ମୁକେଶ ଅମ୍ବାନୀ ବିଶ୍ୱର ୭ମ ଧନୀ ବ୍ୟକ୍ତି
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ର ମୁଖ୍ୟ ମୁକେଶ ଅମ୍ବାନୀ ହୋଇଛନ୍ତି ବିଶ୍ୱର ସପ୍ତମ ଧନୀ ବ୍ୟକ୍ତି । ମୁକେଶଙ୍କ ସମ୍ପତ୍ତି ପରିମାଣରେ ଅହେତୁକ ବୃଦ୍ଧି ତାଙ୍କୁ ଏହି ସଫଳତା ଆଣିଦେଇଛି । ଜୁନରେ ଧନୀ ତାଲିକାରେ ୧୧ତମ ଏବଂ ଏହାର ଦିନକ ପରେ ୯ମ ସ୍ଥାନକୁ ଉଠିବା ପରେ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୭ମ ସ୍ଥାନକୁ ଉଠିଛନ୍ତି । ମୁକେଶ ଅମ୍ବାନୀଙ୍କ ବର୍ତ୍ତମାନର ସମ୍ପତ୍ତିର ମୂଲ୍ୟ ୭୦୧ ବିଲିୟନ ଡଲାରରେ ପହଞ୍ଚିଛି । ଏହା ସହ ସେ ୱର୍କସାୟାର ହାଥୱେର ମୁଖ୍ୟ ୱାରେନ ବଫେଙ୍କୁ ସମ୍ପତ୍ତି ତାଲିକାରେ ପଛରେ ପକାଇଛନ୍ତି । ଜୁନରେ ମୁକେଶ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ କ୍ଲବରେ ସାମିଲ ହୋଇଥିଲେ । ଶୁକ୍ରବାର ମୁକେଶଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସେୟାର ମୂଲ୍ୟ ଏହାର ସର୍ବକାଳୀନ ଶୀର୍ଶ ସ୍ତର ୧୮୮୪ ଟଙ୍କା ପଇସାକୁ ଉଠିଛି । ଏହା ଛଡ଼ା ରିଲାଏନ୍ସ ଗ୍ରୁପର ବଜାର ପୁଞ୍ଜି ୧୧.୯୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଜୁନରେ ମାତ୍ର ୫୮ ଦିନ ମଧ୍ୟରେ ୧,୬୮,୮୧୮ କୋଟି ଟଙ୍କା ନିବେଶ ଆସିବା ଏବଂ ତାଙ୍କ ଗ୍ରୁପ ଆରଆଇଏଲ ଏକ ନେଟ ଋଣମୁକ୍ତ କମ୍ପାନୀରେ ପରିଣତ ହେବା ଫଳରେ ମୁକେଶ ଧନୀ ତାଲିକାରେ ଗୁଗୁଲର ଲ୍ୟାରୀ ପେଜଙ୍କୁ ଅତିକ୍ରମ କରି ୯ମ ସ୍ଥାନକୁ ଉଠିଥିଲେ । ବର୍ତ୍ତମାନ ଆମାଜନ ପ୍ରତିଷ୍ଠାତା ଜେଫ ବେଜସ ୧୮୬.୮ ବିଲିୟନ ଡଲାରର ସମ୍ପତ୍ତି ସହ ତାଲିକାର ଶୀର୍ଷରେ ରହିଛନ୍ତି । ତାଙ୍କ ପଛକୁ ମାଇକ୍ରୋସଫ୍ଟର ବିଲ ଗେଟସ ୧୧୦.୫ ବିଲିୟନ ଡଲାରର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।


