ମୁକ୍ତ ପକ୍ଷୀ ଆମେ
ଆମ ଦେଶ ଭାରତବର୍ଷ ସୁନାର ଦେଶ. ଆମ ଦେଶରୁ ଇଂରେଜ, ଫରାସୀ, ପର୍ତ୍ତ୍ତୁଗୀଜ ଇତ୍ୟାଦି ବହୁ ଦେଶ ସୁନା ଚୋରେଇ ନେବାର ଇତିହାସ କହେ ଓ ସାକ୍ଷୀ ହୋଇ ରହିଛି . କୋହିନୁର ହୀରା ଓ ବିକ୍ରମାଦିତ୍ୟଙ୍କ ବହୁମୂଲ୍ୟ ରତ୍ନ ସିଂହାସନ କଥା ସମସ୍ତେ ଊଣା ଅଧିକେ ଜାଣନ୍ତି.ସେମିତି ଭାରତ ବର୍ଷରେ ଦେବତାମାନଙ୍କ ଶକ୍ତି ମଧ୍ୟ ଅତୁଳନୀୟ. ଶିବଠାକୁର ସମସ୍ତଙ୍କୁ ରକ୍ଷାକରିବା ପାଇଁ ହଳାହଳ ବିଷ ପିଇ ନୀଳକଣ୍ଠ ସାଜିଥିଲେ . ସେହିପରି ଶ୍ରୀକୃଷ୍ଣ ଗିରିଗୋବର୍ଦ୍ଧନ ପର୍ବତ ନିଜ କାଣୀ ଆଙ୍ଗୁଠିରେ ଟେକି ଗୋପପୁରବାସୀଙ୍କୁ ରକ୍ଷା କରିବା, ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ଟେକି ଆଣି ଲଷ୍ମଣଙ୍କୁ ବଞ୍ଚାଇଥିବା କଥା ଇତ୍ୟାଦି ଶୁଣି ଶୁଣି କୁନା ମୁନା ଦୁଇଭାଇ ଖୁବ ଖୁସି ହେଲା ବେଳେ ଯେତେବେଳେ ଗଣେଷ ଓ କାର୍ତ୍ତିକଙ୍କ କଥା ପଡେ ସେ ଦୁଇ ଭାଇ କେମିତି ପୃଥିବୀ ପରିଭ୍ରମଣ କରିବାକୁ ଯାଇ କାର୍ତ୍ତିକଙ୍କୁ ବହୁତ ଦିନ ଲାଗିଥିଲେ ମଧ୍ୟ ଗଣେଷ ନିଜ ପିତା ମାତାଙ୍କ ଚାରିପଟେ ବୁଲି ଆସି କହିଥିଲେ ପୃଥିବୀଙ୍କଠୁ ମଧ୍ୟ ପିତା ମାତା ବଡ଼.ତେଣୁ ମୁଁ ପୃଥିବୀ ପରିକ୍ରମା ନକରି ପିତାମାତାଙ୍କ ଚାରିପଟେ ପ୍ରଦକ୍ଷିଣ କରି ପୃଥିବୀ ପରିକ୍ରମା କରିପାରିଛି.ଏହି ଗପଟି ଶୁଣି କୁନା ଓ ମୁନା ଦୁଇ ଭାଇ ନିଜକୁ ଗଣେଷଙ୍କ ଭଳି ବୁଦ୍ଧିମାନ ହେବାକୁ ଭାବୁଥାଆନ୍ତି.ସେଦିନ ଏପ୍ରିଲ ଏକ ତାରିଖ ପାଇଁ ଦୁଇଭାଇ ବାପାଙ୍କୁ ବକୃତା ଲେଖିଦେବାକୁ କହିବାରୁ ବାପା ଲେଖିକି ଦେଇ କହିଥିଲେ ଏଥିରୁ ଯାହା ବୁଝିଲ ନିଜେ ନେଜେ ନିଜ ଭାଷାରେ କହିବ. ବାପା ଲେଖିଥିଲେ ଉତ୍କଳ ଦିବସ ବିଷୟରେ କିଛି ଓ କୁନା ମୁନା ତାକୁ ପଢି ପ୍ରସ୍ତୁତ ହେଉଥିଲେ ବକ୍ତୃତା ପ୍ରତିଯୋଗିତା ପାଇଁ. ପାଖରେ ପୋଷା ଶୁଆ ମିଠୁ ଏପଟ ସେପଟ ହେଉଥାଏ ମୁକ୍ତ ପକ୍ଷୀଟିଏ ପରି ରହିଥାଏ କୁନା ମୁନାଙ୍କ ଘରେ.
ବାପା ଲେଖିଥାନ୍ତି ଯେ କଳିଙ୍ଗ ବା ଉତ୍କଳ ବା ଉଡ୍ର ଏକ ପ୍ରାଣମୟ ଭୂଖଣ୍ଡ. ସମଗ୍ର ଭାରତବର୍ଷରେ ଏକ ଉନ୍ନତ ତଥା ବିଭବଶାଳୀ ରାଜ୍ୟ ଭାବେ ପରିଚିତ ଥିଲା. ନଦନଦୀ, ପ୍ରକୃତି ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ ଉତ୍କଳ. ସମଗ୍ର ଭାରତବର୍ଷରେ ଏହାର ସ୍ଥାନ ସ୍ୱତନ୍ତ୍ର ଥିଲା. କପିଳ ସଂହିତା ଅନୁସାରେ ବର୍ଷାଣାଂ ଭାରତ ଶ୍ରେଷ୍ଠ, ଦେଶାନା ଉତ୍କଳ ଶ୍ରୁତଃ, ଉତ୍କଳସ୍ୟ ସମୋଦେଶଃ, ଦେଶନାସ୍ତି ମହୀତଳେ. ତ୍ୟାଗ, ତିତିକ୍ଷା, ବୀରତ୍ୱ ବଳିଦାନର ଏହି ଭୂମି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିବାର କ୍ଷମତା ରଖେ. କାଳଚକ୍ରରେ ଗଙ୍ଗାଠାରୁ ଗୋଦାବାରୀ ପରିବ୍ୟାପ୍ତ ଉତ୍କଳ ଭୂମି ସଂକୁଚିତ ହୋଇଯାଇଥିଲେ ମଧ୍ୟ ଉଣେଇଶଶହ ଛତିଶ ମସିହା ଏପ୍ରିଲ ଏକ ତାରିଖରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପେ ମାନ୍ୟତା ପାଇ ଉତ୍କଳ, କଳିଙ୍ଗ ତଥା ଉଡ୍ରରୁ ଓଡିଶା ରାଜ୍ୟ ବୋଲି ଆଜି ସର୍ବଜନବିଦିତ.
ଏପ୍ରିଲ ମାସର ଏକ ତାରିଖଟି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଚିରସ୍ମରଣୀୟ ଦିବସ. ପ୍ରାୟ ପାଞ୍ଚଶହ ବର୍ଷ ସୀମାହୀନ, ଜାତିହୀନ, ଭାଷାହୀନ ଅବସ୍ଥାରେ ଖଣ୍ତ ବିଖଣ୍ଡିତ ହୋଇ ରହିବା ପରେ ଏହି ଦିନରେ ଓଡିଶା ଏକତ୍ରିତ ହୋଇଥିଲା. ଏକଦା ନିଜର କଳା -ସଂସ୍କୃତି, ଭାଷା -ସାହିତ୍ୟ, ବାଣିଜ୍ୟ -ବ୍ୟବସାୟ ଓ ସାମାଜିକ -ସାମରିକ ପରମ୍ପରା ପାଇଁ ବିଶେଷ ଭାବେ ପରିଚିତ ଥିବା ଏହି ଭୂମିର କ୍ରମେ ଏକାଧିକ କାରଣରୁ ପ୍ରଥମେ ଏହାର ସ୍ୱାଧୀନତା କ୍ଷୁର୍ଣ୍ଣ ହେବା ପରେ ସାମାଜିକ ନିରାପତ୍ତା, ଭାଷା ଓ ସଂସ୍କୃତି ଆଦି ସବୁକିଛି ବିପର୍ଣ୍ଣ ହୋଇଗଲା. ଏହି ରାଜ୍ୟ ଖଣ୍ଡ ଖଣ୍ଡ ହୋଇ ଏହାର ଭୌଗଳିକ ସୀମା ସଂକୋଚନ ପରେ ଅଣଓଡ଼ିଆମାନେ ତତକାଳୀନ ବ୍ରିଟିଶ ସରକାରଙ୍କୁ ପ୍ରଭାବିତ କରି ଏହାକୁ ଖଣ୍ଡ ଖଣ୍ଡ କରି ବାଣ୍ଟିନେବାକୁ ଉଦ୍ୟମ କାରିଥିଲେ. ଏପରିକି କେତେକ ବାଙ୍ଗୀୟ ପ୍ରକାଶ୍ୟରେ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା କି ଜାତି ନୁହେଁ ଏଣୁ ଏହାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ନଦେଇ ବାଂଲା ଭାଷାଭାଷି ଅଞ୍ଚଳରେ ମିଶେଇଦେବା ପାଇଁ ମତ ରଖିଥିଲେ.
ସେମାନଙ୍କ ଷଡ଼ଯନ୍ତ୍ର ବିରୁଦ୍ଧରେ କର୍ମବୀର ଗୌରୀଶଙ୍କର, ଉତ୍କଳଗୌରବ-କୂଳବୃଦ୍ଧ ମଧୁସୂଦନ, ବିଶିଷ୍ଠ ସାହିତ୍ୟିକ ବ୍ୟାସକବି ଫକୀରମୋହନ ସେନାପତି, ସ୍ଵଭାଵକବି ଗଙ୍ଗାଧର ମେହେର, ଉତ୍କଳମଣି ଗୋପବନ୍ଧୁ ଦାସ,ମହାରାଜା କୃଷ୍ଣଚନ୍ଦ୍ର ଗଜପତି,ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କର୍ମବୀର ଗୌରୀଶଙ୍କର ରାୟ, ହରିହର ମର୍ଦ୍ଦରାଜ, ବିଚିତ୍ରାନନ୍ଦ ଦାସ, କବିବର ରାଧାନାଥ ରାୟ, ପଣ୍ଡିତ ନୀଳକଣ୍ଠ ଦାସ ଆଦି ବରପୁତ୍ରମାନଙ୍କ ନେତୃତ୍ୱରେ ଅଣଓଡ଼ିଆମାନଙ୍କ ପ୍ରତି ପ୍ରତିବାଦ ସ୍ୱର ତୀବ୍ର କରାଇ ଓଡିଶା ରାଜ୍ୟ ଓ ତାର ଭାଷା ସାହିତ୍ୟର ନୂଆ ପରିଚୟ ସୃଷ୍ଟି କରିପାରିଥିଲେ.
ଭାଷା ଆଧାରରେ ପ୍ରଥମ କରି ରାଷ୍ଟ୍ର ନିର୍ମାଣ କରାଯିବା ସହ ଭାଷା ବୈଜ୍ଞାନୀକଙ୍କ ମତରେ ଉତ୍କଳ ପ୍ରଦେଶର ଭାଷା ସର୍ବପୁରାତନ ଭାଷା ବୋଲି ପ୍ରମାଣିତ ହୋଇଥିଲା. ତାମିଲ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ଓଡ଼ିଆ ଭାଷା. କର୍ମବୀର ଗୌରୀଶଙ୍କର ରାୟ ଥିଲେ ପ୍ରଥମ ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧଶାଳୀ କରିଥିବା ଓଡ଼ିଆ ସମ୍ବାଦପତ୍ର ଉତ୍କଳ ଦୀପିକାର ଲେଖକ ତଥା ସମ୍ପାଦକ. ଯଦି ଆମ ଓଡିଶା ଭାଷାଭିତ୍ତିକ ସମୃଦ୍ଧି ନେଇ ଗଠିତ ହୋଇନଥାନ୍ତା ତେବେ ଆମେ ଆମ ଭାଷାକୁ ଭୁଲିଯିବା ସହ ଅତୀତ ଗାଥା, ଇତିହାସରୁ ବିଜ୍ଞାନ ଯାଏଁ ଜାଣିବାକୁ ସମର୍ଥ ହୋଇପାରିନଥାନ୍ତେ. ଉତ୍କଳ ଜନନୀ କୋଳରେ ଜନ୍ମନେଇ ବିକାଶ ପଥରେ ଓଡିଶାକୁ ଆଗକୁ ନେବା ଯୋଗଜନ୍ମାମାନଙ୍କ ଇତିହାସ ସହିତ ପ୍ରଥମ ବିଜ୍ଞାନ ଓ ବିଜ୍ଞାନୀ ପଠାଣି ସାମନ୍ତ ଚନ୍ଦ୍ରଶେଖରଙ୍କୁ ମଧ୍ୟ ଭୁଲିଯାଇଥାଆନ୍ତେ. ଏଥି ସହିତ ଭୁଲିଯାଇଥାଆନ୍ତେ କଳା ସ୍ଥାପତ୍ୟ ନିର୍ମାଣକାରୀଙ୍କଠୁ ଆରମ୍ଭ କରି ସାହିତ୍ୟ, ଭୂଗୋଳ ସହିତ ସାମାଜିକ, ଅର୍ଥନୈତିକ, ରାଜନୈତିକ ପୃଷ୍ଠଭୂମିକୁ , ଯାହାକୁ ଜାଣି ପଢି ବୁଝି ଆଗକୁ ବଢିବା ମାର୍ଗ ମଧ୍ୟ ହରେଇଦେଇଥାଆନ୍ତେ. ତେଣୁ ସଗର୍ବରେ ତଥା ସମସ୍ୱରରେ କହିବା ଆମେ ଓଡ଼ିଆ.. ଭାରି ମିଠା ଆମ ଭାଷା ସହିତ ରାଜ୍ୟ ବଢିଆ.
ପରିଶେଷରେ ପରାଧୀନତା ଶୃଙ୍ଖଳରୁ ମୁକ୍ତ ହୋଇ ଏହି ଏପ୍ରିଲ ଏକ ତାରିଖ ଉଣେଇଶ ଶହ ଛତିଶ ମସିହାରେ ଜନ୍ମ ନେଇଥିବା ସ୍ୱତନ୍ତ୍ର ଓଡିଶାକୁ ପ୍ରଣାମ. ଉନବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିବା ଓଡିଶା ନବଜାଗରଣର ଏହା ଥିଲା ଚୂଡାନ୍ତ ଫଳଶ୍ରୁତି. ସାଂକେତିକ ଭାବରେ ଏହା ଓଡିଶା ସ୍ୱତନ୍ତ୍ରତାର ଘୋଷଣା.ଆସନ୍ତୁ ସର୍ବେ ମିଶି କହିଯିବା ବନ୍ଦେ ଉତ୍କଳ ଜନନୀ. ଜୟ ଜଗନ୍ନାଥ.ଏସବୁ ପଢି ମନେରଖୁ ରଖୁ ମାଆ ବଢ଼ାବଢି କରି ଖାଇବାକୁ ଡାକିଲେ.
ପିତା ମାତା ଦୁହେଁ ଆଗ ଖାଇ ବସିଥିବା ବେଳେ ପିତା କୁନା ମୁନା ଉଭୟଙ୍କୁ ନିଜ ସାଥେ ଖାଇବାକୁ ଡାକିଲା ବେଳେ ମାଆ ମଧ୍ୟ ତାଙ୍କ ସଙ୍ଗେ ଏକା ଥାଳିରେ ଖାଇବାକୁ ଡାକୁଥାଆନ୍ତି. କୁନା ମୁନା ଦୁହେଁ କଣ କରିବେ? ସେ ଦୁହେଁ ପିତାଙ୍କୁ ଯେତିକି ଭକ୍ତି କରନ୍ତି ମାତାଙ୍କୁ ମଧ୍ୟ ସେତିକି ଭକ୍ତି କରନ୍ତି. ଦୁହେଁ ଜାଣନ୍ତି ପିତା ସ୍ୱର୍ଗ ଓ ମାତା ଧର୍ମ. ଏତିକି ବେଳେ ଦୁଇଭାଇ ବସିଗଲେ ପିତା ମାତାଙ୍କ ବଢ଼ା ଥାଳି ପାଖରେ ଓ କୁନା ସେମାନେ ଖାଇବା ଆରମ୍ଭ କରିନଥିବା ଥାଳିର ଭାତ ଇତ୍ୟାଦି ଏକତ୍ରିତ କଲା ବେଳେ ମୁନା ମଧ୍ୟ ତରକାରୀ ଡାଲି ସବୁକୁ ଏକାଠି କରୁଥିଲା. ପିତା ମାତା ଚାହିଁ ରହିଥିଲା ବେଳେ ସମସ୍ତେ ଏକାଠି ଖାଇବାକୁ କୁନା ମୁନା କହୁଥିଲେ ତ ବାପା କହୁଥିଲେ ମୋ ପୁଅ ଦୁହେଁ ଭାରି ବୁଦ୍ଧିଆ ତ ମାଆ କହୁଥିଲେ ମୋ ପୁଅ ଦୁହେଁ ଗଣେଷ ଓ କାର୍ତ୍ତିକେୟଙ୍କ ଅବତାର.ଠିକ ସେତିକି ବେଳେ ପୋଷା ଶୁକ ପକ୍ଷୀ ମିଠୁ ମୁକ୍ତ ଭାବେ ସେମାନଙ୍କ ଚାରିପଟେ ବୁଲି ବୁଲି କହୁଥିଲା ଆମେ ଓଡ଼ିଆ… ଆମ ଭାଷା ସାହିତ୍ୟ ବଢିଆ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ