ମୁକୁଳା ପଡ଼ିଛି ବିଦ୍ୟୁତ ଟ୍ରାନସ୍ଫର୍ମର ବାଡ଼ ଦ୍ୱାରା ଆବଦ୍ଧ କରିବାକୁ ଦାବି
ବେଗୁନିଆ (ଜୁଗାବ୍ଦ ନ୍ୟୁଜ୍) : ବେଗୁନିଆ ଥାନା ବୋଲଗଡ଼ ବ୍ଲକ୍ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ନାରାୟଣୀପଡ଼ା ଆଦିବାସୀ ସାହିକୁ ଲାଗି ରାସ୍ତା ଉପରେ ଥିବା ବିଦ୍ୟୁତ୍ ଟ୍ରାନସ୍ଫର୍ମରଟି ଦୀର୍ଘ ଦିନ ହେବ ମୁକୁଳା ପଡ଼ିଛି । ଉକ୍ତ ଟ୍ରାନସ୍ଫର୍ମରଟି କେତେ ଖଣ୍ଡ ପଥର ଉପରେ ଭୂମି ଉପରୁ କମ୍ ଉଚ୍ଚତାରେ ରହିଛି । ବେଗୁନିଆ ଲୋଧାଚୁଆ ମୁଖ୍ୟରାସ୍ତାରେ ରାସ୍ତାର ଦୁଇପାଶ୍ୱର୍ରେ ଆଦିବାସୀ ଘରକରି ରହୁଥିବା ବେଳେ ଏଠାରେ ଥିବା ଏହି ବିଦ୍ୟୁତ୍ ଟ୍ରାନସ୍ଫର୍ମରକୁ ନେଇ ବିପଦ ଭିତରେ ଜୀବନ ଅତିବାହିତ କରୁଛନ୍ତି । ବେଗୁନିଆ ବ୍ଲକର ଏହି ରାସ୍ତାଟି ନୟାଗଡ଼ ଜିଲ୍ଲାର ରଣପୁରକୁ ସଂଯୋଗ କରୁଥିବାରୁ ରାସ୍ତାରେ ଶହ ଶହ ଗାଡ଼ି ମଟର ଓ ଜନସାଧାରଣ ଯାତାୟତ କରୁଛନ୍ତି । ଜନସାଧାରଣଙ୍କ ସମେତ ଛାତ୍ରଛାତ୍ରୀ ଏବଂ ଗୃହପାଳିତ ପଶୁ ଏହି ବାଟ ଦେଇ ଯାତାୟତ କରିଥାନ୍ତି । କିନ୍ତୁ ଟ୍ରାନସ୍ଫର୍ମରଟି ରାସ୍ତା କଡ଼ରେ ସାହିକୁ ଯିବା ବାଟରେ ମୁକୁଳା ଅବସ୍ଥା ଥିବାରୁ ଜନସାଧାରଣଙ୍କ ଜୀବନ ପ୍ରତି ଏହି ଟ୍ରାନସ୍ଫର୍ମର ବିପଦକୁ ଆମନ୍ତ୍ରଣ କରୁଥିଲେ ବି ବିଭାଗୀୟ କର୍ମଚାରୀ ଏଥିପ୍ରତି ଦୃଷ୍ଟି ନଦେବା ଗ୍ରାମବାସୀଙ୍କ ଜୀବନ ସହ ଖେଳିବା ସମାନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ କର୍ମଚାରୀଙ୍କୁ ଗ୍ରାମବାସୀ ଏହି ଟ୍ରାନସ୍ଫର୍ମରକୁ ଭୂମିଠାରୁ ଉଚ୍ଚରେ ରଖି ବାଡ଼ ଦ୍ୱାରା ଆବଦ୍ଧ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି ସେଥିପ୍ରତି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।