ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼ ସମୀକ୍ଷା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ଏବଂ ବାତ୍ୟା ପୁନର୍ଗଠନ ସମ୍ପର୍କରେ ସମୀକ୍ଷା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ସଂକ୍ରମଣ ଯୋଗୁ ଗତ ୨ ମାସ ହେଲା ଆମେ ଲକଡାଉନ ପରିସ୍ଥିତିରେ ରହିଅଛୁ । ଏହି ୨ ମାସ ମଧ୍ୟରେ ଆମେ ଅନେକ ଶିକ୍ଷାଲାଭ କରିଛୁ । ବୈଜ୍ଞାନିକ, ସାମାଜିକ ତଥା ପ୍ରଶାସନିକ ଉପଲବ୍ଧି ହାସଲ କରିଛୁ । ଏହି ଉପଲବ୍ଧିକୁ ଭିତ୍ତି କରି ଆମକୁ ଭବିଷ୍ୟତ ପାଇଁ କୌଶଳ ନିର୍ଦ୍ଧାରଣ କରିବାକୁ ହେବ । ଯାହା ଦ୍ୱାରା ଆମେ ସଂକ୍ରମଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସହିତ ଜୀବନ ଜୀବିକା ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିପାରିବା ।
ଭାରତ ବିଶେଷ କରି ଆମ ଓଡ଼ିଶାରେ କରୋନା ସଂକ୍ରମଣର ଗତି ସମ୍ପର୍କରେ ମିଳିଥିବା ଅନୁଭୂତି ଆମକୁ ଆଶା ଦେଖାଇଛି ଯେ କଡ଼ାକଡ଼ି ସାମାଜିକ ଦୂରତ୍ୱ, ମାସ୍କର ବ୍ୟବହାର ଏବଂ ବାରମ୍ବାର ହାତ ଧୋଇବା ଦ୍ୱାରା ଆମେ ଏହି ମହାମାରୀକୁ ସଫଳ ଭାବରେ ନିୟନ୍ତ୍ରଣ କରିପାରିବା । ଆମର ଅନୁଭୂତି କହୁଛି ଯେ ବିପଦସଙ୍କୁଳ ଜନସାଧାରଣ, ବିଶେଷ କରି ବୟସ୍କ ଲୋକ ଏବଂ ଗୁରୁତର ରୋଗରେ ପୀଡ଼ିତ ଲୋକମାନଙ୍କର ଅଧିକ ଯତ୍ନ ଆବଶ୍ୟକ । ତେଣୁ ଏହିସବୁ ବିଷୟକୁ ପ୍ରାଧାନ୍ୟ ଦେଇ ୧୫ ଦିନ ବ୍ୟାପୀ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାମାଜିକ ଦୂରତାକୁ ସାମାଜିକ ବାସନ୍ଦ ବୋଲି ଭାବିବା ଉଚିତ ନୁହେଁ । ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବର୍ତ୍ତମାନ ପରିସ୍ଥିତିର ଆବଶ୍ୟକତା । ଏହା ହିଁ ଚଳିତ ସପ୍ତାହରେ ଆମ ପାଇଁ ଲକ୍ଷ୍ୟ ।
କରୋନା ନିୟନ୍ତ୍ରଣ ପାଇଁ ଆଗ ଧାଡ଼ିରେ ରହି କାମ କରୁଥିବା ବ୍ୟକ୍ତିବିଶେଷ ଏବଂ ବିପଦ ସଂକୁଳ ଜନସାଧାରଣଙ୍କର ସଠିକ ସମୟରେ ପରୀକ୍ଷା କରାଯିବା ଆବଶ୍ୟକ । ଦେଶରେ କରୋନା ଭୂତାଣୁ ପରୀକ୍ଷଣ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ବିକେନ୍ଦ୍ରୀକରଣ ପରୀକ୍ଷା ସୁବିଧା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟରେ ବାଧ୍ୟତାମୂଳକ ସଙ୍ଗରୋଧ ବ୍ୟବସ୍ଥା ଆଇସିଏମଆରର ସୁପାରିଶ ଅନୁଯାୟୀ କରାଯାଇଛି । ସେହିପରି ଆନୁଷ୍ଠାନିକ ସଙ୍ଗରୋଧକୁ ଆବଶ୍ୟକତା ଭିତ୍ତିରେ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । କୋଭିଡ ରୋଗ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ।
ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡ଼ିକର ଭୂମିକା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଗୁଡ଼ିକ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ବହୁତ ଭଲ କାମ କରୁଛନ୍ତି । ରାଜ୍ୟରେ କରୋନା ପଜିଟିଭ କେସର ୯୫ ପ୍ରତିଶତ କେବଳ ଏହି ସଙ୍ଗରୋଧ କେନ୍ଦ୍ରରୁ ହିଁ ମିଳିଛି । ଏହା ଆମର ବ୍ୟବସ୍ଥାର ସୁଦୃଢ଼ତାକୁ ପ୍ରତିପାଦନ କରିବା ସହିତ ସରପଞ୍ଚ, ଲୋକ ପ୍ରତିନିଧି ଏବଂ ସରକାରଙ୍କ ବିଭିନ୍ନ ବିଭାଗର ତଳସ୍ତରରୁ ଉପର ପର୍ଯ୍ୟନ୍ତ ସବୁ କର୍ମଚାରୀଙ୍କ ନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି । କରୋନା ଯୁଦ୍ଧରେ ନିଜର ସବୁକିଛି ତ୍ୟାଗ କରି ଦିନରାତି କାମ କରୁଥିବା ବ୍ୟକ୍ତିମାନଙ୍କ ପ୍ରତିବଦ୍ଧତାର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।
ରାଜ୍ୟ ଭିତରେ ଅନ୍ୟ ରାଜ୍ୟର ପ୍ରବାସୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ’ଜିରୋ ୱାଲକିଙ୍ଗ ଇନସାଇଡ ଓଡ଼ିଶା’ ନୀତି କାର୍ଯ୍ୟକାରୀ କରିଛୁ । ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାରେ ରାଜ୍ୟ ପୋଲିସର କାର୍ଯ୍ୟଦକ୍ଷତା ପ୍ରଶଂସା ଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ସେମାନଙ୍କ ଏହି ଭଲ କାମ ପାଇଁ ଅଭିନନ୍ଦନ ଜଣାଇଥିଲେ । ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ସୁଦ୍ଧା ୧୪,୬୬୯ ଜଣ ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ବସ୍ ଯୋଗେ ବର୍ଡର ଚେକପୋଷ୍ଟ ପହଞ୍ଚାଇ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ଯୁଦ୍ଧ ଏକ ଲମ୍ବା ଯୁଦ୍ଧ ଏବଂ ଏ ପର୍ଯ୍ୟନ୍ତ ଆମେ ଏହାକୁ ସଫଳତାର ସହିତ ପରିଚାଳନା କରିଆସିଛୁ । ଆମର ଅନୁଭୂତିକୁ ଆଧାର କରି କୌଶଳର ପୁନଃ ନିର୍ଦ୍ଧାରଣ କରିବା ଦିଗରେ ଆଭିମୁଖ୍ୟ ପ୍ରସ୍ତୁତ କରିବାକୁ ହେବ । ଆମର ସଙ୍ଗରୋଧ କେନ୍ଦ୍ର ମାନଙ୍କରେ ଥିବା ଅନ୍ତେବାସୀମାନଙ୍କ ପାଇଁ ଯେଉଁ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ଆରମ୍ଭ କରାଯାଇଛି, ତାହା ଭବିଷ୍ୟତର ଆହ୍ୱାନକୁ ସଫଳ ଭାବରେ ମୁକାବିଲା କରିବାରେ ବିଶେଷ ଭାବରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିମାନ ଓ ରେଳସେବା ଆରମ୍ଭ ହେବା ଦ୍ୱାରା ୧୫ ଦିନରୁ ଏକ ମାସ ପର୍ଯ୍ୟନ୍ତ ସମୟ ଆମ ପାଇଁ ଅଧିକ ଆହ୍ୱାନ ମୂଳକ ହେବ । କିନ୍ତୁ ମାନବିକତାକୁ ଆଗରେ ରଖି ବୃତ୍ତିଗତ ଦକ୍ଷତା ସହ ଆମେ ପରିସ୍ଥିତିର ଉଚିତ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।
କରୋନା ସଂକ୍ରମଣ ଭୟକୁ ଖାତିର ନ କରି ଅମ୍ଫନ ବାତ୍ୟା ସମୟରେ ଆମର ସରକାରୀ କର୍ମଚାରୀମାନେ, ଜନପ୍ରତିନିଧିମାନେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଯେଭଳି ସାହସିକତା ଓ ନିଷ୍ଠାର ସହ କାମ କଲେ ଏବଂ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରିପାରିଲେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ବାତ୍ୟାର ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ରାସ୍ତାର ପୁନଃରୁଦ୍ଧାର ଏବଂ ୪୮ ଘଣ୍ଟା ମଧ୍ୟରେ ବିଦୁ୍ୟତ ଯୋଗାଣ ସ୍ୱାଭାବିକ କରି ଆମର କମଚାରୀମାନେ ଯେଭଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ । ଓଡ଼ିଶାବାସୀ ଏଭଳି ବିପତ୍ତି ସମୟରେ ଅନେକ ତ୍ୟାଗ ସ୍ୱୀକାର କରିଛନ୍ତି ଏବଂ ସରକାରଙ୍କୁ ସବୁବେଳେ ସମ୍ପୂର୍ଣ୍ଣ ଭାବରେ ସହଯୋଗ ଦେଇଛନ୍ତି । ଓଡ଼ିଶାବାସୀଙ୍କର ଏହି ତ୍ୟାଗ ହିଁ ଆଗକୁ ବଢ଼ିବା ପାଇଁ ଆମକୁ ପ୍ରେରଣା ଦେବା ସହିତ ଅଧିକ କଠିନ ପରିଶ୍ରମ କରିବା ପାଇଁ ଆମକୁ ଶକ୍ତି ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ ଯେ ବିଭିନ୍ନ ଜୋନ ନିର୍ଣ୍ଣୟ କ୍ଷେତ୍ରରେ ପଞ୍ଚାୟତଗୁଡ଼ିକୁ ୟୁନିଟ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ଏହା ଲକଡାଉନ, କ୍ୱାରେଣ୍ଟାଇନ ଆଦି ବିଭିନ୍ନ ନିୟମକୁ ପାଳନ କରିବାରେ ଯଥେଷ୍ଟ ସହାୟକ ହେଉଛି । ଓଡ଼ିଶାରେ କ୍ୱାରେଣ୍ଟାଇନ ପାଇଁ ଯେତିକି ସୁବିଧା ଅଛି ତାର ମାତ୍ର ୩୦ ପ୍ରତିଶତ ବ୍ୟବହୃତ ହୋଇଛି । ତେଣୁ ଅଧିକ ପ୍ରବାସୀଙ୍କ ପାଇଁ କୌଣସି ସମସ୍ୟା ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ । ବର୍ତ୍ତମାନ ସୁଦ୍ଧା ୮୦ ହଜାର ପ୍ରବାସୀ ଘର କ୍ୱାରେଣ୍ଟାଇନକୁ ଯାଇସାରିଛନ୍ତି ।
ରାଜ୍ୟକୁ ଯେଉଁମାନେ ମାତ୍ର ୭୨ ଘଣ୍ଟା ପାଇଁ ଆସୁଛନ୍ତି, ସେମାନଙ୍କୁ କୌଣସି କ୍ୱାରେଣ୍ଟାଇନରେ ରଖାଯିବ ନାହିଁ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ଏମଜିଏନଆରଇଜିଏସରେ ବର୍ତ୍ତମାନ ଦିନକୁ ୧୦ ଲକ୍ଷ ଶ୍ରମଦିବସ ସୃଷ୍ଟି ହୋଇଥିବା ବେଳେ ଏହାକୁ ଦିନକୁ ୨୦ ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ବର୍ତ୍ତମାନ ୧୭ ଜିଲ୍ଲାରେ ୩.୮୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି ଯାହାକି ଗତ ବର୍ଷ ଠାରୁ ୪୦ ପ୍ରତିଶତ ଅଧିକ । ଚାଷୀମାନଙ୍କ ଆକାଉଣ୍ଟକୁ ଧାନ ସଂଗ୍ରହ ବାବଦରେ ୫୨୧ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି ।
କୋଭିଡ ରୋଗରେ ଓଡ଼ିଶାର ସୁସ୍ଥତା ହାର ୪୨.୭୮ ପ୍ରତିଶତ ରହିଛି ଯାହାକି ଜାତୀୟ ହାରଠାରୁ ଭଲ ଅଛି । ମୃତ୍ୟୁ ହାର ୦.୪୬ ପ୍ରତିଶତ । ରାଜ୍ୟରେ ବର୍ତ୍ତମାନ ୧୪ଟି ପରୀକ୍ଷାଗାରରେ ଟେଷ୍ଟିଂ କରାଯାଉଛି ଏବଂ ଟେଷ୍ଟିଂ କ୍ଷମତା ଦିନକୁ ୫୫୦୦ ବୃଦ୍ଧି ପାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ସେହିପରି ୧୦୯ଟି ସ୍ୱତନ୍ତ୍ର ଟ୍ରେନରେ ୧,୫୩,୭୩୮ ଜଣ ପ୍ରବାସୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପହଞ୍ଚିଛନ୍ତି ବୋଲି ଜଣାଯାଇଛି । ତେବେ ଅନ୍ୟ ପରିବହନ ମାଧ୍ୟମ ଜରିଆରେ ଓଡ଼ିଶା ଆସୁଥିବା ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ମୋ ସରକାର କଲ ସେଣ୍ଟର ଆରମ୍ଭ କରିଛନ୍ତି ବୋଲି ବୈଠକରୁ ଜଣାଯାଇଛି ।


