ମୁଁ ଶିବ, ମୋତେ କେହି ଦଣ୍ଡ ଦେଇପାରିବେନି : ସ୍ବାମୀ ନିତ୍ୟାନନ୍ଦ
ନୂଆଦିଲ୍ଲୀ : ଭାରତରେ ଅନେକ ଅପହରଣ ଓ ବଳାତ୍କାର ମାମଲାରେ ଅଭିଯୁକ୍ତ ଆତ୍ମଘୋଷିତ ଧର୍ମଗୁରୁ ସ୍ୱାମୀ ନିତ୍ୟାନନ୍ଦଙ୍କର ଏକ ନୂଆ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ସେ ନିଜର କିଛି ଅନୁଗାମୀମାନଙ୍କୁ କହୁଛନ୍ତି ଯେ ମୁଁ ହେଉଛି ପରମ ଶିବ । ମୋତେ କୌଣସି କୋର୍ଟ ଦଣ୍ଡିତ କରିପାରିବ ନାହିଁ । ଭିଡିଓରେ ସେ ନିଜର ଅନୁଗାମୀମାନଙ୍କୁ ଆହୁରି କହୁଛନ୍ତି ଯେ ସମଗ୍ର ଦୁନିଆ ଏବେ ମୋ ବିରୋଧରେ ହୋଇଯାଇଛି । କିନ୍ତୁ ତୁମେମାନେ ମୋ ସହିତ ରହି ମୋ ପ୍ରତି ଅନୁରକ୍ତି ଜାହିର କରିଛ । କେହି ବି ମୋତେ ଛୁଇଁ ପାରିବେ ନାହିଁ । ଆଉ ମୁଁ ତୁମକୁ ପ୍ରକୃତ ସତ୍ୟ ସହିତ ପରିଚିତ କରାଇବି । ବୁଝିପାରୁଛ ତ? ମୋତେ କେହି ସତ୍ୟ ପ୍ରକାଶ ପାଇଁ ଦଣ୍ଡିତ କରିପାରିବେ ନାହିଁ । ମୁଁ ହେଉଛି ପରମ ଶିବ । ମୁଁ ତୁମକୁ ଗ୍ୟାରେଣ୍ଟି ଦେଉଛି କି ତୁମମାନଙ୍କର ମୃତ୍ୟୁ ହେବ ନାହିଁ ।
ସୂଚନାଯୋଗ୍ୟ ଯେ, ଗୁଜୁରାଟର ଅହମ୍ମଦାବାଦ ସହରରେ ଦୁଇ ଜଣ ନାବାଳିକାକୁ ଅପହରଣ କରି ନିଜ ଆଶ୍ରମରେ ରଖିବା ଘଟଣାରେ ପୁଲିସ ତାଙ୍କ ବିରୋଧରେ ମାମଲା ଦାୟର କଲା ପରେ ସେ ବିନା ପାସପୋର୍ଟରେ ଦେଶରୁ ଫେରାର ହୋଇଯାଇଥିଲେ । ଏହା ପରେ ରିପୋର୍ଟ ଆସିଥିଲା ଯେ ସେ ଦକ୍ଷିଣ ଆମେରିକୀୟ ଦେଶ ଉକ୍ୱେଡରଠାରୁ ଏକ ଛୋଟିଆ ଦ୍ୱୀପ କିଣି ସେଠାରେ ‘କୈଳାସ’ ନାମରେ ଏକ ନୂଆ ଦେଶ ସ୍ଥାପନ କରିଛନ୍ତି । ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ଖୁବ ଶୀଘ୍ର ନିଯୁକ୍ତି କରାଯିବ ବୋଲି ସେ ପ୍ରକାଶ କରିଥିଲେ । କିନ୍ତୁ ଇକ୍ୱେଡର ସରକାର ଏହାକୁ ଖଣ୍ଡନ କରିଥିଲେ । ସେ କହିଥିଲେ ଯେ ସ୍ୱାମୀ ନିତ୍ୟାନନ୍ଦଙ୍କୁ ତାଙ୍କ ଦେଶରେ ଶରଣ ଦିଆଯାଇନାହିଁ କି ତାଙ୍କୁ କୌଣସି ଦ୍ୱୀପ ବିକ୍ରି କରାଯାଇନାହିଁ । ନୂଆଦିଲ୍ଲୀରେ ଇକ୍ୱେଡରର ରାଷ୍ଟ୍ରଦୂତ ମଧ୍ୟ ଏହାକୁ ଦୋହରାଇଥିଲେ ଏବଂ ସ୍ୱାମୀ ନିତ୍ୟାନନ୍ଦ ତାଙ୍କ ଦେଶରୁ ଏବେ ହାଇତିକୁ ପଳାଇଯାଇଥିବାର ସୂଚନା ଦେଇଥିଲେ । ଭାରତର ବିଦେଶ ମନ୍ତ୍ରଣାଳୟ ମଧ୍ୟ ନିକଟରେ କହିଥିଲା ଯେ, ଗୋଟିଏ ୱେବସାଇଟରେ ଦେଶ ଗଠନ ନେଇ ସୂଚନା ଦେବା ଏବଂ ବାସ୍ତବରେ ଦେଶ ଗଠନ କରିବା ଭିତରେ ବହୁତ ଫରକ ରହିଛି । ଭାରତ ସରକାର ମଧ୍ୟ ତାଙ୍କ ପାର୍ସପୋର୍ଟକୁ ରଦ୍ଦ କରିଦେବା ସହିତ ନୂଆ ପାର୍ସପୋର୍ଟ ପାଇଁ ତାଙ୍କର ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।