ମିସ୍ ସନ୍ସାଇନ୍ ଇଲା ଲଣ୍ଡନ ପୋଷାକଠୁ ଆରମ୍ଭ କରି ସବୁକିଛି ହଳଦିଆ ରଙ୍ଗର

କିଏ ତାଙ୍କୁ କହେ “ଦି ୟେଲୋ ଲେଡି’ ତ ଆଉ କିଏ କହେ “ମିସ୍ ସନ୍ସାଇନ୍’ । କାରଣ ସେ ଏକ ହଳଦିଆ ରଙ୍ଗର ଦୁନିଆରେ ଜିଉଛନ୍ତି । ପୋଷାକଠୁ ଆରମ୍ଭ କରି ଗାଡ଼ି, ଆସବାବପତ୍ର, ଘର ସାଜସଜ୍ଜା ସାମଗ୍ରୀ ସବୁକିଛି ତାଙ୍କର ହଳଦିଆ ରଙ୍ଗର । ସେ ହେଉଛନ୍ତି ଲସ୍ଏଞ୍ଜେଲସ୍ର ୩୫ ବର୍ଷୀୟା ଇଲା ଲଣ୍ଡନ । ଗତ ୭ ବର୍ଷ ହେବ ହଳଦିଆ ରଙ୍ଗ ତାଙ୍କ ଦୁନିଆ ପାଲଟିଯାଇଛି । ହଳଦିଆ ରଙ୍ଗ ପାଇଁ ତାଙ୍କର ଭଲପାଇବା ଏକ ଘଟଣାରୁ ସୃଷ୍ଟି ହୋଇଥିଲା । ସେ ହେଉଛି-ଇଲାଙ୍କର ବିବାହ ନିର୍ଦ୍ଧାରିତ ହେବା ପରେ ସେ ଓ ତାଙ୍କ ବାଗ୍ଦତ୍ତା ଚାହିଁଥିଲେ ବିବାହକୁ ଏକ କଲର୍ ଥିମ୍ରେ କରିବା ପାଇଁ । ଧଳା, ଲାଲରଙ୍ଗ ତ ବିବାହରେ ବହୁଳ ବ୍ୟବହାର ହୁଏ । ଅନ୍ୟ ରଙ୍ଗର ବି ଊଣା ଅଧିକେ ବ୍ୟବହାର ହୋଇଥାଏ । ତେଣୁ କେଉଁ ରଙ୍ଗକୁ ବାଛିବେ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । ଶେଷରେ ତାଙ୍କ ବାଗଦତ୍ତା ପରାମର୍ଶ ଦେଲେ ହଳଦିଆ ରଙ୍ଗକୁ ନେଲେ କେମିତି ହେବ । ଇଲାଙ୍କ ବାପାଙ୍କର ବି ଏହି ରଙ୍ଗ ବହୁତ ପସନ୍ଦ ଥିଲା । ଇଲାଙ୍କୁ ଯେତେବେଳେ ୪ ବର୍ଷ ବୟସ ହୋଇଥିଲା ତାଙ୍କ ବାପାଙ୍କର ଦେହାନ୍ତ ହୋଇଯାଇଥିଲା । ତେଣୁ ଇଲାଙ୍କୁ ହଳଦିଆ ରଙ୍ଗର ଯୋଜନା ଭଲ ଲାଗିଲା । ପରେ ଧୀରେ ଧୀରେ ଏହି ରଙ୍ଗ ଯେମିତି ତାଙ୍କ ଜୀବନର ଅଂଶ ପାଲଟିଗଲା । ପୋଷାକଠୁ ଆରମ୍ଭ କରି ଘରର ଛୋଟବଡ଼ ସବୁ କିଛି ଜିନିଷକୁ ସେ ହଳଦିଆ ରଙ୍ଗରେ ରୂପାନ୍ତରିତ କରିବାକୁ ଲାଗିଲେ । ତାଙ୍କ ଟୟୋଟା ସିଓନ୍ ଏସ୍ବି କାର୍ର ରଙ୍ଗ ବି ହଳଦିଆ । ଏମିତି ଜୀବନ ବିତେଇ ସେ ପାଉଛନ୍ତି ଖୁସି । ତା’ସହ ସେ ଅନ୍ୟଙ୍କ ମୁହଁରେ ହସ ଫୁଟାଇବାକୁ ବି ସବୁବେଳେ ପ୍ରୟାସ କରିଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ