ମିଶନ ଶକ୍ତି ଗୃହ ହସ୍ତାନ୍ତର ହେଉନି, ଗଛ ମୁଳେ ଚାଲିଛି ବୈଠକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀର ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅନୁଦାନ ଯୋଗାଇ ଦେଇ ପ୍ରତି ପଞ୍ଚାୟତରେ ମିଶନଶକ୍ତି ଗୃହ ନିର୍ମାଣ କଲେ । ଏଥିପାଇଁ ବ୍ଲକ ମାଧ୍ୟମରେ ପ୍ରତି ପଞ୍ଚାୟତକୁ ମିଶନଶକ୍ତି ଗୃହ ନିର୍ମାଣ ପାଇଁ ୫ଲକ୍ଷ କରି ଅନୁଦାନ ଯୋଗାଇ ଦେବା ସହିତ ଏହି ଅନୁଦାନ ରାଶିରେ ଗୃହ ନିର୍ମାଣ ଆରମ୍ଭ ହେଲା । ଅନେକ ପଞ୍ଚାୟତରେ ଏହି ମିଶନଶକ୍ତି ଗୃହ ସମ୍ପୁର୍ଣ୍ଣ ହୋଇଥିବାବେଳେ ଆଉ କିଛି ପଞ୍ଚାୟତରେ ଅଧାପନ୍ତରିଆ ଭାବେ ପଡି ରହିଛି । କିନ୍ତୁ ହଦଗଡ ପଞ୍ଚାୟତରେ ମିଶନ ଶକ୍ତି ଗୃହ ଆଜକୁ ୮ମାସ ହେଲା ସମ୍ପୁର୍ଣ୍ଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘକୁ ହସ୍ତାନ୍ତର ହୋଇନି । ଫଳରେ ସ୍ୱୟ ସହାୟୀକା ଗୋଷ୍ଠୀର ବୈଠକ ସବୁ ଗଛ ମୁଳେ କିମ୍ବା କାହା ଘର ବାରଣ୍ଡାରେ କରାଯାଉଥିବାରୁ ସଦସ୍ୟାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହାସଂଘର ସଭାପତି ନିରୁପମା ସିଂ, ସମ୍ପାଦିକା ପଦ୍ମାବତୀ ସତପଥି, ଏମ.ବି.କେ ଅଞ୍ଜନା ନାୟକ, ସି.ଆର.ପି ପଦ୍ମାବତୀ ନାଏକ. ରଜନୀ ନାଏକ, ସୁମତୀ ଖଣ୍ଡେଇ, ସମସ୍ତ ଏସ.ଏସ.ଜି ଗ୍ରୁପର ସଭ୍ୟା ପ୍ରୀୟମ୍ବଦା ସ୍ୱାଇଁ, ମନୋରମା ନାଏକ, ସରସ୍ୱତୀ ଦାସ, ସରସ୍ୱତୀ ମୁଖୀ, ରଞ୍ଜିତା ଥାପା, ବିଦୁ୍ୟତଲତା ମହାନ୍ତି, ପ୍ରତିମା ସାହୁ ପ୍ରମୁଖ ଏକତ୍ରିତ ହୋଇ ଏହାର ତୀବ୍ର ବିରୋଧ କରିବା ସହିତ ଏହା ବିରୁଦ୍ଧରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ୱତି ନେଇଛନ୍ତି । ଯଦି ଏହି ମିଶନଶକ୍ତି ଘରକୁ ତୁରନ୍ତ ହସ୍ତାନ୍ତର କରାନଯାଏ ତେବେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ବ୍ଲକ ସମ୍ମୁକରେ ଧାରଣା ଦେବାକୁ ନିଷ୍ପତି ନେଇଥିବା ସୁଚନା ଦେଇଛନ୍ତି ।