ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ଅନିୟମିତତା ପଦାରେ ପଡ଼ିଲା ନିମ୍ନ ମାନର ରାସ୍ତା ନିର୍ମାଣ
ହିଂଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ୍): ୫ମ ପାଳିରେ ସରକାର ଗଠନ ପରେ ‘୫-ଟି’ କାର୍ୟ୍ୟକାରତା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ବ୍ୟକ୍ତିଗତ ସଚିବ ଭି କାର୍ତିକେୟନ ପାଣ୍ଡିଆନଙ୍କୁ ‘୫-ଟି’ ବିଭାଗ ସଚିବ କରିଛନ୍ତି । ତେବେ, ମୁଖ୍ୟମନ୍ତ୍ରୀଙ୍କ ନିଜ ଗଡ଼ରେ ବିଭିନ୍ନ କାମରେ ଅନିୟମିତତା ସରକାରଙ୍କ ‘୫-ଟି’କୁ ବିରୋଧାଭାସ ଏବେ ଅଂଚଳରେ ଚର୍ଚ୍ଚା ପାଲଟିଛି । ପ୍ରଥମେ ବ୍ଳକ ପକ୍ଷରୁ ଚଳିତ ବର୍ଷ ନିର୍ମାଣ ହୋଇଥିବା ଗଣ୍ଡଳା ପଂଚାୟତର ପଳାସି ଗ୍ରାମରେ ସିସି ରୋଡ଼ ନିର୍ମାଣରେ ବ୍ୟାପକ ଅନିୟମିତତା ପଦାରେ ପଡ଼ିଥିଲା । ସିମେଂଟରୁ ଗୋଡ଼ି ପଦାକୁ ବାହାରି ପଡ଼ିଥିଲା । ହାଇୱାରେ ଚୋରାରେ ପଥର ଓ ଅନ୍ୟାନ୍ୟ ସାମଗ୍ରୀ ଗ୍ରାମ୍ୟ ରାସ୍ତାରେ ଚାଲାଣ ହେତୁ ରାସ୍ତା ଖରାପ ହୋଇଥିବା ବ୍ଲକ କର୍ତୃପକ୍ଷ ସ୍ପଷ୍ଟୀ କରଣ ଦେଇଥିଲେ । ଅନ୍ୟ ପକ୍ଷରେ ରାଳବ ପଂଚାୟତର ଦେଉଳ ସାହି ପ୍ରାଥମିକ ବିଦ୍ୟାଳୟକୁ ଯାଇଥିବା ଏକମାତ୍ର ରାସ୍ତା ବର୍ଷାରେ ଖରାପ ହେତୁ ସ୍କୁଲ ଯିବାରେ ଛାତ୍ରଛାତ୍ରୀଙ୍କ ଘୋର ସମସ୍ୟା ହେଉଥିଲେ ।୨୦୧୮-୧୯ରେ ଏଫଡ଼ିଆର ତିତିଲି ଯୋଜନାରେ ଉକ୍ତ ସ୍କୁଲ ରାସ୍ତା ମରାମତି କରାଯାଇଥିଲେ ମଧ୍ୟ ଏଥିରେ ଅନିୟମିତତା ଅଭିଯୋଗ ହୋଇଥିଲା । ଏସବୁ ଘଟଣାକୁ ସୋସିଆଲ ମିଡ଼ିଆରେ ପ୍ରଚାର ପରେ ଖୋଦ ରାଜ୍ୟ ମୁଖିଆଙ୍କ ଗଡ଼ରେ ‘୫-ଟି’ କାର୍ୟ୍ୟକାରିତା ନେଇ ସରକାରଙ୍କୁ ବିଭିନ୍ନ ସ୍ତରରେ ଟ୍ରୋଲର ଶିକାର ହେବାକୁ ପଡ଼ିଛି । ଗୁରୁବାର ଏପରି ଏକ ଘଟଣା ପୁଣିଥରେ ଖୋଦ ମୁଖମନ୍ତ୍ରୀଙ୍କ ଗଡ଼ରେ ରାସ୍ତା କାମର ସ୍ୱଚ୍ଛତା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।