ମିଶନ ଇନ୍ଦ୍ରଧନୁଷ ୨.୦ ସମ୍ପର୍କିତ କର୍ମଶାଳା ଆୟୋଜିତ
ରାଜ୍ୟର ୫ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଟୀକାକରଣ ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ଭୁବନେଶ୍ୱରଠାରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡିଶା
ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ମାନସ ସାମନ୍ତରାୟ, ଯୋଗ ଦେଇଥିଲେ । ଏହି ଅବସରରେ
ଉଦ୍ବୋଧନ ଦେଇ ଶ୍ରୀ ମାଲବ୍ୟ କହିଛନ୍ତି ଯେ, ରାଜ୍ୟରେ ସମ୍ପୂର୍ଣ୍ଣ ଟୀକାକରଣ ଅଭିଯାନକୁ ସଫଳ କରିବା ଦିଗରେ କଳାକାରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ସୁଦୂର ଇଲାକାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥାନ୍ତି । ପାଲା, ଦାସକାଠିଆ
ଓ ଘୋଡାନାଚ ଭଳି ଲୋକକଳା ମାଧ୍ୟମରେ ସୂଚନାଧର୍ମୀ କାର୍ଯ୍ୟକ୍ରମ ରାଜ୍ୟର ୫ଟି ଜିଲ୍ଲାର ୫୦ଟି ସ୍ଥାନରେ ଆୟୋଜନ କରାଯିବ । ଏଥିରେ ଭୁବନେଶ୍ୱର ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଜନସଚେତନା ସୃଷ୍ଟି ପାଇଁ ଲୋକକଳାର ଗୁରୁତ୍ୱ ଉପରେ ଦୃଷ୍ଟିପାତ କରିବା ସହ କଳାକାରମାନେ ଜନସଚେତନତାର ବାର୍ତାବହ ରୂପେ ବର୍ଣ୍ଣନା କରିଥିଲେ । ଏ କାର୍ଯ୍ୟକ୍ରମରେ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଡଃ ଶଶୀଭୂଷଣ ପଣ୍ଡା, ଟୀକାକରଣ ପରାମର୍ଶଦାତା ଡଃ ଅନିଲ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଟୀକାକରଣର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । ଏହାବ୍ୟତୀତ ନୂଆଦିଲ୍ଲୀସ୍ଥିତ ଲୋକ ସମ୍ପର୍କ ଏବଂ ସଂଚାର ବ୍ୟୁରୋର ସହକାରୀ ନିର୍ଦ୍ଦେଶିକା ଶ୍ରୀମତୀ ଗୋପା ବିଶ୍ୱାସ ଏବଂ ଭୁବନେଶ୍ୱରର ନାଟକ ବିଶାରଦ ଗଜେନ୍ଦ୍ର ନାୟକ ଉପସ୍ଥିତ କଳାକାରମାନଙ୍କୁ ନାଚ ଗୀତ ମାଧ୍ୟମରେ ଲୋକଙ୍କ ନିକଟରେ ସଠିକ ସୂଚନା କିଭଳି ପହଂଚାଯାଇ ପାରିବ ସେ ସମ୍ପର୍କରେ ଅବଗତ କରାଇବା ସହିତ କଳାକାରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।