ମିଶନ ଶକ୍ତି ୠଣ ସମ୍ପର୍କିତ ସଚେତନତା ଶିବିର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ମିଶନ ଶକ୍ତି ୠଣ ବ୍ୟବସ୍ଥା ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶିବିର ରେ ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଶିବିର ରେ ପଦ୍ମନାଭପୁର ପଞ୍ଚାୟତ ସରପଞ୍ଚ ବି . ସନ୍ଧ୍ୟାରାଣୀ ସୁବୁଦ୍ଧି , କରପଡା ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ଏଚ୍ ଡି ଏଫ୍ ସି ବ୍ୟାଙ୍କ ଅଫିସର ସନ୍ତୋଷ ରାଉତ , ସମିତି ସଭ୍ଯା ସୁନୀତା ରେଡ୍ଡୀ , ସଙ୍ଗୀତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମିଶନ ଶକ୍ତି ର କାର୍ଯ୍ୟକର୍ତ୍ତା ଅଜୟ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ କେନ୍ଦ୍ର ସରକାର ମହିଳା ମାନଙ୍କୁ ଆତ୍ମ ନିର୍ଭରଶୀଳ ତଥା କ୍ରିୟାଶୀଳ କରିବା ସକାଶେ ମିଶନ ଶକ୍ତି ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ଋଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଯଦ୍ବାରା ମହିଳା ମାନେ ଏହି ଋଣ ମାଧ୍ୟମରେ କିଛି ବ୍ୟବସାୟ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ ସ୍ବାବଲମ୍ବୀ ହେବାରେ ସହାୟକ ହୋଇପାରିବେ ବୋଲି ଉପସ୍ଥିତ ମହିଳା ମାନଙ୍କୁ ସଚେତନ କରାଯାଇଥିଲା । ତେଣୁ ଗ୍ରାମାଞ୍ଚଳ ମାନଙ୍କରେ ଅଧିକରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କିପରି ସଙ୍ଗଠିତ ହୋଇପାରିବ ସେ ନେଇ ଶିବିରରେ ବିଶେଷ ଆଲୋଚନା କରାଯାଇଥିଲା । ମହିଳା ମାନଙ୍କର ସୁଧ ଭାର କମାଇବା ସହ ବିଭିନ୍ନ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ କରାଇବା ସକାଶେ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ମିଶନ ଶକ୍ତି ଯୋଜନା ମାଧ୍ୟମରେ ଯୋଗ୍ୟ ସ୍ବୟଂ ସହାୟକ ଗୋଷ୍ଠୀ ନିଜ ବ୍ୟାଙ୍କରେ ସଠିକ ସମୟରେ ଋଣ ପରିଶୋଧ କରି ବାର୍ଷିକ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ୠଣ ପାଇପାରିବେ ବୋଲି ଅଧିକାରୀ ବୃନ୍ଦ ମତପ୍ରକାଶ କରିଥିଲେ। ଶିବିରରେ ବ୍ଳକ ଅଧିନସ୍ଥ ପଦ୍ମନାଭପୁର , ଜକର ,ଗଡଗୋବିନ୍ଦପୁର , ବମକୋଇ , କରପଡା ଆଦି ପଞ୍ଚାୟତର ୧୪୦ ଟି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ର କାର୍ଯ୍ୟକର୍ତ୍ତା ଓ ସଭ୍ୟା ବୃନ୍ଦ ଉପସ୍ଥିତ ଥିଲେ ।


