ମୁଖ୍ୟମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନୂଆ ସରକାର ଦାୟିତ୍ୱ ନେବାର ଆଠମାସ ବିତିବାକୁ ବସିଥିଲେ ମଧ୍ୟ ସାମ୍ବାଦିକମାନଙ୍କର ପ୍ରମୁଖ ଦାବି ପୂରଣ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ରାଜ୍ୟର ପ୍ରମୁଖ ସାମ୍ବାଦିକ ସଙ୍ଗଠନ ଓଡ଼ିଶା ସାମ୍ବାଦିକ ୟୁନିଅନ୍ (ଓୟୁଜେ) ଗଭୀର ଉଦ୍ବେଗ ପ୍ରକାଶ କରିଛି । ଓୟୁଜେ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ମର୍ମରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ ସରକାରଙ୍କ ଉଦାସୀନତା ପ୍ରତିବାଦରେ ବିଧାନସଭାର ଆଗାମୀ ଅଧିବେଶନ ସମୟରେ ସାମ୍ବାଦିକମାନେ ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି । ଶୁକ୍ରବାର ଦିନ ଓୟୁଜେ ଭବନଠାରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିଅନ୍ର ଏକ ସ୍ୱତନ୍ତ୍ର ଅଧିବେଶନରେ ନିରାପତ୍ତାଠାରୁ ଆରମ୍ଭକରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କର ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଥିଲା । ପୂର୍ବ ସରକାର ସମୟରେ ଅନେକ ଦାବି ପୂରଣ ହୋଇ ନ ଥିଲାବେଳେ ବର୍ତ୍ତମାନ ସରକାର ଏ ଦିଗରେ କାଳକ୍ଷେପଣ ନୀତି ଗ୍ରହଣ କରୁଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଓୟୁଜେର ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୟୁନିଅନ୍ର ମୂଳ ଦାବି ସାମ୍ବାଦିକଙ୍କୁ ପେନ୍ସନ୍ ପ୍ରଦାନ, ସୁରକ୍ଷା ଆଇନ୍ ପ୍ରଣୟନ ଓ ଅଧିସ୍ୱୀକୃତି କମିଟି ଗଠନ ସହ ନିୟମ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିଧାନସଭାର ଆଗାମୀ ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏ ବାବଦରେ କୌଣସି ନିଷ୍ପତ୍ତି ନ ନେଲେ ଓୟୁଜେ ବାଧ୍ୟ ହୋଇ ଆନ୍ଦୋଳନର ରାସ୍ତାକୁ ଓହ୍ଲାଇବ ଓ ବିଧାନସଭା ସମ୍ମୁଖରେ ସାମ୍ବାଦିକମାନଙ୍କର ପ୍ରତିବାଦ ସମାବେଶ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ମହାନ୍ତି ଚେତାବନୀ ଦେଇଥିଲେ । ଦାବିଗୁଡ଼ିକ ବାବଦରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବିଷୟ ସେ ସୂଚନା ଦେଇଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ବୈଠକରେ ଯୋଗଦେଇ ସାମ୍ବାଦିକମାନଙ୍କର ଦାବି ପ୍ରତି ସମର୍ଥନ ବ୍ୟକ୍ତ କରିବା ସହ ବିଧାନସଭା ଆସନରେ ଅଧିବେଶନ କାଳରେ ଏସବୁ ପ୍ରସଙ୍ଗରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଓୟୁଜେର ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର, କୋଷାଧ୍ୟକ୍ଷ ଅମୂଲ୍ୟ ରଞ୍ଜନ ସ୍ୱାଇଁ, ସମ୍ପାଦକ ପ୍ରସନ୍ନ ପାଇକରାୟ ଓ ପ୍ରଶାନ୍ତ ବେହେରା, ବରିଷ୍ଠ ସଦସ୍ୟ ହଳଧର ଧୀର ଓ ପରିକ୍ଷୀତ ବିଶ୍ୱାଳ, ଅକ୍ଷୟ ସାହୁ, ଅଭୟ ପତି, ପ୍ରମୋଦ ସାମନ୍ତରାୟ, ଦୀପକ ସମଜଦାର୍, କିଷାନ ରାଉତ, ସୁରେଶ ଦାଶ, ପ୍ରଫୁଲ୍ଲ ମହାନ୍ତି, ମୁନା ସିଂ ଓ କ୍ଷେତ୍ରବାସୀ ମହାକୁଡ଼ ପ୍ରମୁଖ ବୈଠକରେ ଯୋଗଦେଇ ରାଜ୍ୟସରକାରଙ୍କ ଉଦାସୀନତା ନେଇ ଉଦ୍ବେଗ ପ୍ରକାଶ କରିବା ସହ ଆନ୍ଦୋଳନର ରାସ୍ତାକୁ ଓହ୍ଲାଇବାକୁ ପରାମର୍ଶ ଦେଇଥିଲେ ।