ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନିଷ୍ଠ ଶିକ୍ଷକଙ୍କ ଦାବିପତ୍ର
ବୁଗୁଡ଼ା, (ଅନିଲ କୁମାର ମହାରଣା) : ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ନିର୍ଦ୍ଦେଶ କ୍ରମେ ବୁଗୁଡା ବ୍ଲକ କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୁଗୁଡା ବିଡ଼ିଓ ଓ ବିଇଓ ଙ୍କ ଜରିଆରେ ପ୍ରେରଣ କରାଯାଇଛି । କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଚୁକ୍ତି ଭିତ୍ତିକ କର୍ମଚାରୀ ଭାବେ କାର୍ଯ୍ୟ କରି ମାତ୍ର ୬୫୧୨ ଟଙ୍କା ମାତ୍ର ମାସିକ ଦରମା ପାଇଥାନ୍ତି । ଅର୍ଥାତ କନିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଦୈନିକ ମାତ୍ର ୨୧୭ ଟଙ୍କା ଦରମା ପାଉଥିବା ବେଳେ ରାଜ୍ୟର ଅନକୁଶଳୀ ଶ୍ରମିକଙ୍କ ଠାରୁ କମ ଅଟେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଚୁକ୍ତିଭିତ୍ତିକ କର୍ମଚାରୀ ନିଯୁକ୍ତି ଉଚ୍ଛେଦ କରି ଦରମା ବୃଦ୍ଧି ସହ ଅନ୍ୟାନ୍ୟ ସୁବିଧା ଦେବାକୁ ସ୍ଥିର ହୋଇଥିବା ବେଳେ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ମାନଙ୍କୁ ସେହି ସୁବିଧାରୁ ବାଦ ଦିଆଯାଇଛି । କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ଚୁକ୍ତିଭିତ୍ତିକ ଭାବେ ଅତି କମ ଦରମା ପାଇଁ ଶିଶୁମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ସର୍ବଦା ଚେଷ୍ଟା କରୁଥିବା ବେଳେ ଅନକୁଶଳୀ ଶ୍ରମିକ ଠାରୁ କମ ଦରମା ଦେବାଯୋଗୁଁ ପରିବାର ପ୍ରତିପୋଷଣ ଅସମ୍ଭବ ହୋଇଥିବା ବେଳେ ସରକାର ତୁରନ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନ୍ୟାନ୍ୟ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପରି ସମସ୍ତ ସୁବିଧା ଦେବାସହ ୨୦୧୬ ମସିହାରୁ ମାସିକ ୧୬ ହଜାର ଟଙ୍କା ହିସାବରେ ଦରମା ଲାଗୁକରିବାକୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ସଂଘର ବ୍ଳକ ସଭାପତି ଓ ସମ୍ପାଦକଙ୍କ ବିଡ଼ିଓ ତନ୍ମୟ ପାତ୍ର ଓ ବୁଗୁଡା ବିଇଓଙ୍କ ଅନୁପସ୍ଥିତିରେ ମୁଖ୍ୟ କିରାଣୀ ଭାସ୍କର ଚନ୍ଦ୍ର ସାହୁଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ସଂଘର ଉପଦେଷ୍ଟା ସନାତନ ପ୍ରଧାନ, ସଭାପତି ସାଗର ମଲ୍ଲିକ, ଉପସଭାପତି ସସ୍ମିତା ସ୍ବାଇଁ, ସମ୍ପାଦକ ସୁବିର ବେହେରା, ଯୁଗ୍ମ ସମ୍ପାଦକ ଶକ୍ତିକାନ୍ତ ପ୍ରଧାନ, ବ୍ଲକ ସଂଯୋଜକ ସତ୍ୟବାନ ତରାଇ, ମିଡିଆ ସଂଯୋଜକ ମିଥୁନ କୁମାର ସେଠୀ, କୋଷାଧ୍ୟକ୍ଷ ରମେଶ ବେହେରାଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ।