ମୁକ-ବଧିର ଯୁବକଯୁବତୀଙ୍କୁ ତାଲିମ ଓ ଥଇଥାନ ଆଳରେ ଲୁଣ୍ଠନ କରାଯାଉଥିବାର ପ୍ରତିବାଦ
ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ଭିନ୍ନକ୍ଷମମାନଙ୍କୁ ତାଲିମ ପ୍ରଦାନ କରାଯାଇ ଥଇଥାନ କରିବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତି କରୁଥିଲେ ମଧ୍ୟ ତାହା ସଫଳତାର ସହ କାର୍ଯ୍ୟକାରୀ ହୋଇପାରୁନଥିବାରୁ ଭିନ୍ନକ୍ଷମମାନେ ଅତି ଦୟନୀୟ ଭାବେ ଜୀବନ ନିର୍ବାହ କରୁଛନ୍ତି । ଏହିସବୁ ଯୋଜନାର ସୁପରିଚାଳନା ନିମନ୍ତେ କେନ୍ଦ୍ର ସରକାର କେତେକ ପଦାଧିକାରୀ ଓ ବେସରକାରୀ ସଂଗଠନ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ ମଧ୍ୟ ସେମାନେ ସୁଚାରୁ ରୁପେ ନିଜର ଦାୟିତ୍ୱ ନତୁଲାଇ ସରକାରଙ୍କ ଟଙ୍କାକୁ ଲୁଣ୍ଠନ କରିଚାଲିଥିବା ଅଭିଯୋଗ ହେଉଛି । ଏହାରପ୍ରତିବାଦରେ ଭୁବନେଶ୍ୱରସ୍ଥିତ ସତ୍ୟଭାମା ଦେବୀ ମୁକ-ବଧିର ମହାବିଦ୍ୟାଳୟର ଶତାଧିକ ମୁକବଧିର ଛାତ୍ରଛାତ୍ରୀ ଓ କଲେଜ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ରାଜଭବନକୁ ଯାଇ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଅଧାରୁ ପାଠ ଛାଡ଼ିଥିବା ଓ ବେକାର ଶିକ୍ଷତ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରି ଥଇଥାନ କରିବା ଏହି କୌଶଳ ବିକାଶ ତାଲିମର ମୁଖ୍ୟ । ଏହି ତାଲିମ ଦେବାପାଇଁ ଯେଉଁସବୁ ବେସରକାରୀ ସଂଗଠନ କେନ୍ଦ୍ରରୁ ଅର୍ଥ ଆଣିଛନ୍ତି, ସେମାନେ ଦ୍ୱାରଦାରବୁଲି ବେକାର, ଅର୍ଦ୍ଧଶିକ୍ଷିତ ଯୁବକଯୁବତୀଙ୍କୁ ତାଲିମ କେନ୍ଦ୍ରକୁ ଆଣି ତାଲିମ ଦେବା ପରିବର୍ତ୍ତୋ ସ୍କୁଲ୍ କଲେଜରେ ପଢ଼ୁଥିବା ମୁକ-ବଧିର ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରରେ ବସାଇ ପଢ଼ାଇବା ବାହାନ କରି ଫଟୋ ଓ ଭିଡିଓଗ୍ରାଫ୍ କରି ସରକାରଙ୍କୁ ପ୍ରଦାନ କରୁଛନ୍ତି । ଏଥିପାଇଁ ଯେଉଁ ସମୟ ଅବଧି ରଖାଯାଇଛି ସେହି ସମୟ ମଧ୍ୟରେ ତାଲିମ ପାଇ ଥଇଥାନ ହେବା ସମ୍ଭବ ନୁହେଁ । ସିଲେଇ ଇଲେକ୍ଟିସିଆନ, କମ୍ପ୍ୟୁଟର ଆଦି ତାଲିମର ଅବଧି ୩ମାସ ଥିବାରୁ ଏହି ସ୍ୱଳ୍ପ ସମୟ ମଧ୍ୟରେ ଜଣେ ଏହିସବୁ ତାଲିମ ଶେଷକରିବା କଷ୍ଟକର । ତେଣୁ ଏହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହିପରି ଜଣେ ସାଧାରଣ ଯୁବକଯୁବତୀ ପାରା ମେହିକାଲ ତାଲିମ ନେବପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ବିଜ୍ଞାନ ଆବଶ୍ୟକ ଏବଂ ତାଲିମ ଅବଧି୨ବର୍ଷ ଥିବାବେଳେ ମୁକ-ବଧିରଙ୍କ ପାଇଁ ୮ମାସ ରଖାଯାଇଛି । ଏହି ସମୟ ମଧ୍ୟରେ ତାଲିମ ଶେଷ କରିବାକୁ ବିଭିନ୍ନ ବେସରକାରୀ ସଂଗଠନକୁ ସରକାର ଅର୍ଥ ପ୍ରଦାନ କରିଛନ୍ତି । ଏହି ଅର୍ଥ ଆଣି ବେସରକାରୀ ସଂଗଠନନାମକୁମାତ୍ର ତାଲିମ ଦେଇ ସେସବୁର ଫଟୋ ଉଠାଇ ମିଥ୍ୟା ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରୁଛନ୍ତି ଏବଂ ଏହି ରିପୋର୍ଟକୁ ଆଧାର କରି ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତି ଦିଆଯାଇଛି ବୋଲି ସରକାର ପ୍ରକାଶ କରିଥାନ୍ତି । ତାଲିମ କାର୍ଯ୍ୟ ପାଇଁ ଆସୁଥିବା ପଦାଧିକାରୀଙ୍କୁ ଏହି ସଂଗଠନ ନାମୀଦାମୀ ହୋଟେଲରେ ରଖି ବିିଭିନ୍ନ ମାଧ୍ୟମରେ ଆପ୍ୟାୟିତ କରିଖୁସ୍ କରିବା ଫଳରେ ସେମାନେ ସଂଗଠନ ସପକ୍ଷରେ ରିପୋର୍ଟ ଦେଉଛନ୍ତି । ତେଣୁ ଏହିସବୁ ତାଲିମ ପ୍ରଦାନ ନିମନ୍ତେ ଆମ ରାଜ୍ୟରେ ସାଙ୍କେତିକ ଭାଷାରେତାଲିମପ୍ରାପ୍ତ ଶିକ୍ଷକ ନାହାନ୍ତି । ତେଣୁ ଏଭଳି ତାଲିମ ମୁକ-ବଧିରଙ୍କ ପାଇଁ ପ୍ରହସନରେ ପରିଣତ ହୋଇଛି ବୋଲି ଆଲୋଚନା ହେଉଛି ।ଏକ ବେସରକାରୀ ସଂଗଠନ ସତ୍ୟଭାମା ଦେବୀ ମୁକ-ବଧିର କଲେଜକୁ ଚିଠି ଲେଖି ଅନୁରୋଧ କରିଥିଲା ଯେ,ଆମ ସଂଗଠନ ପକ୍ଷରୁ ହାରାହାରି ୪୭୦ ଜଣ ମୁକ ବଧିର ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଇ ବିଭିନ୍ନ ସଂସ୍ଥାରେ ଆତ୍ମନିଯୁକ୍ତି ଦିଆଯାଇଛି । ତେଣୁ ତୁମ କଲେଜରେ ପଢ଼ୁଥିôବା ମୁକ-ବଧିର ଛାତ୍ରଛାତ୍ରୀଙ୍କୁ ପଠାଇଲେ ଆମ ସଂଗଠନ ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଇ ବିଭିନ୍ନ ସଂସ୍ଥାରେ ଆତ୍ମନିଯୁକ୍ତି ଦିଆଯିବ । ଚିଠି ପାଇ କଲେଜ ପକ୍ଷରୁ ମଧ୍ୟ ଧନ୍ଦାମୂଳକ ତାଲିମ ଦେଇ କେଉଁ କେଉଁ ସଂସ୍ଥାର ନିଯୁକ୍ତି ଦେଇଛି ଜଣାଇବାକୁ ଅନୁରୋଧ କରିଥିଲେ । କିନ୍ତୁ ସେମାନେ ସେଥିରେ ଅସମର୍ଥ ହୋଇଥିଲେ । ଯେହେତୁ ସରକାରଙ୍କୁ ମିଥ୍ୟା ରିପୋର୍ଟ ଦେଇଛନ୍ତି, ସେସବୁ ଦେଲେ ସେମାନଙ୍କୁ ଜାଲିଆତି ଧରାପଡ଼ିଯିବ ।


