‘ମିଷ୍ଟର ଇଣ୍ଡିଆ ୨’ରେ ରଣବୀର-ଶାହରୁଖ!
ବଲିଉଡ୍ ରୋମାନ୍ସ କିଙ୍ଗ ଶାହରୁଖ ଖାନ ଗତ ବର୍ଷେ ହେବ ଫିଲ୍ମଠାରୁ ଦୂରରେ ଅଛନ୍ତି। ତାଙ୍କୁ ଶେଷ ଥର ପାଇଁ ‘ଜିରୋ’ ଫିଲ୍ମରେ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ଲାଗୁଛି ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଶାହରୁଖ ଖୁବ୍ଶୀଘ୍ର ରଣବୀର ସିଂଙ୍କ ସହିତ ‘ମିଷ୍ଟର ଇଣ୍ଡିଆ ୨’ରେ ନଜର ଆସିବାକୁ ଯାଉଛନ୍ତି।
ମିଡିଆ ରିପୋର୍ଟ ମୁତାବକ ନିର୍ଦେଶକ ଅଲୀ ଅବ୍ବାସ ଜାଫର ଖୁବ୍ଶୀଘ୍ର ‘ମିଷ୍ଟର ଇଣ୍ଡିଆ’ର ରିମେକ୍ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। ଏହାର ରିମେକ୍ରେ ରଣବୀର ସିଂ ଓ ଶାହରୁଖ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ‘ମିଷ୍ଟର ଇଣ୍ଡିଆ’ ସିନେମାରେ ଅନୀଲ କପୁର ଯେଉଁ ଚରିତ୍ରରେ ଅଭିନୟ କରିଥିଲେ, ରଣବୀର ଏହି ଫିଲ୍ମରେ ସେହି ଭୂମିକାରେ ଅଭିନୟ କରିବେ। ଶାହରୁଖ ମୋଗାମ୍ବୋ ଚରିତ୍ରରେ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଛି। ତେବେ ଏହାକୁ ନେଇ କୌଣସି ଔପଚାରିକ ଘୋଷଣା ହୋଇ ନାହିଁ। କିନ୍ତୁ ରଣବୀର ଏହି ରୋଲ୍କୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି କୁହାଯାଉଛି। ତେବେ ଶାହରୁଖ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଏ ପର୍ଯ୍ୟନ୍ତ ଦେଇ ନାହାନ୍ତି।
ତେବେ ଏହି ଖବର ଯଦି ସତ୍ୟ ବୋଲି ପ୍ରମାଣିତ ହୁଏ, ତେବେ ଶାହରୁଖଙ୍କୁ ମୋଗାମ୍ବୋ ଚରିତ୍ରରେ ଦେଖିବା ବେଶ୍ ମଜାଦାର ହେବ। ସୂଚନାଯୋଗ୍ୟ ଯେ ‘ମିଷ୍ଟର ଇଣ୍ଡିଆ’ ଫିଲ୍ମ ପରେ ଅମରିଶ ପୁରିଙ୍କୁ ଲୋକେ ମୋଗାମ୍ବୋ ନାମରେ ଡାକିଥିଲେ। ‘ମୋଗାମ୍ବୋ ଖୁସ୍ ହୁଆ’ ସଂଳାପଟି ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ପାଟିରେ ଶୁଣିବାକୁ ମିଳୁଥିଲା। ତେବେ ‘ମିଷ୍ଟର ଇଣ୍ଡିଆ ୨’ରେ ଶ୍ରୀଦେବୀଙ୍କ ଚରିତ୍ରରେ କିଏ ଅଭିନୟ କରିବେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।