଦୁ ସଂଗଠନମାନଙ୍କ ଦ୍ୱାରା ପରିଚାଳିତ ସଂସ୍ଥାମାନଙ୍କୁ ଚାଉଳ (ରାସନ)ବନ୍ଦ କରୁଥିବା ମୁଖ୍ୟମନ୍ତ୍ରୀଙ୍କର ଖ୍ରୀଷ୍ଟିଆନ୍ ସଂସ୍ଥାପ୍ରତି ଅନୁଗ୍ରହ କାହିଁକି? ଉଦାହରଣ ସ୍ୱରୂପ କନ୍ଧମାଳ ଜିଲ୍ଲା ଜଳେଶପଟ୍ଟା କନ୍ୟାଶ୍ରମର ରାସନ୍ ବନ୍ଦ କରିବା । ବନବାସୀ, ହିନ୍ଦୁମାନଙ୍କ ଦ୍ୱାରା ପରିଚାଳିତ ସଂସ୍ଥାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଦରଦ ନାହିଁ । କିନ୍ତୁ ଖ୍ରୀଷ୍ଟିଆନ୍ ସଂସ୍ଥାକୁ ଦରଦ ଦେଖାଇବା ସଙ୍ଗେ ସଙ୍ଗେ ଜିଲ୍ଲାପାଳମାନଙ୍କ ପାଖକୁ ପଠାଯାଇଥିବା ଚିଠିକୁ କଦର୍ଥ କରି ମିଶନାରୀ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ସମାଜ ବିରୋଧି କାର୍ଯ୍ୟ ପରିମନେ ହୁଏ । କ’ଣ ଏଇ ରୁଗ୍‌ଣମାନସିକତା କାରଣରୁ ମାନ୍ୟବର ଜଜ୍ ଏ.ଏସ୍ ନାଇଡୁ ଓ ମାନ୍ୟବର ଜଜ୍ ପାଣିଗ୍ରାହୀଙ୍କର କମିଶନ୍ ରିପୋର୍ଟକୁ ଚାପି ରଖାଯାଇଛି କି ? କରୋନା ସମୟରେ ସାଧୁସନ୍ଥ ମଠ ମନ୍ଦିରମାନ ବହୁ ଆର୍ଥିକ ଅନାଟନର ସମ୍ମୁଖୀନ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଗଲା ନାହିଁ । କିନ୍ତୁ ବିନା ଦରଖାସ୍ତରେ ମିଶନାରୀଜ୍ ଅଫ୍ ଚାରିଟି ନାମକ ଖ୍ରୀଷ୍ଟିୟ ସଂସ୍ଥାକୁୁ ଅର୍ଥ ପ୍ରଦାନ କରି ପ୍ରୋତ୍ସାହନ ଦେବା ଏକ ରାଜନୈତିକ ଷଡଯନ୍ତ୍ର ପରି ମନେ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ